Advertisment

ଝିଅକୁ କନିଆ ବେଶରେ ବିଦା କରିଥିଲେ, ୪ ମାସ ପରେ ଫେରି ପାଇଲେ ମୃତଦେହ

ବିବାହର ଅଳ୍ପ ଦିନ ପରେ ନୂଆ ସଂସାରରେ ଦେଖାଦେଲା ଝଡ଼ । ଆଉ ଶେଷରେ ପରିବାର ଲୋକେ ପାଇଲେ ନିଜ ଝିଅ ମୃତ୍ୟୁର ଖବର ।

author-image
Niharika Rout
Newly Married Couple

Newly Married Couple

ମାତ୍ର ୪ ମାସ ତଳେ ମନରେ ଅସୁମାରୀ ସ୍ୱପ୍ନ ନେଇ ଶାଶୁ ଘରେ ପାଦ ଥାପିଥିଲେ। ଯେତେ ଝଡ଼ଝଞ୍ଜା ଆସିଲେ ବି ସ୍ୱାମୀ ହାତ ଧରି ବାଟ ଚାଲିବାକୁ ମନେ ମନେ ଭାବିଥିଲେ। ମାତ୍ର ବିବାହର ଅଳ୍ପ ଦିନ ପରେ ନୂଆ ସଂସାରରେ ଦେଖାଦେଲା ଝଡ଼ । ଆଉ ଶେଷରେ ପରିବାର ଲୋକେ ପାଇଲେ ନିଜ ଝିଅ ମୃତ୍ୟୁର ଖବର । କିଛି ମାସ ପୂର୍ବେ ଯାହାକୁ କନିଆ ବେଶରେ ବିଦା କରିଥିଲେ, ଏବେ ତା’ ମୃତଦେହ ଦେଖି ବୁକୁ ଫଟାଇ କାନ୍ଦୁଛନ୍ତି।

Advertisment

ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟିଛି। ଜ୍ୱାଇଁ ହିଁ ଝିଅକୁ ମାରିଥିବା ସନ୍ଦେହ କରି ଶ୍ୱଶୁର ତାଙ୍କୁ ମାରପିଟ କରିଥିବା ବେଳେ ଉଭୟ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ମୃତା ନବବଧୂ ହେଲେ ରାଜଗାଙ୍ଗପୁର ଅଞ୍ଚଳର ରଇନ୍ଦ୍ର ଶେଖର ଦେଓଙ୍କ ଝିଅ ମାନି । ସେ ୪ ମାସ ପୂର୍ବେ ବଣାଇ ଥାନା ଅଧୀନ ସିଂ ଟୋଲା ବସ୍ତିରେ ରହୁଥିବା ଅମିତ ସିଂଙ୍କୁ ବିବାହ କରିଥିଲେ।

Advertisment

ବିବାହ ପରେ ଶାଶୁ ଘର ଲୋକଙ୍କ ସମେତ ସ୍ୱାମୀ, ନଣନ୍ଦମାନେ ବି ଆମ ଝିଅକୁ ନିର୍ଯାତନା ଦେଉଥିଲେ। ଏନେଇ ଝିଅ ଆମକୁ କହୁଥିବା ବେଳେ ସବୁ କିଛି ଠିକ୍‌ ହୋଇଯିବ ବୋଲି କହୁଥିଲୁ। ମାତ୍ର ସେମାନେ ଆମ ଝିଅକୁ ଜବରଦସ୍ତି କିଛି ଖୁଆଇ ମାରି ଦେଇଛନ୍ତି। ଏନେଇ ଆମକୁ ଖବର ବି ଦେଇ ନ ଥିଲେ। ଆମେ ଖବର ପାଇ ମେଡିକାଲରେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଲୁ ବୋଲି କୋହଭରା କଣ୍ଠରେ କହିଛନ୍ତି ମାନିଙ୍କ ମା’ ।

ଏହାକୁ କେନ୍ଦ୍ର କରି ହସ୍ପିଟାଲରେ ମାନିଙ୍କ ସ୍ୱାମୀ ଓ ବାପା ହାତାହାତି ହୋଇଥିଲେ। ଫଳରେ ଉଭୟ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।ନିଜ ଶ୍ୱଶୁର ଘର ସଦସ୍ୟଙ୍କ ଅଭିଯୋଗକୁ ଅମିତ ସିଂ ଖଣ୍ଡନ କରି କହିଛନ୍ତି, ମାନି ବିଷ ପିଇ ଦେଇଥିବା ବେଳେ ଆମେ ତାକୁ ଡାକ୍ତରଖାନା ଆଣିଥିଲୁ। ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମାତ୍ର ଶ୍ୱଶୁର ଘର ଲୋକେ କିଛି ନ ବୁଝି ଆମକୁ ଆକ୍ରମଣ କରିଛନ୍ତି।

ଝିଅକୁ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ମାନିଙ୍କ ପରିବାର ଲୋକେ ବଣାଇ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

Sundargarh Dowery Death Torture;