ଝିଅର ଜନ୍ମ ଦିନ ପାଳିବାକୁ ଲଣ୍ଡନରୁ ଭାରତ ଆସିଥିଲେ। ସେଠାରେ ସେ ମର୍ଚାଣ୍ଟ ନାଭି ଅଫିସର ଭାବେ କାମ କରୁଥିଲେ। ତଥାପି ଛୁଟି ନେଇ ଝିଅ ଓ ପତ୍ନୀଙ୍କୁ ଖୁସି କରିବାକୁ ସେ ଭାରତର ଉତ୍ତର ପ୍ରଦେଶ ଅନ୍ତର୍ଗତ ମୀରଟରେ ପହଞ୍ଚିଥିଲେ। କିନ୍ତୁ ସ୍ୱାମୀଙ୍କ ଅନୁପସ୍ଥିତିରେ ପରକୀୟା ପ୍ରୀତିରେ ମାତିଥିବା ପତ୍ନୀ ଘଟାଇଛି ଜଘନ୍ୟକାଣ୍ଡ।
ସେ ନିଜର ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଗୋଟିଏ ଡ୍ରମରେ ସିମେଣ୍ଟ ଦେଇ ଲୁଚାଇ ଦେଇଛି। ମାର୍ଚ୍ଚ ୪ରେ ମୀରଟର ବ୍ରହ୍ମପୁରୀ ଅଞ୍ଚଳରେ ଏପରି ଘଟଣା ଘଟିଥିଲା। ପୁଲିସ୍ ୧୫ ଦିନ ପରେ ସିମେଣ୍ଟ ଦ୍ୱାରା ଲୁଚା ଯାଇଥିବା ମୃତଦେହର ଖଣ୍ଡ ବିଖଣ୍ଡିତ ଅଂଶ ଡ୍ରମରୁ ଠାବ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଅଭିଯୁକ୍ତ ମୁସ୍କାନ ରସ୍ତୋଗୀ ଓ ତା’ ପ୍ରେମିକ ସାହିଲ ଶୁକ୍ଳା ଓରଫ ମୋହିତ ମିଳିତ ଭାବେ ସୌରଭ ରାଜପୁରତଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଦେଇଥିଲେ। ଏହାପରେ ଗୋଟିଏ ଡ୍ରମରେ ଏହାକୁ ଭର୍ତ୍ତି କରି ସିମେଣ୍ଟ ଦ୍ୱାରା ସିଲ କରି ଦେଇଥିଲେ। ଘଟଣାର ୧୫ ଦିନ ପରେ ପୁଲିସ୍ ପୋଚି ଯାଇଥିବା ମରଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ସୌରଭ ଭଡ଼ାରେ ନେଇଥିବା ଆପାର୍ଟମେଣ୍ଟର ଫ୍ଲାଟରୁ ଠାବ କରିଛି।
ସିଟି ଏସ୍ପି ଆୟୁଷ ବିକ୍ରମ ସିଂହ କହିଛନ୍ତି, “ସୌରଭଙ୍କ ଫ୍ଲାଟରୁ ଦୁର୍ଗନ୍ଧ ବାହାରୁ ଥିବା ପଡ଼ୋଶୀମାନେ ଅନୁଭବ କରିବା ପରେ ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କଟା ଯାଇଥିଲା। ଏହାପରେ ଗୋଟିଏ ପାଣି ଡ୍ରମରେ ଏହାକୁ ଭର୍ତ୍ତି କରି ସିମେଣ୍ଟ ଦ୍ୱାରା ସିଲ କରି ଦିଆଯାଇଥିଲା। ଏବେ ଉକ୍ତ ଅଂଶ ଗୁଡ଼ିକ ପୋଚିବା ଆରମ୍ଭ ହୋଇଯାଇଛି। ଅଭିଯୁକ୍ତ ମୁସ୍କାନ ଓ ମୋହିତକୁ ଗିରଫ କରାଯାଇଛି। ସେମାନଙ୍କ ନାଁରେ ହତ୍ୟା ଓ ପ୍ରମାଣ ନଷ୍ଟ ଭଳି ଦଫା ଲଗା ଯାଇଛି। ସେମାନଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ଅଣାଯିବ।”
ମୁସ୍କାନ ଓ ସୌରଭ ୨୦୨୬ରେ ବିବାହ କରିଥିଲେ। ଉଭୟଙ୍କ ବାହାଘରକୁ ପରିବାର ଲୋକ ଅନୁମତି ଦେଇ ନଥିଲେ। ଏଥିପାଇଁ ବାହାଘର ପରେ ସେମାନେ ଗୋଟିଏ ଆପାର୍ଟମେଣ୍ଟରେ ଫ୍ଲାଟ ଭଡ଼ାରେ ନେଇ ରହିଥିଲେ। ସେମାନଙ୍କର ଜଣେ ୬ ବର୍ଷର ଝିଅ ମଧ୍ୟ ରହିଛନ୍ତି। ସୌରଭ ମର୍ଚାଣ୍ଟ ନାଭିରେ କାମ କରୁଥିବାରୁ ଅନେକ ସମୟରେ ବାହାରେ ରହୁଥିଲେ। ଅଧିକାଂଶ ସମୟ ତାଙ୍କର ଲଣ୍ଡନରେ କଟୁ ଥିଲା।
ଏଠାରେ ମୁସ୍କାନ ନିଜର ୬ ବଷଆର ଝିଅ ସହ ରହୁଥିଲା। କିନ୍ତୁ ମୁସ୍କାନ ସ୍ୱାମୀଙ୍କ ଅନୁପସ୍ଥିତିରେ ମୋହିତ ସହ ସମ୍ପର୍କ ରଖିବା ଆରମ୍ଭ କରିଥିଲେ। ଏହି ପରକୀୟା ପ୍ରୀତି ଯୋଗୁ ମୁସ୍କାନ ଓ ମୋହିତ ମାର୍ଚ୍ଚ ୪ରେ ସୌରଭଙ୍କୁ ହତ୍ୟା କରିଥିଲେ। ଏହାପରେ ଉଭୟ ଗୋଟିଏ ଟ୍ରିପରେ ଚାଲି ଯାଇଥିଲେ। ମାର୍ଚ୍ଚ ୪ରୁ ସୌରଭଙ୍କୁ ହତ୍ୟା କରାଯାଇଥିଲେ ହେଁ ମୁସ୍କାନ ସମସ୍ତଙ୍କୁ ଅନ୍ଧାରରେ ରଖିଥିଲା। ସେ ସୌରଭଙ୍କ ପରିବାର ବର୍ଗଙ୍କ ସହ ମେସେଜରେ କଥା ହେଉଥିଲା। ଏଥିସହ ସୌରଭ ଜୀବିତ ଥିବା ଜଣାଇବାକୁ ଚେଷ୍ଟା କରୁଥିଲା।
ସୌରଭଙ୍କ ଫୋନକୁ ମୁସ୍କାନ ବ୍ୟବହାର କରୁଥିଲା ଓ ପରିବାର ଲୋକଙ୍କ ସନ୍ଦେହକୁ ଦୂରେଇ ରଖିବା ପାଇଁ ସେ ଉକ୍ତ ମୋବାଇଲରୁ ମେସେଜରେ କଥା ହେଉଥିଲା। ପରିବାର ଲୋକ ସୌରଭଙ୍କ ସହ କଥା ହେବାକୁ ଚାହିଁଲା ବେଳେ ମୁସ୍କାନ ବିଭିନ୍ନ ଆଳ ଦେଖାଇ କଥା ହେଉ ନଥିଲା। କେବଳ ମେସେଜରେ କଥା ହେବାକୁ ସେ କହୁଥିଲା।
କିନ୍ତୁ ଫ୍ଲାଟରୁ ସୌରଭଙ୍କ ଖଣ୍ଡବିଣ୍ଡିତ ମୃତଦେହ ମିଳିବା ପରେ ମୁସ୍କାନର ସବୁ ଚାଲର ପର୍ଦ୍ଦାଫାସ ହୋଇଥିଲା। ଏବେ ପୁଲିସ୍ ଘଟଣା ଅଧିକ ତଦନ୍ତ ଆରମ୍ଭ କରିଛି।
କ’ଣ କହୁଛି ପୁଲିସ?
ସୌରଭ ରାଜପୁତ ଆମେରିକା ଭିତ୍ତିକ ମର୍ଚାଣ୍ଟ ନାଭି ଅଫିସର ଭାବେ କାମ କରୁଥିଲେ। ସେ ଗତ ମାସରେ ୬ ବର୍ଷୀୟ ଝିଅର ଜନ୍ମ ଦିନ ପାଇଁ ଘରକୁ ଆସିଥିଲେ। ହେଲେ ମାର୍ଚ୍ଚ ୪ରେ ତାଙ୍କ ପତ୍ନୀ ମୁସ୍କାନ ଓ ପ୍ରେମିକ ସାହିଲ ଶୁକ୍ଳା ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ୧୫ ଖଣ୍ଡ କରି ଗୋଟିଏ ଡ୍ରମରେ ଭର୍ତ୍ତି କରିଥିଲେ। ଶେଷରେ ସିମେଣ୍ଟ ଦ୍ୱାରା ଏହାକୁ ସିଲ କରି ଦେଇଥିଲେ। ହତ୍ୟାକାଣ୍ଡ ପରେ ମୁସ୍କାନ ଓ ସାହିଲ ଗୋଟିଏ ଟ୍ରପିରେ ଚାଲି ଯାଇଥିଲେ। ସେଠାରେ ରହି ସୌରଭଙ୍କ ପରିବାରକୁ ବିଭ୍ରାନ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଫଟୋ ପୋଷ୍ଟ କରୁଥିଲେ। କିନ୍ତୁ ପୁଅ ସହ କୌଣସି ଯୋଗାଯୋଗ ନ ହେବାରୁ ସୌରବଙ୍କ ପରିବାର ଲୋକ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ମୁସ୍କାନ ଓ ସାହିଲକୁ ଜେରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଝିଅକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ କହିଲେ ମୁସ୍କାନଙ୍କ ବାପା ମା’
ମୀରଟରେ ରହୁଥିବା ମୁସ୍କାନର ବାପା ପ୍ରମୋଦ କୁମାର ରସ୍ତୋଗୀ ଓ କବିତା ରସ୍ତୋଗୀ ବଡ଼ ବୟାନ ଦେଇଛନ୍ତି। ସେମାନେ ନିଜ ଝିଅର ଓକିଲାତି କରି ନାହାନ୍ତି। ବରଂ ସେମାନେ ଝିଅ ପାଇଁ କଠୋରରୁ ଅତି କଠୋର ଦଣ୍ଡ ପାଇଁ ନିବେଦନ କରିଛନ୍ତି। ଟ୍ରିପରୁ ଫେରିବା ପରେ ମୁସ୍କାନ ସେମାନଙ୍କୁ ଦେଖା କରିବାକୁ ଆସିଥିଲା। ଏହି ସମୟରେ ସେମାନେ ହିଁ ତା’କୁ ପୁଲିସ୍ରେ ଧରାଇଥିଲେ।
କବିତା ରସ୍ତୋଗୀ କହିଛନ୍ତି, “ସେ ଆମ ପାଖକୁ ଆସି ସୌରଭକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଆମେ ତା’କୁ ତୁରନ୍ତ ପୁଲିସ୍ ଷ୍ଟେସନକୁ ନେଇ ଯାଇଥିଲୁ। ସେ କହିଥିଲା ମମ୍ମି ଆମେ ସୌରଭଙ୍କୁ ମାରି ଦେଇଛୁ। ସୌରଭ ଅନ୍ଧଙ୍କ ଭଳି ମୁସ୍କାନଙ୍କୁ ଭଲ ପାଉଥିଲେ। ଆମ ଝିଅର ହିଁ ସମସ୍ୟା ରହିଥିଲା। ସୌରଭଙ୍କ ଠାରୁ ତାଙ୍କ ପରିବାରକୁ ମୁସ୍କାନ ଅଲଗା କରିଥିଲା। ଏବେ ସେ ଏପରି କାଣ୍ଡ ଘଟାଇଛି। ଆମେ ସୌରଭଙ୍କ ପରିବାର ଲୋକଙ୍କ ସହ ରହିଛୁ। ଏହି କାରଣ ପାଇଁ ଆମେ ତା’କୁ ପୁଲିସ୍ ହାତରେ ଦେଇଛୁ। ସୌରଭଙ୍କ ପରିବାର ବର୍ଗଙ୍କୁ ନ୍ୟାୟ ମିଳୁ। ସୌରଭ ସବୁ କିଛି ବାଜିରେ ଲଗାଇଥିଲେ। ତାଙ୍କ ବାପା ମା’ ଓ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଦେଇଥିଲେ। ହେଲେ ଏବେ ତାଙ୍କୁ ହତ୍ୟା କରାଯାଇଛି। ସେ ଆମ ପୁଅ ମଧ୍ୟ ଥିଲେ।”
ମୁସ୍କାନକୁ କେଉଁ ପ୍ରକାରର ଦଣ୍ଡ ମିଳିବା ଦରକାର ବୋଲି ପ୍ରଶ୍ନରେ ରସ୍ତଗୋ ଦମ୍ପତି ଲୁହ ଭିଜା ଆଖିରେ କହିଛନ୍ତି ଯେ “ତା’କୁ ଫାଶୀ ମିଳୁ। ସେ ବଞ୍ଚିବାର ଅଧିକାର ହରାଇ ସାରିଛି।”
ଡ୍ରଗ୍ସ ନେଉଥିଲେ ମୁସ୍କାନ ଓ ସାହିଲ
ମୁସ୍କାନ ଓ ସାହିଲ ନିୟମିତ ଡ୍ରଗ୍ସ ନେଉଥିଲେ। ନିଶା ଖାଇବା ପରେ ସେମାନେ ନିଜ ଇଚ୍ଛାରେ କାମ କରୁଥିଲେ। ସୌରଭ ଏଥିରେ ବାଧା ସୃଷ୍ଟି କରିବାର ସମ୍ଭାବନା ଥିବାରୁ ସେମାନେ ତାଙ୍କୁ ମାରି ଦେଇଥିବା ମୁସ୍କାନର ପରିବାର ଲୋକ କହିଛନ୍ତି। ମୁସ୍କାନର ବାପା କହିଛନ୍ତି, “ଡ୍ରଗ ସେସନକୁ ସୌରଭ କାଳେ ଅଟକାଇ ଦେବେ ସେ ଭଳ ତା’ର ବନ୍ଧୁ ସାହିଲକୁ ଘାରିବାକୁ ଲାଗିଥିଲା।” କବିତାଙ୍କ କହିବା କଥା ଯେ “ସୌରଭ ସବୁବେଳେ ମୁସ୍କାନକୁ ସମର୍ଥନ କରୁଥିଲେ। ଯେତେବେଳେ ସେ ଲଣ୍ଡନ ଯିବାର ଥିଲା ସେତେବେଳେ ମୁସ୍କାନ ଆମ ପାଖରେ ରହିବ ବୋଲି କହିଥିଲୁ। କିନ୍ତୁ ମୁସ୍କାନ ଏହାକୁ ବିରୋଧ କରିଥିଲା। କାରଣ ସେ କଟକଣା ଚାହୁଁ ନଥିଲେ। ଏତିକି ବେଳେ ସୌରଭ ତା’କୁ ସମର୍ଥନ କରିଥିଲା। ସୌରଭ ଲଣ୍ଡନରେ ଥିବା ବେଳେ ଆମ ଝିଅ ପ୍ରାୟ ୧୦ କେଜି ଓଜନ ହରାଇଥିଲା। ଆମେ ଭାବିଥିଲୁ ଯେ ସୌରଭଙ୍କ କଥା ଭାବି ସେ ଓଜନ ହରାଉଛି। କିନ୍ତୁ ସାହିଲ ଯେ ତା’କୁ ଡ୍ରଗ୍ସ ଦେବାରେ ଲାଗିଛି, ସେକଥା ଆମକୁ ଜଣା ନଥିଲା।” ମୁସ୍କାନ ଓ ସୌରଭଙ୍କ ୬ ବର୍ଷର ଝିଅ ଏବେ ରସ୍ତଗୋ ପରିବାର ସହ ରହିଛନ୍ତି।
ଆରମ୍ଭ ଓ ସମ୍ପର୍କରେ ଫାଟ
ସୌରଭ ଓ ମୁସ୍କାନ ୨୦୧୬ରେ ବାହା ହୋଇଥିଲେ। ଏହା ପ୍ରେମ ବିବାହ ଥିଲା। ପତ୍ନୀ ସହ ଅଧିକ ସମୟ ବିତାଇବା ପାଇଁ ସୌରଭ ତାଙ୍କର ମର୍ଚାଣ୍ଟ ନାଭି ଚାକିରି ଛାଡ଼ି ଦେଇଥିଲେ। କିନ୍ତୁ ଏହି ପ୍ରେମ ବିବାହ ଓ ଚାକିରି ଛାଡ଼ିବା ନିଷ୍ପତ୍ତିକୁ ସୌରଭଙ୍କ ପରିବାର ଲୋକ ସହଜରେ ଗ୍ରହଣ କରିପାରି ନଥିଲେ। ଏଥିଯୋଗୁ ସୌରଭଙ୍କ ପରିବାରରେ ଫାଟ ସୃଷ୍ଟି ହୋଇଥିଲା। ସୌରଭ ଘର ଛାଡ଼ି ଦେଇଥିଲେ। ପତ୍ନୀ ସହ ଭଡ଼ାରେ ଘର ନେଇ ରହିଥିଲେ।
୨୦୧୯ରେ ମୁସ୍କାନ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲା। କିନ୍ତୁ ଏହି ଖୁସି ଅଳ୍ପ ଦିନର ଥିଲା। ସୌରଭ ଜାଣିବାକୁ ପାଇଥିଲେ ଯେ ମୁସ୍କାନର ସମ୍ପର୍କ ସାହିଲ ନାମକ ଜଣେ ଯୁବକ ସହ ରହିଛି। ଏହି ପରକୀୟାପ୍ରୀତି ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି କରିଥିଲା। କଥା ଛାଡ଼ପତ୍ର ଯାଏ ମଧ୍ୟ ପହଞ୍ଚିଥିଲା। କିନ୍ତୁ ଝିଅର ଭବିଷ୍ୟତ କଥା ଭାବି ସୌରଭ ପଛ ଘୁଞ୍ଚା ଦେଇଥିଲେ। ସେ ପୁଣି ମର୍ଚାଣ୍ଟ ନାଭିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୩ରେ ସେ ନିଜ କାମରେ ଦେଶ ଛାଡ଼ିଥିଲେ। ଘରକୁ ଫେରିବା ବେଳକୁ ମୁସ୍କାନ ଓ ସାହିଲଙ୍କୁ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଯାଇଥିଲେ। ଏହି ସମ୍ପର୍କରେ କାଳେ ସୌରଭ ବାଧା ସୃଷ୍ଟି କରିବେ, ସେହି ଆଶଙ୍କାରେ ସେମାନେ ତାଙ୍କୁ ହତ୍ୟା କରିଛନ୍ତି।