Advertisment

ଦାଦନ ଦୁଃଖ: ୧୧ ଦିନ ତଳେ ଘରୁ ଗୋଡ଼ କାଢ଼ିଥିଲା ପୁଅ, ଫେରିଲା ମୃତଦେହ

ପୁଅ ଘରୁ ଯିବାର ମାତ୍ର ୧୧ ଦିନ ପରେ ପୁଅ ମୃତ୍ୟୁ ଖବର ପାଇ ଆଖିରୁ ଲୁହ ଗଡ଼ାଉଛନ୍ତି ବାପାମା’ ।

author-image
Niharika Rout
Sunil

Sunil

ଦାଦନ ଖଟିବାକୁ ମାତ୍ର ୧୧ ଦିନ ତଳେ ଘରୁ ପାଦ କାଢ଼ିଥିଲା ପୁଅ। ନିଜ ରୋଜଗାରରେ ପରିବାରର ବୋଝ ମୁଣ୍ଡାଇବ ବୋଲି ଭାବି ବାହାର ରାଜ୍ୟକୁ ଯାଇଥିଲା। କଅଁଳ କାନ୍ଧରେ ବଡ଼ ଦାୟିତ୍ୱ ନେବାକୁ ନିଜ ମନକୁ ଦମ୍ଭ ବି କରିଥିଲା। ମାତ୍ର ସେତକ ବି ସହିଲାନି ଦଇବ । ପୁଅ ଘରୁ ଯିବାର ମାତ୍ର ୧୧ ଦିନ ପରେ ପୁଅ ମୃତ୍ୟୁ ଖବର ପାଇ ଆଖିରୁ ଲୁହ ଗଡ଼ାଉଛନ୍ତି ବାପାମା’ । ପୁଅର ଅଚାନକ ମୃତ୍ୟୁକୁ ସେମାନେ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ତାକୁ କିଏ ମାରି ଦେଇଥିବା ପରି ସେମାନେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାର ବେଲପଡା ଥାନା ଭରୁଆମୁଣ୍ଡା ଗାଁରେ ଘଟିଛି। ମୃତକ ହେଲେ ୨୦ ବର୍ଷୀୟ ସୁନୀଲ ମହାନନ୍ଦ ।

Advertisment

ଭରୁଆମୁଣ୍ଡା ଗାଁର ହରି ମହାନନ୍ଦଙ୍କ ପୁଅ ହେଉଛନ୍ତି ସୁନୀଲ। ହରିଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସୁନୀଲ ବାପାଙ୍କୁ ସାହାଯ୍ୟ କରିବାକୁ ଦାଦନ ଖଟିବାକୁ ଯିବେ ବୋଲି ଜଣାଇଲେ। ଦାଦନ ଖଟିଲେ କିଛି ଟଙ୍କା ଘରକୁ ପଠାଇ ପାରିବେ ବୋଲି ବି କହିଲେ। ଏଥିରେ ବିଶ୍ୱାସ କରି ବାପାମା’ ପୁଅ ସୁନୀଲଙ୍କୁ ସୁଲେକେଲା ଗାଁର ଅଭିଷେକ ବାଗ ଓ ସିହିନୀ ଗାଁର ଗଣପତ ସୁନାଙ୍କ ସହିତ ଦାଦନ ଖଟିବାକୁ ଯିବାକୁ ଅନୁମତି ଦେଇଥିଲେ।

ଫଳରେ ଗତ ୯ ତାରିଖରେ ସୁନୀଲ ତେଲେଙ୍ଗାନାର ୱାରେଙ୍ଗଳ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ୮, ୧୦ ଦିନ ସବୁ ଠିକ୍‌ଠାକ୍‌ ଥିବା ବେଳେ ଗତକାଲି ହଠାତ୍‌ ଗତକାଲି ସକାଳେ ଆସିଥିବା ଏକ ଫୋନ୍‌ କଲ୍‌ ପାଇ ସୁନୀଲଙ୍କ ବାପାମା’ଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା।

Advertisment

ଅପରପାର୍ଶ୍ୱର ବ୍ୟକ୍ତିଜଣକ ତୁମ ପୁଅର ମୃତ୍ୟୁ ଗତ ୧୯ ତାରିଖ ରାତିରେ ହୋଇ ଯାଇଥିବା ସୂଚନା ଦେଇଥିଲେ। ଏହାପରେ କମ୍ପାନୀ ତରଫରୁ ଏକ ଆମ୍ବୁଲାନ୍ସରେ ସୁନୀଲଙ୍କ ମୃତଦେହକୁ ବେଲପଡା ପଠାଯାଇଥିଲ। ବେଲପଡା ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୁସ୍ଥ ସବଳ ଥିବା ଭେଣ୍ଡିଆ ପୁଅର ଏପରି ଅବସ୍ଥା ହେବ ବୋଲି କେବେବି ଭାବି ନ ଥିବା ବାପାମା’ ମୁଣ୍ଡ ପିଟୁଛନ୍ତି।

ପୁଅର ସ୍ୱାଭାବିକ ମୃତ୍ୟୁ ହୋଇ ନ ଥିବା ବେଳେ ତାକୁ ହତ୍ୟା କରାଯାଇଥିବା ସୁନୀଲଙ୍କ ବାପାମା’ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ୍‌ ଶୀଘ୍ର ସମଗ୍ର ଘଟଣା ଉପରୁ ପରଦା ହଟିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

Murder Deadbody