Advertisment

‍ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ

ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି।

author-image
Niharika Rout
Farmers Death

Farmers Death

ଚାଷ ବିଲରେ ହୋଇଥିଲା ସୁନାର ଫସଲ। ହସୁଥିଲା କେଣ୍ଡା କେଣ୍ଡା ଧାନ । ମାତ୍ର ଅଦିନିଆ ବର୍ଷା ସବୁ ଛାରଖାର କରିଦେଲା। ପାଣିରେ ଉବୁଟୁବୁ ହେଲା ବର୍ଷକର ପରିଶ୍ରମ । ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି।

Advertisment

ବର୍ଷକର ପରିଶ୍ରମର ଫଳ ପାଣିରେ ପଡ଼ିଥିବା ଦେଖି ଚାଷୀର ଆଖିରୁ ଲୁହ ସରୁନି। ଚାଷୀଟି କୋହ ସମ୍ଭାଳି ପାରୁ ନ ଥିବାବେଳେ ଫାଟି ଯାଉଛି ଛାତି। କିଏ ନିଜ ଚାଷ ବିଲକୁ ଦେଖି ଆପେ ଆପେ ଟଳି ପଡ଼ୁଥିବା ବେଳେ ଆଉ କିଏ ନିଜ ଜୀବନ ହାରିବାକୁ ପଛାଉ ନାହିଁ। ଚାଷ ଉଜୁଡ଼ିବା ଯୋଗୁ କେନ୍ଦ୍ରାପଡ଼ା ଓ ବ୍ରହ୍ମପୁର ଜିଲ୍ଲାରେ ଦୁଇ ଚାଷୀଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ସନ୍ଥପୁରା ଗାଁର ଭାବଗ୍ରାହୀ ମଲ୍ଲିକ ନିଜ ଚାଷ ବିଲ ଦେଖି ଟଳି ପଡ଼ିଥିବା ବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ବଡ଼ମାଧପୁର ବରଙ୍ଗ ଗାଁର ବନମାଳୀ ନିଜ ଘରେ ଝୁଲି ପଡ଼ିଛନ୍ତି।

Advertisment

ଭାବଗ୍ରାହୀ ମଲ୍ଲିକ ୭ ଏକର ଜମିରେ ଲକ୍ଷାଧିକ ଟଙ୍କା ଧାରକରଜ କରି ଧାନ ଫସଲ କରିଥିଲେ। ମାତ୍ର ଆଜି ସକାଳେ ସେ ବିଲକୁ ଯାଇଥିବା ବେଳେ ବିଲରେ ପାଣି ଲହଡ଼ି ଖେଳିଥିବା ଦେଖିବାକୁ ପାଇଥିଲେ। ତାଙ୍କ ବର୍ଷକର ପରିଶ୍ରମ ପାଣିରେ ମିଶିଥିବା ବେଳେ ତାଙ୍କୁ ଶକ୍ତ ଆଘାତ ଲାଗିଥିଲା। ସେ ମାନସିକ ଭାବେ ବିଚଳିତ ହୋଇ ଯାଇଥିବା ବେଳେ ଘରକୁ ଫେରିଥିଲେ।

ଘରେ ଛାତିରେ ଯନ୍ତ୍ରଣା ହେଉଥିବା କହି ଟଳି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ମେଡିକାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଯାଞ୍ଚ ପରେ ଡାକ୍ତର କହିଛନ୍ତି। 

ମୃତକଙ୍କ ସାନ ଝିଅ କହିଛନ୍ତି, ଧାନ କଟା ହୋଇନି। ବିଲରେ ଧାନ ପଡ଼ିଥିବା ବେଳେ ପାଣି ମାଡ଼ିଯାଇଛି। ବାପା ବିଲକୁ ଯାଇଥିବା ବେଳେ ଏହା ଦେଖି ସହି ପାରି ନ ଥିଲେ। ଘରକୁ ଆସି ଛାତି ଛାତି ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେଇଥିଲୁ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚାଷ ପାଇଁ ବାପା ବହୁ ଧାରକରଜ କରି ଦେଇଛନ୍ତି। ଏବେ ତାକୁ କିପରି ଶୁଝିବୁ ଆମକୁ ସେହି ଚିନ୍ତା ଘାରିଛି।

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡ଼ମାଧପୁର ବରଙ୍ଗ ଗାଁରେ ବି ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି। ବର୍ଷ ସାରା କଷ୍ଟ କରି ବିଲରେ ଫଳାଇଥିବା ସୁନା ଫସଲ ପାଣିରେ ଭାସୁଥିବା ଦେଖି ସେ ସହି ପାରିଲେନି। ଘରକୁ ଆସି ଝୁଲି ପଡ଼ିଲେ। ଏହି ଚାଷୀଜଣକ ହେଉଛନ୍ତି ବରଙ୍ଗ ଗାଁର ବନମାଳୀ ପେଣ୍ଠେଇ ।

ବନମାଳୀ ପେଣ୍ଠେଇ ଚଳିତ ବର୍ଷ ୫ ଏକର ଜମିରେ ଧାନ ଚାଷ କରିଥିଲେ । ଏଥିପାଇଁ ୨ ଲକ୍ଷ ଟଙ୍କା ଋଣ ମଧ୍ୟ କରିଥିଲେ । ମାତ୍ର ଅଦିନିଆ ବର୍ଷାରେ ତାଙ୍କର ସମସ୍ତ ଧାନ ଫସଲ ନଷ୍ଟ ହେବା ପରେ ସେ ବିଚଳିତ ହୋଇ ପଡ଼ିଥିଲେ। ଘରକୁ ଫେରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ ।

Ganjam Suicide Kendrapada Hanging