Advertisment

ପୁଲିସ ବିଭାଗରେ କାର୍ଯ୍ୟାନୁଷ୍ଠାନ ଶୂନ, ଆଇନଶୃଙ୍ଖଳା ପରିସ୍ଥିତିର ନିୟମିତ ସମୀକ୍ଷା ନାହିଁ

ଅକ୍ଟୋବର ୨ରେ ଭୁବନେଶ୍ୱରରେ ଗଣଦୁଷ୍କର୍ମ ଅଭିଯୋଗ, ଅକ୍ଟୋବର ୨୦ରେ ନୟାଗଡ଼ ଗଣଦୁଷ୍କର୍ମ, ନଭେମ୍ବର ୪ରେ କଟକ ବାଦାମବାଡ଼ି ଗଣଦୁଷ୍କର୍ମ,ଜୁନ୍ ୧୫ରେ ଗୋପାଳପୁର ଗଣଦୁଷ୍କର୍ମ, ଜୁନ୍ ୧୬ରେ କେନ୍ଦୁଝର ଗଣଦୁଷ୍କର୍ମ ଅଭିଯୋଗ ଘଟଣା ଗୁଡ଼ିକ ପାଇଁ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଛି।

author-image
Debendra Prusty
ଅଦ୍ୟତନ ହୋଇଛି
Odisha Police

Odisha Police

ରାଜ୍ୟରେ ମହିଳା ବିରୋଧୀ ହିଂସା ଘଟଣାକୁ ନେଇ ରାଜନୀତିକ ଦଳଗୁଡ଼ିକର ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଆମେରିକା ସରକାରଙ୍କ ଆଡ଼ଭାଇଜରି ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛି। ରାଜ୍ୟରେ ବିଗତ ବର୍ଷଗୁଡ଼ିକ ତୁଳନାରେ ଏବେ ବିଭିନ୍ନ ଧରଣର ଅପରାଧିକ ମାମଲା ଅପେକ୍ଷାକୃତ କମ୍ ରହିଛି ବୋଲି ତଥ୍ୟଗତ ପ୍ରମାଣ ଶାସକ ବିଜେପି ଉପସ୍ଥାପିତ କରୁଥିବାବେଳେ ବିରୋଧୀ କଂଗ୍ରେସ ଓ ବିଜେଡି କ୍ରମାଗତ ଭାବେ ସରକାରଙ୍କ ବିଫଳତା ଆଡ଼କୁ ଅଙ୍ଗୁଳି ଉଠାଇବାରେ ଲାଗିଛନ୍ତି। ତେବେ ବିଗତ କିଛି ମାସ ଧରି ରାଜ୍ୟରେ ପୁଲିସର ଆଚରଣ ଓ ବିଫଳତା ପାଇଁ ସରକାରଙ୍କୁ ବଦନାମ ହେବାକୁ ପଡ଼ିଥିବା ଜଣାପଡ଼ିଛି। ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ହେଉ ଅବା କେନ୍ଦୁଝରରେ ଯୁବତୀଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ହେଉ ସେଥିରେ ପୁଲିସ ସଫଳ ହୋଇନାହିଁ। ରାଜ୍ୟସ୍ତରରେ ଆଇନଶୃଙ୍ଖଳା ପରିସ୍ଥିତିର ନିୟମିତ ସମୀକ୍ଷା ହେଉନାହିଁ କିମ୍ବା ମହିଳା ସୁରକ୍ଷା ଏଜେଣ୍ଡାକୁ ନେଇ ‘ରାଜ୍ୟସ୍ତରୀୟ ପୁଲିସ ସମ୍ମିଳନୀ’ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନଥିବା ଜଣାପଡ଼ିଛି। ପୁଲିସ ବିରୁଦ୍ଧରେ ପୁଳାପୁଳା ଅନିୟମିତତା ଅଭିଯୋଗ ଆସୁଥିଲେ ମଧ୍ୟ ତା’ର ତଦନ୍ତ ମଧ୍ୟ ହେଉନାହିଁ। ପୁଲିସ ଓ ଗୃହ ବିଭାଗର ଅବହେଳା ଓ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନର ଅଭାବ ଯୋଗୁ ମୋହନ ସରକାରଙ୍କୁ ବିଭିନ୍ନ ମହଲରେ ସମାଲୋଚିତ ହେବାକୁ ପଡ଼ୁଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ଏପଟେ ମହିଳା ହିଂସା ଘଟଣା ବୃଦ୍ଧି ପ୍ରତିବାଦ ବିଜେଡି ଆସନ୍ତା ୨୫ତାରିଖରେ ରାଜ୍ୟବ୍ୟାପୀ କଲେଜଗୁଡ଼ିକରେ ଶ୍ରେଣୀବର୍ଜନ,କଳା ବ୍ୟାଜ୍ ପରିଧାନ ଓ ପିକେଟିଂ କରିବ ବୋଲି ଘୋଷଣା କରିଛି ।

Advertisment

ସନ୍ଦେହରେ ପୁଲିସ ଓ ଗୃହ ବିଭାଗର ଭୂମିକା

ରାଜ୍ୟରେ ମୋହନ ମାଝୀଙ୍କ ସରକାର କ୍ଷମତାକୁ ଆସିବା ପରେ ଅଗଷ୍ଟ ୧୬ ତାରିଖରେ ନୂଆ ପୁଲିସ ଡିଜି ଭାବେ ୱାଇବି ଖୁରାନିଆ ଓ ଅଗଷ୍ଟ ୨୨ରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ସତ୍ୟବ୍ରତ ସାହୁ ନିଯୁକ୍ତି ପାଇଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ମହିଳାଙ୍କ ବିରୁଦ୍ଧରେ ହିଂସା’କୁ ନେଇ ତାଙ୍କ ସରକାର ‘ଜିରୋ ଟଲେରାନ୍ସ’ ନୀତି ଆପଣାଇଥିବା ସ୍ପଷ୍ଟ କରିବା ସହ ତୁରନ୍ତ ମହିଳା ସୁରକ୍ଷା ଏଜେଣ୍ଡାକୁ ନେଇ ରାଜ୍ୟସ୍ତରୀୟ ପୁଲିସ ସମ୍ମିଳନୀ ଆୟୋଜନ ପାଇଁ ୨୦୨୪ ଅଗଷ୍ଟ ୩୧ରେ ଉଭୟ ପୁଲିସ ଡିଜି ଓ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଲେ। ମାତ୍ର ଏହି ସମ୍ମିଳନୀ ତ ହେଲାନି କିମ୍ବା ରାଜ୍ୟର ଆଭ୍ୟନ୍ତରୀଣ ଆଇନଶୃଙ୍ଖଳା ପରିସ୍ଥିତି (ବିଶେଷକରି ମହିଳା ହିଂସା)କୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇନଥିବା ଜଣାପଡ଼ିଛି।

ନୂଆ ସରକାର ଶପଥ ନେବାର ୩ ଦିନ ପରେ ୨୦୨୪ ଜୁନ୍ ୧୫ତାରିଖରେ ତତକାଳୀନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଓ ବରିଷ୍ଠ ଅଧିକାରୀମାନେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଅବଗତ କରିଥିଲେ। ଏପରିକି କୋଲକାତାସ୍ଥିତ ଆରଜି କର ହସ୍ପିଟାଲରେ ଦୁଷ୍କର୍ମ ଘଟଣାକୁ ନେଇ ରାଷ୍ଟ୍ରପତି କ୍ଷୋଭ ବ୍ୟକ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁଲିସ ସମ୍ମିଳନୀ କରି ମହିଳା ସୁରକ୍ଷା ଏଜେଣ୍ଡା ଉପରେ ବିଚାରବିମର୍ଶ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନୁରୂପ ଭାବେ ୨୦୨୪ ସେପ୍ଟେମ୍ବର ୨୮ରେ ଜିଲ୍ଲାପାଳ-ପୁଲିସ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟରେ ମହିଳା ହିଂସା, ଦୋଷୀସାବ୍ୟସ୍ତ ହାର ଉତ୍ସାହଜନକ ନଥିବା ଆଦିକୁ ନେଇ ନିଜର ଉଦବେଗ ଜଣାଇଥିଲେ। ମାତ୍ର ଏହା ସତ୍ତ୍ୱେ ପୁଲିସ ସ୍ତରରେ ତତ୍ପରତା ପ୍ରକାଶ ପାଇଲା ନାହିଁ କମ୍ବା ଜିଲ୍ଲା ଏସପି-ରେଞ୍ଜ ଡିଆଇଜି/ଆଇଜିମାନଙ୍କୁ ‘ମହିଳା ହିଂସା’ ଉପରେ ଲଗାମ ନିମନ୍ତେ ଆଖିଦୃଶିଆ ପଦକ୍ଷେପ ନେବାକୁ ତାଗିଦ୍ ମଧ୍ୟ କରାଗଲାନି। ବରିଷ୍ଠ ପୁଲିସ ଅଫିସରମାନଙ୍କ ବାର୍ଷିକ ସମ୍ମିଳନୀ ମଧ୍ୟ ଆୟୋଜନ କରାଯାଇନଥିବା ଜଣାପଡ଼ିଛି। ଯଦିଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୦୨୫ ଜାନୁୟାରୀ ୧୯ରେ ସାଇବର ସୁରକ୍ଷା, ଟ୍ରାଫିକ ସମସ୍ୟା, ଟୁଇନସିଟି ଅପରାଧ ନିୟନ୍ତ୍ରଣ, ଗଞ୍ଜେଇ ଚାଷ ଆଦି ସହ ପୁଲିସରେ ନିଯୁକ୍ତି ପ୍ରସଙ୍ଗରେ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ।

Advertisment

ସେହିପରି ରାଜ୍ୟରେ ୩ଟି ନୂଆ ଅପରାଧିକ ଆଇନ(ବିଏନଏସ)ର କାର୍ଯ୍ୟକାରିତା ପାଇଁ ମେ’ ୮ରେ ଏବଂ ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସୁରକ୍ଷା ପ୍ରସ୍ତୁତିର ମେ’ ୧୦ରେ ସମୀକ୍ଷା କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଆଇନଶୃଙ୍ଖଳା ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ନିମନ୍ତେ ଗୃହ ସଚିବ କିମ୍ବା ପୁଲିସ ଡିଜି ପଦକ୍ଷେପ ନେଇନଥିବା ଜଣାପଡ଼ିଛି। ଅବଶ୍ୟ କେନ୍ଦ୍ର ସରକାରଙ୍କଠୁ ସାବାସି ପାଇବାକୁ ପୁଲିସ ଡିଜି ଓ ଗୃହ ସଚିବ ନିଜ ନିଜସ୍ତରରେ ରାଜ୍ୟରେ ନୂଆ ‘୩ଟି ଅପରାଧିକ ଆଇନ’କୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ନିମନ୍ତେ ନିୟମିତ ପ୍ରତିଯୋଗିତାମୂଳକ ବୈଠକ କରିବାରେ ଲାଗିଥିବା ସୂଚନା ମିଳିଛି। ଏପରିକି ପୁଲିସ ବିଭାଗରେ ବ୍ୟାପକ ଅନିୟମିତତା(ଡ୍ରୋନ୍ କିଣା ଓ ଇଆରଏସଏସ୍ ଗାଡ଼ି ଭଡ଼ାରେ ଆଣିବା)ର ଅଭିଯୋଗ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ତା’ର ଖୋଳତାଡ଼ ବି ହେଉନାହିଁ।

ପୁଲିସର ଆଚରଣ ଓ ବିଫଳତା, କାର୍ଯ୍ୟାନୁଷ୍ଠାନ ଶୂନ

ପୁଲିସର ଆଚରଣ ଓ ବିଫଳତା ଯୋଗୁ ରାଜ୍ୟରେ ହିଂସାତ୍ମକ ତଥା ଅପରାଧ ଘଟଣା ନିୟମିତ ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରୁଛି। ରାଜ୍ୟ ସରକାରଙ୍କୁ ନିନ୍ଦିତ ଓ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ତଥାପି ଆଚରଣ ଓ ବିଫଳତା ପାଇଁ କାର୍ଯ୍ୟାନୁଷ୍ଠାନ ସମ୍ଭବପର ହେଉନି। ଗୋପାଳପୁର ବେଳାଭୂମିରେ ସନ୍ଧ୍ୟା ୭ଟାରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଗଲା। ପର୍ଯଟନସ୍ଥଳୀରେ ପୁଲିସର କଡ଼ା ପାଟ୍ରୋଲିଂ ଥିଲେ ଏହି ଅଭାବନୀୟ ଘଟଣା ଏଡ଼ାଇ ଯାଇ ହୋଇଥାନ୍ତା। ପୁଲିସ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରିଥିବା ଓ ତଦନ୍ତ କ୍ରାଇମବ୍ରାଂଚ କରୁଥିଲେ ମଧ୍ୟ କାହିଁକି ଏଭଳି ଘଟଣା ହେଲା ସେଥିପାଇଁ କେହି ଉତ୍ତରଦାୟିତ୍ୱ ମୁଣ୍ଡାଇଲେ ନାହିଁ। ସ୍ଥାନୀୟ ଥାନା ଆଇଆଇସି ଓ ପୁଲିସ ଏସପିଙ୍କୁ ଉତ୍ତରଦାୟୀ ମଧ୍ୟ କରାଗଲାନି କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଗଲାନି। ସେହିପରି ଅକ୍ଟୋବର ୨ରେ ଭୁବନେଶ୍ୱରରେ ଗଣଦୁଷ୍କର୍ମ ଅଭିଯୋଗ, ଅକ୍ଟୋବର ୨୦ରେ ନୟାଗଡ଼ ଗଣଦୁଷ୍କର୍ମ, ନଭେମ୍ବର ୪ରେ କଟକ ବାଦାମବାଡ଼ି ଗଣଦୁଷ୍କର୍ମ,ଜୁନ୍ ୧୫ରେ ଗୋପାଳପୁର ଗଣଦୁଷ୍କର୍ମ, ଜୁନ୍ ୧୬ରେ କେନ୍ଦୁଝର ଗଣଦୁଷ୍କର୍ମ ଅଭିଯୋଗ ଘଟଣା ଗୁଡ଼ିକ ପାଇଁ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ଏହି ସମସ୍ତ ଘଟଣାରେ ପୁଲିସ ଯଦିଓ ଅପରାଧୀମାନଙ୍କୁ ଗିରଫ କରିଥିବା ଦାବି କରୁଛି କିନ୍ତୁ ସେମାନଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର କୋର୍ଟରେ ମାମଲାର ତ୍ୱରିତ୍ ଶୁଣାଣି ଓ ଦଣ୍ଡବିଧାନ ଦିଗରେ ଆଖିଦୃଶିଆ ପଦକ୍ଷେପ ନେଇନଥିବା ଜଣାପଡ଼ିଛି।

କେବଳ ସେତିକି ନୁହେଁ, ଜଗତସିଂହପୁର ଜିଲ୍ଲାରେ ଜଣେ ଥାନା ଆଇଆଇସି ନିଜ ଅଫିସ୍ ଚାମ୍ବରରେ ଦୁଇଜଣ ଅପରାଧୀଙ୍କ ସହ ଜନ୍ମଦିନ କେକ୍ କାଟିବା ଘଟଣା ହେଉ ଅବା ଜଳେଶ୍ୱର ଥାନାରେ ଜଣେ ବ୍ୟକ୍ତିଙ୍କୁ ବାଇକ୍ ଚୋରି ଅପରାଧରେ ଉଠାଇଆଣି ଗୋଡ଼ରେ ବେଡ଼ି ପକାଇ ରଖିବା(ରେକର୍ଡରେ ଗିରଫ ନଦେଖାଇ) ଭଳି ବିଶୃଙ୍ଖଳିତ ଘଟଣାରେ ମଧ୍ୟ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ଉଚିତ୍ ମଣିନାହିଁ।

ପରିସଂଖ୍ୟାନକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ବିରୋଧୀ ଅସହିଷ୍ଣୁ ହୋଇ ଔଷଧ ରାଗରେ ତାଟିଆ କାମୁଡ଼ୁଛନ୍ତି। ସେମାନେ ବର୍ଷକର ବିକାଶକୁ ସହିନପାରୁନାହାନ୍ତି। ଅପରାଧର ଜାତି, ଧର୍ମ, ବର୍ଣ୍ଣ ନାହିଁ। ଆଇନ ତା ରାସ୍ତାରେ ଯିବ। ସବୁ ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ତାଙ୍କ କାର୍ଯ୍ୟକାଳରେ ଯାହା ହୋଇଛି ଲୋକେ ସ୍ପଷ୍ଟ ଦିବାଲୋକରେ ଦେଖିଛନ୍ତି। ସତ୍ୟର ସହ କାର୍ଯ୍ୟାନୁଷ୍ଠାନ ଲୋକ ବର୍ଷକରେ ଦେଖିସାରିଲେଣି ବୋଲି ସେ କହିଛନ୍ତି।’ ସେହିପରି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ‘ଏ ସରକାରରେ ମହିଳାମାନେ ସବୁଠୁ ବେଶୀ ଅବହେଳିତ ହେଉଛନ୍ତି। ଦୁଷ୍କର୍ମ ବଢ଼ୁଛି, ୧୫ ଦିନ ଭିତରେ ଗୋପାଳପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ଦୁଷ୍କର୍ମ ହୋଇଛି, ହତ୍ୟା ହୋଇଛି। ସରକାର ନିରବଦ୍ରଷ୍ଟା ସାଜିଛନ୍ତି।’ ସେହିପରି ପିସିସି ସଭାପତି ଭକ୍ତ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ‘ରାଜ୍ୟରେ ମହିଳମାନଙ୍କ ସୁରକ୍ଷା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି। ପୂର୍ବ ସରକାର ସମୟରେ ଦିନକୁ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିଲେ, ଏବେ ତାହା ବିପଦଜନକ ଭାବେ ବୃଦ୍ଧି ପାଇ ୧୫ ଜଣରେ ପହଂଚିଲାଣି।’

ତେବେ ଗୃହ ବିଭାଗର ତଥ୍ୟ ଅନୁସାରେ, ମୋହନ ସରକାର ସମୟରେ ଅର୍ଥାତ୍ ୨୦୨୪ ଜୁନ୍ ୧ରୁ ୨୦୨୫ ଏପ୍ରିଲ ୩୦ ତାରିଖ ମଧ୍ୟରେ ମୋଟ ୨୨୮୮ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଯାହାକି ବିଗତ ବର୍ଷର ସମାନ ଅବଧି (୨୦୨୩ ଜୁନ ୧ରୁ ୨୦୨୪ ଏପ୍ରିଲ ୩୦ ସୁଦ୍ଧା)ରେ ୨୩୪୯ ଥିଲା। ଅର୍ଥାତ୍ ୨.୬ ପ୍ରତିଶତ ଦୁଷ୍କର୍ମ ମାମଲା ହ୍ରାସ ପାଇଛି। ସେହିପରି ମହିଳା ଚୋରାଚାଲାଣ ମାମଲାରେ ୨୪.୩% ହ୍ରାସ, ମହିଳାଙ୍କ ପିଛା କରିବାରେ ୧୫.୭%, ଯୌନ ନିର୍ଯାତନରେ ୧୨.୪% ହାସ ଓ ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ୨.୭% ହ୍ରାସ ପାଇଛି। ତେବେ ମହିଳାଙ୍କୁ ଅପହରଣର ମାମଲାରେ ୧୧.୧ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି।

୨୫ରେ ରାଜ୍ୟବ୍ୟାପୀ କଲେଜ ଓ ୟୁନିର୍ଭସିଟିରେ ପ୍ରତିବାଦ କରିବ ବିଜେଡି

ରାଜ୍ୟରେ ଦୁଷ୍କର୍ମ ମାମଲା ବଢ଼ୁଥିବାର ଅଭିଯୋଗ କରି ଆସନ୍ତା ୨୫ ତାରିଖରେ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡି ଅଲଓଡ଼ିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ୍ କରିବ ବୋଲି କହିଛି । ବିଜେଡି ବିଧାୟକ ତଥା ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ନାରୀ ସୁରକ୍ଷିତ ନୁହଁନ୍ତି। ବିଗତ ବର୍ଷରେ ୩ ହଜାର ଦୁଷ୍କର୍ମ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ଯେଉଁଥିପାଇଁ ଆସନ୍ତା ୨୫ ତାରିଖରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବେ। ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବେ। କଳାବ୍ୟାଜ୍ ପରିଧାନ କରି ପିକେଟିଂ କରିବେ। 

Odisha Police BjD Bjp Congress Mohan Majhi