/odisha-reporter/media/post_attachments/uploadimage/library/16_9/16_9_0/Jail_1695484256.jpg)
Jail
ଠକେଇ ଅଭିଯୋଗରେ ଜାମିନ ପାଇଥିବା ଜଣେ ଅଭିଯୁକ୍ତଙ୍କ ବଦଳରେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଛାଡ଼ିଦେଲେ ଜେଲ୍ କର୍ତ୍ତୃପକ୍ଷ। ପୁଣି ଆଉ କେଉଁଠି ନୁହେଁ, ଖୋଦ୍ ରାଜଧାନୀର ଝାରପଡ଼ା ସ୍ପେଶାଲ ଜେଲରେ ଘଟିଛି ଏଭଳି ସାଂଘାତିକ ତ୍ରୁଟି। ଘଟଣା ସାମ୍ନାକୁ ଆସିବା ପରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଡ଼ା ସୁରକ୍ଷା ବଳୟରେ ବହୁ ହାର୍ଡକୋର୍ ଅପରାଧୀ ଥିବା ଝାରପଡ଼ା ଜେଲରେ କିଭଳି ଘଟିଲା ଏତେ ବଡ଼ ତ୍ରୁଟି, ତାର ଝାନଭିନ୍ ଆରମ୍ଭ ହୋଇଛି।
ଏକ ଠକେଇ ମାମଲାରେ କିଛି ଦିନ ଧରି ଜେଲ୍ରେ ଥିବା ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନାଙ୍କୁ ଗତ ୨୦ ତାରିଖରେ ଜାମିନ ମିଳିଥିଲା। ହେଲେ ଜେଲ୍ କର୍ତ୍ତୃପକ୍ଷ ରିଲିଜ୍ ଅର୍ଡର ଦେଖି ସେହିଦିନ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ରମେଶଙ୍କୁ ଛାଡ଼ିବା ବଦଳରେ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଲକ୍ଷ୍ମୀଧର ଜେନାଙ୍କ ପୁଅ ରମେଶ ଜେନାଙ୍କୁ ଛାଡ଼ି ଦେଇଥିଲେ।
ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି ପୁଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ଦୁଷ୍କର୍ମ ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ ଜେଲ୍ କର୍ତ୍ତୃପକ୍ଷ। ଏହା ସହିତ ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। କେମିତି ଘଟିଲା ଏତେ ବଡ଼ ତ୍ରୁଟି? ଜାଣିବା ପାଇଁ ଆରମ୍ଭ ହୋଇଛି ତଦନ୍ତ। ଖୋଦ୍ ଜେଲ୍ ଡିଆଇଜି ଗରିବ ସାହୁ ଝାରପଡ଼ା ଜେଲ ପହଞ୍ଚି କେଉଁଥି ପାଇଁ ଏବଂ କାହା ଭୁଲରୁ ଏତେ ବଡ଼ ଘଟଣା ଘଟିଲା ତାର ତଦନ୍ତ ଆରମ୍ଭ କରିଛନ୍ତି। ଜେଲ୍ ୱାର୍ଡରଙ୍କଠୁ ଆରମ୍ଭ କରି ଜେଲରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପଚରାଉଚରା ଚାଲିଛି।
କୋର୍ଟରୁ ଜେଲକୁ ଆସିଲା ବେଳେ ଜେଲ ମାନୁଆଲ୍ ଅନୁସାରେ ଜଣେ କଏଦୀର ସମସ୍ତ ତଥ୍ୟ ଯେମିତିକି ଆଇଡେଣ୍ଟିଫିକେସନ୍ ମାର୍କ, ଠିକଣା, ପରିଚୟପତ୍ର ଆଦିକୁ ଭଲ ଭାବେ ଯାଞ୍ଚ କରି ଭିତରକୁ ଛଡ଼ାଯାଇଥାଏ। ସେହିଭଳି ବେଲରୁ ବାହାରିବା ବେଳେ ମଧ୍ୟ ଅନୁରୂପ ଭାବେ
କଏଦୀଙ୍କୁ ଯାଞ୍ଚ କରାଯାଇଥାଏ। ତେବେ ସଂପୃକ୍ତ କଏଦୀଙ୍କୁ ଛଡ଼ାଯିବା ସମୟରେ ଏସବୁ ନିୟମ ପାଳନ କରାଯାଇଥିଲା କି ନାହିଁ, ଯଦି କରାଯାଇଥିଲା ଏଭଳି ଗୁରୁଚାଣ୍ଡାଳ ତ୍ରୁଟି ରହିଲା କେମିତି, ତାକୁ ନେଇ ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
