Advertisment

ବୋହୂର ମୃତ୍ୟୁ ପରେ ଏନ୍‌ସିପି ନେତା ଫେରାର, ଗିରଫ କରିବାକୁ ଖୋଜୁଛି ପୁଲିସ

ଶବ ବ୍ୟବଚ୍ଛେଦ ରିପୋର୍ଟର ଆସିବା ପରେ ଏହି ମାମଲା ଆହୁରି ତୀବ୍ର ହୋଇଥିଲା।

ଅଦ୍ୟତନ ହୋଇଛି
Vaishnavi's Marriage

Vaishnavi's Marriage

Advertisment

ଘରୁ ସାନ ବୋହୂର ଝୁଲନ୍ତା ମୃତଦେହ ମିଳିବା ପରେ ଫେରାର ହୋଇଯାଇଛନ୍ତି ଏନ୍‌ସିପି ନେତା ରାଜେନ୍ଦ୍ର ତୁକାରାମ ହଗୱାଣେ। ତାଙ୍କ ସହିତ ତାଙ୍କ ବଡ଼ ପୁଅ ମଧ୍ୟ ଫେରାର ହୋଇଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ପତ୍ନୀ ଲତା ହଗୱାଣେ, ସାନ ପୁଅ ଶଶାଙ୍କ ହଗୱାଣେ (ବୈଷ୍ଣବୀଙ୍କ ସ୍ୱାମୀ) ଓ ଝିଅ କରିସ୍ମା ହଗୱାଣେଙ୍କୁ ପୁଲିସ ଗିରଫ କରିଛି।

Advertisment

ଏନ୍‌ସିପି ନେତା ରାଜେନ୍ଦ୍ର ତୁକାରାମ ହଗୱାଣେଙ୍କ ସାନ ବୋହୂଙ୍କ ନାଁ ବୈଷ୍ଣବୀ। ତାଙ୍କୁ ୨୪ ବର୍ଷ ହୋଇଥିଲା। ଘରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଥିଲା। ଯେହେତୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା, ତେଣୁ ଶ୍ୱଶୁର ଘର ଲୋକ କହିଥିଲେ ଯେ ସେ ଆତ୍ମହତ୍ୟା କରିଛନ୍ତି। ତେବେ ବୈଷ୍ଣବୀଙ୍କ ଶରୀରର କିଛି ଅଂଶରେ ମାଡ଼ ମରାଯାଇଥିବା ଦାଗ ଓ କ୍ଷତ ଚିହ୍ନ ଦେଖିବାକୁ ମିଳିବା ପରେ ତାଙ୍କ ବାପ ଘର ଲୋକେ ହତ୍ୟା ସନ୍ଦେହ କରିଥିଲେ। 

ଶବ ବ୍ୟବଚ୍ଛେଦ ରିପୋର୍ଟର ଆସିବା ପରେ ଏହି ମାମଲା ଆହୁରି ତୀବ୍ର ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଥିଲା ଯେ ବୈଷ୍ଣବୀଙ୍କ ତଣ୍ଟି ଚିପା ଯାଇଥିଲା। ଏହା ସହିତ ତାଙ୍କ ଶରୀର ବିଭିନ୍ନ ସ୍ଥାନରେ କଳା ଦାଗ ରହିଥିଲା। ମାଡ଼ ମରାଯାଇଥିବା ଯୋଗୁ ସେହି ସବୁ ଦାଗ ତାଙ୍କ ଶରୀରରେ ଥିବା ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଥିଲା। ତେଣୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଶ୍ୱଶୁର ଘର ଲୋକେ ଯାହା ଦାବି କରି ଆସିଥିଲେ, ତାହା ସନ୍ଦେହ ଘେରକୁ ଚାଲି ଯାଇଥିଲା। ବୈଷ୍ଣବୀଙ୍କ ଶରୀରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ‘ଇଣ୍ଟରନାଲ ଅର୍ଗାନ’କୁ ସଂରକ୍ଷିତ କରି ରଖାଯାଇଛି। ସେଗୁଡ଼ିକର କେମିକାଲ ଯାଞ୍ଚ କରାଯିବ। ସେଥିରୁ ଜଣାପଡ଼ିବ, ତାଙ୍କୁ ବିଷ ଦିଆଯାଇଥିଲା କି ନାହିଁ।

Advertisment

ଶବ ବ୍ୟବଚ୍ଛେଦ ପରେ ପୁଲିସ ବୈଷ୍ଣବୀଙ୍କ ସ୍ୱାମୀ ଶଶାଙ୍କ ହଗୱାଣେ, ଶାଶୁ ଲତା ହଗୱାଣେ ଓ ନଣଦ କରିସ୍ମା ହଗୱାଣେଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରା ପରେ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ଆବେଦନକୁ କୋର୍ଟ ନାମଞ୍ଜୁର କରି ଦେଇଥିଲେ ଓ ସେମାନଙ୍କୁ ମେ’ ୨୧ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦେଇଥିଲେ। ପରେ ସେମାନଙ୍କ ପୁଲିସ ହେପାଜତକୁ ମେ’ ୨୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବୈଷ୍ଣବୀଙ୍କ ଶ୍ୱଶୁର ତଥା ଏନ୍‌ସିପି ନେତା ରାଜେନ୍ଦ୍ର ହଗୱାଣେ ତାଙ୍କ ବଡ଼ ପୁଅ ସୁଶୀଲଙ୍କ ସହିତ ଫେରାର ହୋଇଯାଇଛନ୍ତି।

ପୁଲିସ କହିଛି ଏବେ ଫରେନସିକ୍ ରିପୋର୍ଟକୁ ଯାଞ୍ଚ କରାଯାଉଛି। ତା’ ସହିତ ସିସିଟିଭି ଫୁଟେଜ, ସାକ୍ଷୀମାନଙ୍କ ବୟାନ ଓ ଅଭିଯୁକ୍ତମାନଙ୍କର ପୃଷ୍ଠଭୂମି ଯାଞ୍ଚ କରାଯାଉଛି। ଫଳରେ ବୈଷ୍ଣବୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ବାହାଘର ବେଳେ ବୈଷ୍ଣବୀଙ୍କ ବାପ ଘର ଲୋକେ ତାଙ୍କ ସ୍ୱାମୀ ଶଶାଙ୍କଙ୍କୁ ୫୧ ତୋଳା ସୁନା ଗହଣା, ୭ କିଲୋଗ୍ରାମର ସିଲଭର ଜିନିଷ, ଗୋଟିଏ ଦୁଇ ଚକିଆ ଗାଡ଼ି ଓ ଗୋଟିଏ ଫର୍ଚ୍ୟୁନର କାର ଦେଇଥିଲେ। ଏସବୁ ଜିନିଷକୁ ପୁଲିସ ଜବତ କରିଛି।

ଏନ୍‌ସିପି ନେତା ଅଜିତ ପାୱାର ଏହି ବିବାହରେ ଉପସ୍ଥିତ ରହିଥିଲେ। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋରେ ଦେଖିବାକୁ ମିଳିଛି ଯେ ଅଜିତ ପାୱାର ଫର୍ଚ୍ୟୁନର କାରର ଚାବି ବୈଷ୍ଣବୀଙ୍କ ସ୍ୱାମୀ ଶଶାଙ୍କଙ୍କୁ ଦେଉଛନ୍ତି।

ବିବାହ ଦିନକୁ ମନେ ପକାଇ ବୈଷ୍ଣବୀଙ୍କ ବାପା ଅନୀଲ କସପୁତେ କହିଛନ୍ତି, ଅଜିତ ପାୱାର ସେହି ବାହାଘରରେ ଉପସ୍ଥିତ ଥିଲେ। ସେ ଶଶାଙ୍କଙ୍କୁ ପଚାରିଥିଲେ- ସେମାନେ ଫର୍ଚ୍ୟୁନର କାର ଦେଉଛନ୍ତି ନା ତୁମେ ମାଗିଛ? ଅଜିତ ପାୱାର ଆମକୁ ନ୍ୟାୟ ପ୍ରଦାନ କରନ୍ତୁ। ଆମ ଝିଅକୁ ହତ୍ୟା କରାଯାଇଛି। ଅଜିତ ପାୱାର ଲାଡଲୀ ବହନେଁ ଯୋଜନା ଚଲାଇଛନ୍ତି। ବୈଷ୍ଣବୀ ମଧ୍ୟ ତାଙ୍କ ଭଉଣୀ ଥିଲା। ତେଣୁ ସେ ବୈଷ୍ଣବୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ।

ବୈଷ୍ଣବୀଙ୍କ ମୃତ୍ୟୁ ଘଟଣାକୁ ନେଇ ମହାରାଷ୍ଟ୍ରରେ ରାଜନୀତି ବି ଜୋର ଧରିଛି। ଏନ୍‌ସିପି (ଶରଦ ପାୱାର) ସାଂସଦ ସୁପ୍ରିୟା ସୁଲେ ଏହି ମାମଲାରେ ରାଜ୍ୟ ସରକାରକୁ ଘେରିଛନ୍ତି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ଦିନେ ଆମ ସହିତ କାମ କରୁଥିବା ଜଣେ ବ୍ୟକ୍ତି (ରାଜେନ୍ଦ୍ର ତୁକାରାମ ହଗୱାଣେ) ଯେ ଏମିତି କାଣ୍ଡ କରିବେ, ତାହା ବିଶ୍ୱାସ କରି ହେଉ ନାହିଁ। ଅତୀତରେ ତାଙ୍କ ବଡ଼ ବୋହୂ ମଧ୍ୟ ନିର୍ଯାତିତ ହୋଇଥିଲେ।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ରାଜେନ୍ଦ୍ର ତୁକାରାମ ହଗୱାଣେଙ୍କ ବିରୋଧରେ ଏନ୍‌ସିପି ମୁଖ୍ୟ ତଥା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶିବସେନା (ୟୁବିଟି) ନେତା ସୁଷମା ଅନ୍ଧାରେ। ରାଜେନ୍ଦ୍ର ତୁକାରାମ ହଗୱାଣେଙ୍କୁ ଦଳରୁ ଇସ୍ତଫା ଦେବା ପାଇଁ ସେ ନିର୍ଦ୍ଦେଶ ଦେବା ଉଚିତ ବୋଲି ସୁଷମା କହିଛନ୍ତି। 

NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe