Advertisment

ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ; ୧୬୩ ଧାରା ଲାଗୁ

ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Tension Situation

Tension Situation

ଭଦ୍ରକ ଜିଲ୍ଲାରେ ବନ୍ଦ ହୋଇଛି ଇଣ୍ଟରନେଟ୍ ସେବା। ସୋଶାଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ସମସ୍ତ ସୋଶାଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗାଯାଇଛି। 

Advertisment

ଏଥିସହ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେହିପରି ଧାମନଗରରେ ମଧ୍ୟ ଉତ୍ତେଜନାମୂଳକ ସ୍ଥିତି ଥିବାରୁ  ବିଜ୍ଞାପିତ ଅଞ୍ଚଳ ପରିଷଦ, ଦୋବଲ ଓ ଏହାର ଆଖପାଖ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ହୋଇଛି। ଧାମନଗରରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଭଙ୍ଗ ନ ହେଲା ଭଳି କୌଣସି ମିଥ୍ୟା ଗୁଜବ ପ୍ରଚାର ନକରି ଶାନ୍ତି ବଜାଇ ରଖିବା ପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଓ ଧାମନଗର ପୁଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ଅନୁରୋଧ କରାଯାଇଛି। ସହରରେ କିଭଳି ଶାନ୍ତି ଫେରିବ ସେ ନେଇ ପୁଲିସ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ପୁଲିସ୍ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପେଟ୍ରୋଲିଂକୁ ବଢ଼ାଇଛି। ଏଥିସହ ଦୋକାନବଜାର ମଧ୍ୟ ରହିଛି। 

ସୋଶାଲ୍ ମିଡିଆରେ ଏକ ବିବାଦୀୟ ଫଟୋ ପୋଷ୍ଟକୁ ନେଇ ଗତକାଲି ଭଦ୍ରକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତକୁ ଗିରଫ ଦାବିରେ ୫୦ରୁ ଅଧିକ ଲୋକ ଶୋଭାଯାତ୍ରା କରିଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଶୋଭାଯାତ୍ରା ନକରିବା ପାଇଁ ପୁଲିସ ପକ୍ଷରୁ କୁହାଯାଇଥିଲା। ହେଲେ ସେମାନେ ରାଜି ହୋଇନଥିଲେ। ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଅଡି ବସିଥିଲେ। ଏହାକୁ ପୁଲିସ ଓ ଆନ୍ଦୋଳକାରୀଙ୍କ ମଧ୍ୟରେ ବଚସା ହୋଇଥିଲା।

Advertisment

ଏହା କ୍ରମେ ଉଗ୍ରରୂପ ନେଇଥିଲା। ପରେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ ଆନ୍ଦୋଳନକାରୀ। ଏଥିରେ ୩ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ତହସିଲଦାର ଯାଇ ପହଞ୍ଚିଥିଲେ। ଆନ୍ଦୋନକାରୀମାନେ ତହସିଲଦାରଙ୍କ ଗାଡ଼ି ବି ଭଙ୍ଗାରୁଜା କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିଚାର୍ଜ କରିଥିଲା। ଯେଉଁଥିପାଇଁ ଉତ୍ତ୍ୟକ୍ତ ଲୋକମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ସହରରେ ଶାନ୍ତି ଫେରାଇ ଆଣିବା ପାଇଁ   ଗତକାଲି ରାତିରେ ପୁରୁଣା ବଜାର ଥାନାରେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ପୁଲିସ ଡିଆଇଜି, ଭଦ୍ରକ ଏସପି ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ। ଏଥିସହ ଗତକାଲି ରାତିରେ ପୂର୍ବାଞ୍ଚଳ ଡିଆଇଜି, ଭଦ୍ରକ ଏସପି ଓ  ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଅଞ୍ଚଳ ବୁଲି ଦେଖିବା ସହ ନିଜେ ଫ୍ଲାଗମାର୍ଚ କରିଥିଲେ। ପୁଲିସ ଏହି ଘଟଣାରେ ୯ ଜଣଙ୍କ ଅଟକ ରଖିଥିବା ସୂଚନା ରହିଛି। 

ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ କହିଛନ୍ତି, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଲୋକମାନେ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। କିଏ ପୋଷ୍ଟ  କରିଛି, କେଉଁଠି କରିଛି ସାଇବର କ୍ରାଇମ ସେଲକୁ ତଦନ୍ତ ପାଇଁ ଦିଆଯାଇଛି। ସେମାନେ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି। ପାଟ୍ରୋଲିଂକୁ କଡ଼ାକଡି କରାଯାଇଛି।

ଭଦ୍ରକରେ ବସବାସ କରୁଥିବା ହିନ୍ଦୁ ଓ ମୁସଲମାନ ଭାଇଭଉଣୀମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ ବୋଲି ଡିଆଇଜି ଆବେଦନ କରିଛନ୍ତି। ଶାନ୍ତି ଶୃଙ୍ଖଳା ଅବଲମ୍ବନ କଲେ ପରିସ୍ଥିତିର ସୁଧାର ଆସିବ ବୋଲି ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି।

Bhadrak Internet Bhadrak Violence