ମା’ କୋଳରେ ଖେଳୁଥିଲା ବର୍ଷକର ଶିଶୁ। ହେଲେ ରାତି ଅଧରେ ମା’ ଆଖି ଲାଖି ଯାଇଥିବା ବେଳେ ହଠାତ୍ ଗାଏବ ହୋଇଗଲା ଶିଶୁ। ଏହା ଜାଣି ମା’ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଖବର ପାଇ ପୁଲିସ୍ ବିଭିନ୍ନ ସ୍ଥାନରେ ଛାନଭିନ କରି ୫ ଘଣ୍ଟାରେ ଶିଶୁଟିକୁ ଉଦ୍ଧାର କରି ମା’କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ ଦମ୍ପତିଙ୍କୁ ବାନ୍ଧିଛି।
ଏପରି ଏକ ଘଟଣା ଚେନ୍ନାଇର ସିଟି ରେଲୱେ ଷ୍ଟେସନରେ ଘଟିଥିଲା। ଅପହୃତ ହୋଇଥିବା ଶିଶୁର ପରିବାର ଓଡ଼ିଶାର କନ୍ଧମାଳ ଜିଲ୍ଲାର ବୋଲି ଜଣାଯାଇଛି। କନ୍ଧମାଳର ଲଙ୍କେଶ୍ୱର କାହ୍ନାର ଓ ପତ୍ନୀ ନନ୍ଦିନୀ କାହ୍ନାର ଗତ ସୋମବାର ନଚିଜ ବର୍ଷକର ପୁଅ ସହ ନିଜ ଗାଁକୁ ଫେରୁଥିଲେ।
ସେମାନେ ରାତିରେ ଷ୍ଟେସନରେ ପହଞ୍ଚି ଟ୍ରେନ୍କୁ ଅପେକ୍ଷା କରିଥିଲେ। ମାତ୍ର ରାତି ପ୍ରାୟ ଅଢେଇଟା ପରେ ନନ୍ଦିନୀଙ୍କ ଆଖି ସାମାନ୍ୟ ଲାଗି ଯାଇଥିବା ବେଳେ ତାଙ୍କ କୋଳରୁ ପୁଅ ଗାଏବ ହୋଇ ଯାଇଥିଲା। ଏନେଇ ଉକ୍ତ ଦମ୍ପତି ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ତତ୍କ୍ଷଣାତ ସିସିଟିଭି ଯାଞ୍ଚ କରି ଏକ ଦମ୍ପତି ଶିଶୁଟିକୁ ନେଇ ଅଟୋରେ ଚାଲି ଯାଉଥିବା ଦେଖିବାକୁ ପାଇଲା। ଏହାପରେ ପୁଲିସ୍ ଉକ୍ତ ଅଟୋକୁ ଠାବ କରି ଦମ୍ପତିଙ୍କୁ କେଉଁଠି ଓହ୍ଲାଇଲା ତାହାର ସୂଚନା ସଂଗ୍ରହ କଲା। ଏହାପରେ ଚାରିଆଡ଼ୁ ରାସ୍ତା ବନ୍ଦ କରି ପ୍ରାୟ ୫ ଘଣ୍ଟା କାଳ ଖୋଜାଖୋଜି କରିବା ପରେ ପୁଲିସ୍ ଶିଶୁଟିକୁ ଉଦ୍ଧାର କରି ନନ୍ଦିନୀଙ୍କୁ ଫେରାଇଛି।
ପୁଲିସ୍ ଅଭିଯୁକ୍ତ ଦମ୍ପତିଙ୍କୁ ବାନ୍ଧି ପଚରାଉଚରା କରୁଛି। ତେବେ ସେମାନେ କ’ଣ ପାଇଁ ପିଲାଟିକୁ ଅପହରଣ କରିଥିଲେ ତାହା ସ୍ପଷ୍ଟ ହୋଇ ପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।