ମାମୁ ଘରେ ଭଣଜାଙ୍କ ଉନ୍ମତ୍ତକାଣ୍ଡ; ଟାଙ୍ଗିଆରେ ଦୁଇ ଜଣଙ୍କୁ ହାଣିଲେ

ମାମୁ ଘରକୁ ବୁଲିବାକୁ ଆସିଥିବା ଭଣଜା ଘଟାଇଲେ ଉନ୍ମତ୍ତ କାଣ୍ଡ । ଟାଙ୍ଗିଆରେ ହାଣି ୨ଜଣଙ୍କୁ କଲେ ଲହୁଲୁହାଣ । ଏଥିସହ ଘଟଣାସ୍ଥଳକୁ ଆସିଥିବା ପୁଲିସ୍‌ ଗାଡ଼ି ଓ ଆମ୍ବୁଲାନ୍ସକୁ ବି ଭଙ୍ଗାରୁଜା କଲେ।

ଯୁବକଜଣକ ଟାଙ୍ଗିଆ ଧରି ଗାଁ ଦାଣ୍ଡରେ ବୁଲୁଛନ୍ତି।

  • Published: Thursday, 21 March 2024
  • , Updated: 21 March 2024, 02:21 PM IST

ମାମୁ ଘରକୁ ବୁଲିବାକୁ ଆସିଥିବା ଭଣଜା ଘଟାଇଲେ ଉନ୍ମତ୍ତ କାଣ୍ଡ । ଟାଙ୍ଗିଆରେ ହାଣି ୨ଜଣଙ୍କୁ କଲେ ଲହୁଲୁହାଣ । ଏଥିସହ ଘଟଣାସ୍ଥଳକୁ ଆସିଥିବା ପୁଲିସ୍‌ ଗାଡ଼ି ଓ ଆମ୍ବୁଲାନ୍ସକୁ ବି ଭଙ୍ଗାରୁଜା କଲେ। ଏପରି ଏକ ଅଭାବନୀୟ ଘଟଣଶ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା-ପଳାସପୁର ଗାଁରେ ଘଟିଛି। ସଂପୃକ୍ତ ଯୁବକଜଣକ ହେଲେ ବାସୁଦେବପୁର ଅଞ୍ଚଳର ଭୀମସେନ ନାୟକ ।

ଭୀମସେନ କିଛି ଦିନ ହେବ ମାମୁ ଘରକୁ ବୁଲିବାକୁ ଆସିଥିଲେ। ତାଙ୍କ ମାନସିକ ସ୍ଥିତି ଠିକ୍‌ ରହୁ ନ ଥିବା ଜଣାଯାଇଛି। କୌଣସି କଥାକୁ ନେଇ ଭୀମସେନ ଉତ୍ତ୍ୟକ୍ତ ହୋଇ ଯାଇଥିବା ବେଳେ ଗତକାଲି ଘଟାଇଲେ ତାଣ୍ଡବ 

ଗତକାଲି ରାତିରେ ପ୍ରାୟ ୨ଟାରେ ସେ ଟାଙ୍ଗିଆ ଧରି ଆତଙ୍କ ଖେଳାଇଥିଲେ। ଯିଏ ସାମନାକୁ ଆସୁଥିଲେ ତାକୁ ହାଣିବାକୁ ଗୋଡ଼ାଉଥିଲେ । ତାଙ୍କୁ କାବୁ କରିବାକୁ ଯାଇ ୨ଜଣଙ୍କ ଶରୀରରେ ଟାଙ୍ଗିଆ ଚୋଟ ବାଜିଛି।  

ଖବର ପାଇ ପୁଲିସ୍‌ ଗାଡ଼ି ପହଞ୍ଚିଥିବା ବେଳେ ଆହତଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ବି ଆସି ପହଞ୍ଚିଥିଲା। ଏହାଦେଖି ଉତ୍ତ୍ୟକ୍ତ ହୋଇ ଯାଇଥିବା ଭୀମସେନ ଆମ୍ବୁଲାନ୍ସ ଓ ପୁଲିସ୍‌ ଗାଡ଼ି କାଚ ଭଙ୍ଗାରୁଜା କରିଥିଲେ । ବହୁ କଷ୍ଟରେ ପୁଲିସ୍‌ ଭୀମସେନଙ୍କୁ କାବୁ କରି ଥାନାକୁ ନେଇଛି। ପଚରାଉଚରା ପରେ ସେ ଜଣେ ମାନସିକ ରୋଗୀ ବୋଲି ପୁଲିସ କହିଛି । 

ଏନେଇ ଚାନ୍ଦବାଲି ଆଇଆଇସି କହିଛନ୍ତି, ଭୀମସେନଙ୍କର ମାନସିକ ସମସ୍ୟା ରହିଛି। କୌଣସି କଥାକୁ ନେଇ ଉତ୍ତ୍ୟକ୍ତ ହୋଇଯିବାରୁ ସେ ଭାରସାମ୍ୟ ହରାଇ ଉନ୍ମତ୍ତ କାଣ୍ଡ ଘଟାଇଥିଲେ । ସେ ଦୁଇ ଜଣ ଲୋକଙ୍କୁ ଆକ୍ରମଣ କରିବା ସହ ୧୦୮ ଆମ୍ବୁଲାନ୍ସ ଓ ପୁଲିସ୍‌ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ତାଙ୍କୁ ବହୁ କଷ୍ଟରେ କାବୁ କରି ପୁଲିସ୍‌ ଥାନାକୁ ଆଣିଛି। 

Related story