ହରିଆଣାର ନୁହ୍ ସାଂପ୍ରଦାୟିକ ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଥିବା ତଥାକଥିତ ଗୋ ରକ୍ଷାକାରୀ ବିଟ୍ଟୁ ବଜରଙ୍ଗୀ ଠାରୁ ଦୂରତା ଅବଲମ୍ବନ କରିଛି ବିଶ୍ୱ ହିନ୍ଦୁ ପରିଷଦ। ବିଟ୍ଟୁ ସହ ସଂଗଠନର କୌଣସି ପ୍ରକାରର ଲିଙ୍କ ନଥିବା ଭିଏଚପି ସଫେଇ ଦେଇଛି।
ଏହି ଦକ୍ଷିଣପନ୍ଥୀ ସଂଗଠନ ଗୋଟିଏ ବିବୃତିରେ କହିଛି ଯେ “ରାଜ କୁମାର ଓରଫ ବିଟ୍ଟୁ ବଜରଙ୍ଗୀକୁ ବଜରଙ୍ଗ ଦଳର କର୍ମକର୍ତ୍ତା ଭାବେ ଚତ୍ରଣ କରାଯାଉଛି। କିନ୍ତୁ ଉକ୍ତ ବ୍ୟକ୍ତର ସମ୍ପର୍କ ବଜରଙ୍ଗ ଦଳ ସହ ନାହିଁ। ସେ ଜାରି କରିଥିବା ଭିଡିଓର ବିଷୟବସ୍ତୁ ସହ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ଏକମତ ନୁହେଁ। ଉକ୍ତ ଭିଡିଓକୁ ସଂଗଠନ ଠିକ ନୁହେଁ ବୋଲି କହିବାକୁ ଚାହୁଁଛି।” ଭିଏଚ୍ପିର ଯୁବ ସଂଗଠନ ହେଉଛି ବଜରଙ୍ଗ ଦଳ।
ଜୁଲାଇ ୩୧ ନୁହ ହିଂସାକାଣ୍ଡ ଘଟଣାରେ ପୁଲିସ୍ ବଜରଙ୍ଗୀକୁ ମଙ୍ଗଳବାର ଗିରଫ କରିଥିଲା। ଏସ୍ପି ଉଷା କୁଣ୍ଡୁଙ୍କ ଅଭିଯୋଗକ୍ରମେ ବଜରଙ୍ଗୀ ଓ ଆଉ ୧୫ରୁ ୨୦ ଜଣଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା। ବଜରଙ୍ଗୀକୁ ଜେରା କରାଯିବା ପରେ ପୁଲିସ ମଙ୍ଗଳବାର ତାକୁ ଗିରଫ କରିଥିଲା।
ପୁଲିସ୍ କହିଛି ଯେ ବଜରଙ୍ଗୀ ହେଉଛି ଗୋରକ୍ଷା ବଜରଙ୍ଗ ଫୋର୍ସ ନାମକ ଗୋଟିଏ ସଂସ୍ଥାର ସଭାପତି। ଫରିଦାବାଦରୁ ତାଉରୁ କ୍ରାଇମ ଇନଭେଷ୍ଟିଗେସନ ଏଜେନ୍ସି ତାକୁ ଧରିବା ପରେ ଜେରା ଆରମ୍ଭ କରିଥିଲା। ହିଂସାରେ ତା’ର ଭୂମିକା ଥିବା ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଛି।
ବଜରଙ୍ଗୀ ନାଁରେ ଆଇପିସିର ଧାରା ୧୪୮, ୩୩୨, ୩୫୩, ୧୮୬, ୩୯୫, ୩୯୭ ଓ ୫୦୬ ସମେତ ଆର୍ମସ ଆକ୍ଟରେ ମାମଲା କରାଯାଇଛି। ବଜରଙ୍ଗୀ ଓ ତା’ର ସମର୍ଥକମାନେ ବେଆଇନ ଅସ୍ତ୍ରଶସ୍ତ୍ର ଧରି ଭିଏଚ୍ପିର ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଏହି ଶୋଭାଯାତ୍ରା ଉପରେ ଜୁଲାଇ ୩୧ରେ ଆକ୍ରମଣ ହୋଇଥିଲା। ଏହାପରେ ସଂଘର୍ଷ ଦେଖାଯାଇଥିଲା। ଏଥିରେ ୨ ଜଣ ଗୃହରକ୍ଷୀ, ଜଣେ ମୌଲବୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ନୁହ ସମେତ ଆଖପାଖ ଅଞ୍ଚଳରେ ସାଂପ୍ରଦାୟିକ ସଂଘର୍ଷ ଦେଖିବାକୁ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।