ଓଡ଼ିଆ ପୁଅ କଲେ ୪୨୦ କାମ । ବାହାର ରାଜ୍ୟରେ ଓଡ଼ିଶାର ନାଁ ପକାଇଲେ। ନିଜ କାମ ଯୋଗୁ ସମଗ୍ର ରାଜ୍ୟକୁ ବଦନାମ କରାଇଲେ। ଏପରି ଜଣେ ଧ୍ରୂତ ଓ ଧୁରନ୍ଧର ଯୁବକ ହେଉଛନ୍ତି ସାର୍ଥକ ସଞ୍ଜୟ । ତାଙ୍କ ଘର ଓଡ଼ିଶାରେ ହୋଇଥିବା ବେଳେ ଏବେ ତାଙ୍କୁ ଖୋଜୁଛି ଉତ୍ତରପ୍ରଦେଶ ପୁଲିସ୍।
ସାର୍ଥକ ସଞ୍ଜୟ ଉତ୍ତରପ୍ରଦେଶର ବାରଣାସୀରେ ଥିବା ଏକ ପଞ୍ଚ ତାରକା ହୋଟେଲରେ ୪ ଦିନ ରହିଲେ । ଅୟସ କଲେ, ମନ ଇଚ୍ଛା ଭଳିକି ଭଳି ଆଇଟମ୍ ଖାଇଲେ। ମାତ୍ର ଶେଷରେ ଦୁଇ ଲକ୍ଷ ଟଙ୍କା ବିଲ୍ ନ ଦେଇ ଫେରାର ହୋଇଗଲେ।
ସାର୍ଥକ ସଞ୍ଜୟ ଅକ୍ଟୋବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ବାରଣାସୀରେ ଥିବା ହୋଟେଲ ତାଜ୍ ଗ୍ୟାନଜେସ୍ରେ ରହିଥିଲେ। ୪ ଦିନ ପାଇଁ ରୁମ୍ ବାବଦକୁ ୧ ଲକ୍ଷ ୭୦ ହଜାର ଟଙ୍କା ହୋଇଥିବାବେଳେ ଖାଇବା ବାବଦ ଅର୍ଥ ୩୬ ହଜାର ଟଙ୍କା । ମୋଟ୍ ବିଲ୍ ହୋଇଥିଲା ୨ ଲକ୍ଷ ୪ ହଜାର ୫୨୧ ଟଙ୍କା।
ହେଲେ ଟଙ୍କା ନ ଦେଇ ହୋଟେଲରୁ ଛୁ ମାରିଛନ୍ତି ସାର୍ଥକ ସଞ୍ଜୟ । ହୋଟେଲ କର୍ମଚାରୀ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇପାରି ନ ଥିଲେ। ଏପରିକି ତାଙ୍କ ନମ୍ବରକୁ ଯୋଗାଯୋଗ କରାଯାଇଥିବା ବେଳେ ତାହା ସୁଇଚ୍ ଅଫ୍ ଦେଖାଇଥିଲା । ରୁମ୍ରେ କିଛି କପଡା ଛାଡ଼ି ୨ ଲକ୍ଷ ଟଙ୍କା ନ ଦେଇ ଫେରାର ହୋଇଯାଇଛନ୍ତି ସାର୍ଥକ ସଞ୍ଜୟ । ଏନେଇ ହୋଟେଲ ପକ୍ଷରୁ ଥାନାରେ ଏତଲା ହୋଇଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି ।