କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲରୁ ବଳପୂର୍ବକ ବିବାଦ ଥମିବାର ନାଁ ଧରୁନି । ସ୍ଥାନୀୟ ଛାତ୍ର ସଂଗଠନ ଓ ଅନ୍ୟାନ୍ୟ ସଂଗଠନ ସମେତ ରାଜନୀତିକ ଦଳଗୁଡ଼ିକ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବାରେ ଲାଗିଛନ୍ତି । ଯେଉଁଥିପାଇଁ ରାଜ୍ୟ ସରକାର ଏବେ ଅଚ୍ୟୁତଙ୍କୁ ନୋଟିସ୍ ପଠାଇ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଅଚ୍ୟୁତଙ୍କୁ ଯେଉଁ ଦସ୍ତାବିଜ ଦାଖଲ କରିବାକୁ କୁହାଯାଇଛି ତାହା କେବଳ ନେପାଳୀ ଛାତ୍ରୀ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ହୋଇଥିବା ଅଭାବନୀୟ ଘଟଣା ସଂକ୍ରାନ୍ତୀୟ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଅଚ୍ୟୁତ ନିଜର ପ୍ରଭାବବଳରେ ବ୍ୟାକଡୋରରେ ମାମଲାକୁ ଶାନ୍ତ ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ସ୍ଥାନୀୟ ସଂଗଠନ ଓ ଶାସକ ବିଜେପି ସମେତ କିଛି ବିଧାୟକମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଅଚ୍ୟୁତଙ୍କୁ ହାଜର ହେବାକୁ ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି ।
ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଅଚ୍ୟୁତଙ୍କୁ ନୋଟିସ୍ ଜାରି ହୋଇଛି । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ଏହି ନୋଟିସ୍ ପଠାଇ ୨୧ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ ଅତିଥିଭବନର ନୂଆ କୋଠାରେ ଥିବା ମିନି କନଫରେନ୍ସ ହଲରେ ଉଚ୍ଚସ୍ତରୀୟ କମିଟିଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କୁ ଆବଶ୍ୟକ ଦସ୍ତାବିଜ ଓ ତଥ୍ୟପ୍ରମାଣ ସହ ଆସିବାକୁ କୁହାଯାଇଛି । ଗୁରୁବାର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅଚ୍ୟୁତଙ୍କୁ ଦିଆଯାଇଥିବା ନୋଟିସ ଏବେ ସାର୍ବଜନୀନ ହୋଇଛି । ମାତ୍ର ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୧୮ତାରିଖରେ ଗଠିତ ହୋଇଥିବା ୩ଜଣିଆ ସଦସ୍ୟ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି କେଉଁ ସବୁ ଦିଗ ଉପରେ ତଦନ୍ତ କରିବ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏପରିକି କିଟ୍ ବିଶ୍ୱବିଦ୍ୟାଳୟ ବିବାଦ ମାମଲାର ଯାଂଚ ପାଇଁ ଗଠିତ ଏହି ଉଚ୍ଚସ୍ତରୀୟ କମିଟି ନିମନ୍ତେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଫେବୃୟାରୀ ୧୮ତାରିଖରେ ଯେଉଁ ‘ଟର୍ମ ଅଫ ରେଫରେନ୍ସ’ ପ୍ରସ୍ତୁତ କରିଛି ତାହା କିଟ୍ ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନ ଉପୁଜିଥିବା ପରିସ୍ଥିତି ସହ ଜଡ଼ିତ ବୋଲି ଜଣାପଡ଼ିଛି ।
ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, କିଟ୍ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କୁ ନେପାଳୀ ଛାତ୍ରୀ ମୃତ୍ୟୁଜନିତ ଘଟଣା ପରେ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ କୁହାଯାଇଛି । ଏହାସହିତ ହଷ୍ଟେଲରେ ରହୁଥିବା ନେପାଳ ଓ ଅନ୍ୟ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା, ସେମାନଙ୍କ ପାଠପଢ଼ା ଓ ପରୀକ୍ଷା ଆଦି ସହ ବିଶେଷକରି ନେପାଳୀ ପିଲାମାନଙ୍କୁ ଫେରାଇ ଆଣିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଲିଖିତ ଭାବେ ଦର୍ଶାଇବାକୁ କୁହାଯାଇଛି । ଏହାସହିତ ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠୁ ଅଣ୍ଡରଟେକିଙ୍ଗ୍ ସରକାର ରଖିବେ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ ନେପାଳୀ ଛାତ୍ରୀମୃତ୍ୟୁ ଘଟଣା ଓ ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣା ପରେ ଶ୍ରୀ ସାମନ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନସ୍ତରରୁ ଯେଉଁ ଦାବି ହେଉଛି ତାକୁ ପ୍ରଶମିତ କରିବା ନିମନ୍ତେ ଉଚ୍ଚସ୍ତରୀୟ କମିଟି ଏଭଳି ରଣନୀତି ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା ହେଉଛି । ଉଚ୍ଚଶିକ୍ଷା ବିଭାଗ ଗୁରୁବାର ଅଚ୍ୟୁତଙ୍କୁ ଜାରି କରିଥିବା ନୋଟିସ୍ ସାର୍ବଜନୀନ ହୋଇଥିଲେ ମଧ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ନିମନ୍ତେ କେଉଁ ‘ଟର୍ମ ଅଫ ରେଫରେନ୍ସ’ ପ୍ରସ୍ତୁତ ହୋଇଛି ତାକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ ।
ଉଲ୍ଲେଖଯୋଗ୍ୟ, ଶ୍ରୀ ସାମନ୍ତଙ୍କର କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ବହୁ କେଳେଙ୍କାରୀ ସହ ଜଡ଼ିତ ଓ ଅଚ୍ୟୁତ ନିଜର ପ୍ରଭାବ ବଳରେ ଏସବୁ ଚପାଇ ଦେଉଛନ୍ତି ବୋଲି ସୂଚନାକର୍ମୀଙ୍କଠୁ ଆରମ୍ଭ କରି ବିଭିନ୍ନ ସଂଗଠନ ଅଭିଯୋଗ କରୁଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ କମିଟି ସେ ଦିଗ ଉପରେ ଖୋଳତାଡ଼ କରିବାର ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି ।
ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ପରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମାମଲାକୁ ରଫାଦଫା କରିବା ନିମନ୍ତେ ଭୁବନେଶ୍ୱରରୁ କାଠମାଣ୍ଡୁ ପର୍ଯ୍ୟନ୍ତ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି । ଏପରିକି କିଟ୍ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ପଦାଧିକାରୀଙ୍କୁ ମଧ୍ୟ କାଠମାଣ୍ଡୁ ପଠାଯାଇଥିବା ସୂଚନା ମିଳିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।