Police
ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ‘ଅପରେସନ୍ ଗରୁଡ଼’ ଆରମ୍ଭ ହୋଇଛି । ଏହା ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ଚାଲିବ । ସବୁ ଜିଲ୍ଲା ପୁଲିସ ଏସପିଙ୍କ ନେତୃତ୍ୱରେ ଏହି ଅପରେସନ୍ ଗରୁଡ଼ ଚଳିତମାସ ୧ତାରିଖରୁ ଆରମ୍ଭ ହୋଇଛି । ରାଜ୍ୟ ପୁଲିସ ଏଡିଜି(ଆଇନଶୃଙ୍ଖଳା) ସଞ୍ଜୟ କୁମାର ଆଜି ଏହି ସୂଚନା ଦେଇଛନ୍ତି ।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ କୁମାର କହିଛନ୍ତି ଯେ, ପୁଲିସ ଡିଜିଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୧ ତାରିଖରେ ଏହି ଅପରେସନ୍ ଗରୁଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ଅପରେସନର ପ୍ରଥମ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ବୋଲି ସେ କହିଛନ୍ତି ।
ସପ୍ତାହକ ମଧ୍ୟରେ ୩୧୮୯ଟି ଜାମିନବିହୀନ ଗିରଫ ପରୱାନାକୁ କାର୍ଯ୍ୟକାରୀ କରାଯାଇଥିବାବେଳେ ୫୧ଟି ଅସ୍ତ୍ରଶସ୍ତ୍ର ଓ ୯୫ଟି ଗୁଳିଗୋଳା ଜବତ ହୋଇଛି । ଗଞ୍ଜେଇ ସହିତ ଏନଡିପିଏସ୍ର ୧୧ଟି ମାମଲା ସହ ୮୮୮କିଲୋ ଗଞ୍ଜେଇ, ୬୮.୫୭କିଲୋ ବ୍ରାଉନସୁଗାର ମଧ୍ୟ ଜବତ ହୋଇଛି । ଜୁଆ ଖେଳିବା ଅଭିଯୋଗରେ ୧୧ଟି ମାମଲା ସହ ୨.୭୯ଲକ୍ଷ ଟଙ୍କା ଜବତ ହୋଇଛି ।
ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ ଗଞ୍ଜାମ ପୁଲିସ ଜିଲ୍ଲା ୧୦ ଟି ବନ୍ଧୁକ ଜବତ କରିବା ସହ ୧୩ ଜଣଙ୍କୁ ଗିରଫ କରିଛି । ସେହିପରି ରାଉରକେଲା ପୋଲିସ ଜିଲ୍ଲା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତା' ନିକଟରୁ ଏକକାଳୀନ ୧୦ ଟି ବନ୍ଧୁକ ଜବତ କରିଛି । ଏନଡିପିଏସ୍ ମାମଲାରେ କନ୍ଧମାଳ ପୁଲିସ ୫୩୫ କେଜି ଜବତ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି ।
ଅବକାରୀ ମାମଲାରେ କେନ୍ଦୁଝର ପୋଲିସ ଜିଲ୍ଲା ସର୍ବାଧିକ ୧୦୭ଟି ମାମଲା ରୁଜୁ କରିଥିବା ବେଳେ ୧୫୦୯ ଲିଟର ମଦ ଜବତ କରିଛି । ସେହିପରି ଜୁଆ ଆଡ୍ଡା ଉପରେ ଚଢ଼ାଉ କ୍ଷେତ୍ରରେ ରାଉରକେଲା ଜିଲ୍ଲା ପୁଲିସ ୩ଟି ମାମଲା ରୁଜୁ କରି ୧.୪୮ଲକ୍ଷ ଟଙ୍କା ଜବତ କରିବା ସହ ୧୭ ଜଣଙ୍କୁ ଗିରଫ କରିଛି । ମୋଟ ୧୨୯ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ବୋଲି ଏଡିଜି ଶ୍ରୀ କୁମାର ସୂଚନା ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Police_1754748369.jpg)