/odisha-reporter/media/post_attachments/uploadimage/library/16_9/16_9_0/IMAGE_1706188167.jpg)
Baby
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଶିଶୁ ପୁତ୍ରକୁ ଜଳେଶ୍ୱର ଅଞ୍ଚଳରୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ପୁଲିସ ଜଣେ ମହିଳାଙ୍କ ସମେତ ଆଶା କର୍ମୀଙ୍କୁ ଅଟକ ରଖିଛି। ଉଦ୍ଧାର ହୋଇଥିବା ଶିଶୁପୁତ୍ରକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରସୂତି ବିଭାଗରୁ ଶିଶୁକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା।
ଗତ ୭ ତାରିଖରେ ବାଲିଆପାଳ କୁଲାଚଡ ଗାଁର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନିତା ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଅନିତାଙ୍କ ସହ ତାଙ୍କ ଶାଶୁ ଓ ଆଶା କର୍ମୀ ଆସିଥିଲେ। ଡାକ୍ତରଖାନାରେ ଜଣେ ଅଜଣା ମହିଳା ଆସି ପିଲାଟିକୁ ଧରାଧରି କରିବା ସହ ଆଶା କର୍ମୀ ସହ କଥା ହୁଅନ୍ତି।
୮ ତାରିଖ ସକାଳେ ଅନିତା ଶାଶୁ ଓ ଆଶା କର୍ମୀ ନଥିବା ଉକ୍ତ ଅଜଣା ମହିଳା ଜଣଙ୍କ ପୋଲିଓ ଦେବା ବାହାନାରେ ଆସି ଶିଶୁପୁତ୍ରକୁ ନେଇଯାଇଥିଲା। ପରେ ପିଲାଟିକୁ ନେଇ ଚମ୍ପଟ ମାରିଥିଲା। ପୁଅ ଫେରିବା ବିଳମ୍ବ ହେବାରୁ ଅନିତା ବ୍ୟସ୍ତ ହୋଇପଡ଼ିଥିଲା। ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।
ଏନେଇ ଶିଶୁଟିର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନବଜାତ ଶିଶୁପୁତ୍ରକୁ ଖୋଜାଖୋଜି କରିବା ପାଇଁ ଖୋଳତାଡ଼ ଆରମ୍ଭ କରିଥିଲା। ଗତକାଲି ବିଳମ୍ବିତ ରାତିରେ ପୁଲିସ ଜଳେଶ୍ୱର ଅଞ୍ଚଳରୁ ଜଣେ ମହିଳା ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା। ନବଜାତର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରିବା ସହ ଉକ୍ତ ମହିଳା ଓ ଆଶାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
