ଫାଣ୍ଟାସି ଗେମ ଭଳି କିଛି ଅନଲାଇନ୍ ଗେମ୍ରେ ଭାଗ ନେଇ ଓଡ଼ିଶାର କିଛି ଯୁବକ କୋଟିପତି ହୋଇଛନ୍ତି। ହେଲେ ଅଧିକାଂଶ ଟଙ୍କା ହରାଉଛନ୍ତି। ଗତ ମାସକ ଭିତରେ ଓଡ଼ିଶାର କେନ୍ଦୁଝର ଓ ଯାଜପୁର ଦୁଇ ଜଣ ଯୁବକ ୩ କୋଟି ଟଙ୍କା ଲେଖାଏଁ ଜିତିଥିବାବେଳେ ଗତ ୩ ବର୍ଷରେ ଓଡ଼ିଶାରେ ଲକ୍ଷାଧିକ ଟଙ୍କା ହରାଇ ଅତି କମରେ ୮ ଜଣ ଆତ୍ମହତ୍ୟା କରିଛନ୍ତି ଓ ଆହୁରି ଅନେକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖାଯାଇଛି।
ଯାଜପୁରର ଧର୍ମଶାଳାର ଅନିଲ ତରାଇ ଜଣେ ସାଧାରଣ ଯୁବକ। ନିକଟରେ ସେ ଅନଲାଇନ୍ ଗେମିଂ ଆପ୍ My11 Circleରେ ଗେମ୍ ଖେଳିଥିଲେ। ମାତ୍ର ୪୯ ଟଙ୍କା ଦେଇ ନିର୍ଦ୍ଦିଷ୍ଟ ଆଇପିଏଲ୍ ମ୍ୟାଚରେ ନିଜ ପସନ୍ଦର ୧୧ ଜଣ ଖେଳାଳି ବାଛିଲେ। ରାତିରେ ତାଙ୍କ ପାଖକୁ ମୁମ୍ବାଇ କମ୍ପାନୀରୁ ଫୋନ୍ ଆସିଲା ୩ କୋଟି ଟଙ୍କା ଓ ମହିନ୍ଦ୍ରା ଥର ଗାଡ଼ି ପାଇଛନ୍ତି।
ସେହିଭଳି ମାର୍ଚ୍ଚ ମାସରେ କେନ୍ଦୁଝରର ଜଣେ ସାଧାରଣ ଯୁବକ ଗୁରୁଚରଣ ଯାମୁଦା ୧୧ ଜଣ ଖେଳାଳି ବାଛି ୩ କୋଟି ଟଙ୍କା ପାଇଥିଲେ।
ଅନ୍ୟପଟରେ ନିକଟରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରେ ଜଣେ ଯୁବକ ୭ ଲକ୍ଷ ଟଙ୍କା କ୍ଷତି କରିବା ପରେ ଆତ୍ମହତ୍ୟା କରିଥିଲେ। ବାଲେଶ୍ୱରରେ ଜଣେ ଇଂଜିନିୟର ୭ ଲକ୍ଷ ଟଙ୍କା ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୨୦୨୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ କେତେକ ଆତ୍ମହତ୍ୟା:
ଅକ୍ଟୋବର ୨୦୨୦: ଫ୍ରି ଫାୟାର ଖେଳି ଟଙ୍କା ହରାଇ କେନ୍ଦୁଝରରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା
ଅକ୍ଟୋବର ୨୦୨୧: ମୋବାଇଲ୍ ଗେମ୍ ଖେଳିବାକୁ ମନା କରିବାରୁ କୋରାପୁଟରେ ୧୩ ବର୍ଷ ବାଳକଙ୍କ ଆତ୍ମହତ୍ୟା
ଜୁଲାଇ ୨୦୨୨: ଲକ୍ଷାଧିକ ଟଙ୍କା ହରାଇ ଜଗତସିଂହପୁରରେ ବ୍ୟବସାୟୀଙ୍କ ଆତ୍ମହତ୍ୟା
ଜୁଲାଇ, ୨୦୨୨: ଅନଲାଇନ୍ ଗେମରେ ଟଙ୍କା ହରାଇ କେନ୍ଦ୍ରାପଡ଼ା ଯୁବକଙ୍କ ଆତ୍ମହତ୍ୟା
ଜୁଲାଇ ୨୦୨୩: ପବଜି ଗେମରେ ଲକ୍ଷ ଲକ୍ଷ ଟଙ୍କା ହରାଇ ବାଲେଶ୍ବରରେ ଯୁକ୍ତ ୩ ଛାତ୍ରଙ୍କ ଆତ୍ମହତ୍ୟା
ଅଗଷ୍ଟ ୨୦୨୪: ଟଙ୍କା ହରାଇବା ଓ ଋଣ ବୋଝରେ ଯାଜପୁରରେ ଯୁବକଙ୍କ ଆତ୍ମହତ୍ୟା
ମାର୍ଚ୍ଚ ୨୦୨୫: ଲକ୍ଷାଧିକ ଟଙ୍କା ହରାଇ ରାୟଗଡ଼ାରେ ୧୫ ବର୍ଷ ବାଳିକାଙ୍କ ଆତ୍ମହତ୍ୟା
ଏପ୍ରିଲ ୨୦୨୫: ୫ ଲକ୍ଷ ଟଙ୍କା ହରାଇ ଘରୋଇ ବାଲେଶ୍ୱରରେ ଟ୍ୟୁସନ ସାରଙ୍କ ଆତ୍ମହତ୍ୟା
ଆଇଟି ଆକ୍ଟରେ ୧୪୧୦ ଗେମ୍ ସାଇଟ୍ ବ୍ୟାନ୍
୨୦୨୨ରେ ଭାରତ ସରକାର ବ୍ୟକ୍ତିଗତ ଗୋପନୀୟତା ଓ ଡାଟା ଚୋରି ଅଭିଯୋଗରେ ଫ୍ରି ଫାୟାର ଭଳି ୫୩ଟି ଆପକୁ ବ୍ଲକ୍ କରିଥିଲେ। ଆଇଟି ଆକ୍ଟରେ ତିନି ବର୍ଷରେ ୧୪୧୦ ଗେମ୍ ସାଇଟ୍ ବ୍ୟାନ୍ ବା ବ୍ଲକ୍ କରାଯାଇଛି ବୋଲି ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ କହିଥିଲେ। ଗେମିଂ ଏକ ରାଜ୍ୟ ପ୍ରସଙ୍ଗ ହୋଇଥିବାରୁ ରାଜ୍ୟମାନେ ଏ ନେଇ ପଦକ୍ଷେପ ନେବା ଉଚିତ ବୋଲି କହିଥିଲେ।
କେଉଁ ଅନଲାଇନ୍ ଗେମ୍ କେଉଁଠି ଖେଳିବା ଆଇନସମ୍ମତ?
କେଉଁଟି କୌଶଳ ବା ବୁଦ୍ଧିର ଖେଳ ଆଉ କେଉଁଟି କେବଳ ଭାଗ୍ୟର ଖେଳ? ଅଥବା କେଉଁଟି କୌଶଳ ଓ ଭାଗ୍ୟର ମିଶାମିଶି ଖେଳ?- ଏ ନେଇ ସ୍ପଷ୍ଟତା ନଥିବାରୁ ଅନେକ କମ୍ପାନୀ ଫାଣ୍ଟାସି ସ୍ପୋର୍ଟସ ନାଁରେ ଅନଲାଇନ୍ ଗେମ୍ ଚଲାଇପାରୁଛନ୍ତି। ଏ ନେଇ ପୃଥିବୀ ଓ ଭାରତରେ ଓ ଦେଶର ବିଭିନ୍ନ ରାଜ୍ୟ ଭିତରେ ଭିନ୍ନ ଭିନ୍ନ ଆଇନ ରହିଛି। ଗେମ୍ ଓ ଗାମ୍ବଲିଂ ବା ବେଟିଂ ଭିତରେ ଫରକ ରହିଛି।
୧୮୭୬ରେ ଭାରତରେ ପବ୍ଲିକ୍ ଗାମ୍ବଲିଂ ଆକ୍ଟ ତିଆରି କରାଗଲା ବେଳେ ଧାରା-୧୨ରେ କୌଶଳ ବା ବୁଦ୍ଧିର ଖେଳକୁ ଆଇନସମ୍ମତ ରଖାଯାଇଥିଲା। ସେହି ଅନୁସାରେ ଅନେକ ରାଜ୍ୟରେ ଫାଣ୍ଟାସି ସ୍ପୋର୍ଟସ, ରମି, ପୋକର ଭଳି କାର୍ଡ ଖେଳକୁ କୌଶଳର ଖେଳ ବା ଆଇନସମ୍ମତ ଭାବେ ବିବେଚନା କରାଯାଏ। ମାତ୍ର ସମ୍ବିଧାନର ଅନୁଚ୍ଛେଦ-୭ ଅନୁସାରେ ‘ଗାମ୍ବଲିଂ ଓ ବେଟିଂ’ ଏକ ରାଜ୍ୟ ପ୍ରସଙ୍ଗ ହୋଇଥିବାରୁ ଓଡ଼ିଶା, ଆସାମ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଭଳି ରାଜ୍ୟରେ ଟଙ୍କା ଲାଗିଥିବା ସବୁ ପ୍ରକାର ଖେଳକୁ ଗାମ୍ବଲିଂ ବା ଜୁଆ ଭାବରେ ବିବେଚନା କରାଯାଉଛି।
ଓଡ଼ିଶା ସବୁ ପ୍ରକାର ଗାମ୍ବଲିଂକୁ ୧୯୫୫ର ଗାମ୍ବଲିଂ ପ୍ରିଭେନସନ୍ ଆକ୍ଟରେ ବେଆଇନ ଘୋଷଣା କରିଛି। ହେଲେ ଏବେ ବି ଗୋଆ ଓ ସିକିମରେ କାସିନୋ ଖେଳ ପାଇଁ କିଛି ସଂସ୍ଥାଙ୍କୁ ଲାଇସେନ୍ସ ଦିଆଯାଉଛି।
ବିଶ୍ୱରେ ବ୍ରିଟେନ, କାନାଡ଼ା, ଅଷ୍ଟ୍ରେଲିଆ ଭଳି କିଛି ଦେଶରେ ଏବେ ଅନଲାଇନ ଗେମ ଆଇନ ସମ୍ମତ ରହିଛି। ହେଲେ ଚୀନ, ସାଉଦି ଆରବ ଓ ଦକ୍ଷିଣ କୋରିଆ ଭଳି କିଛି ଦେଶରେ ବେଆଇନ ରହିଛି।
ଭାରତରେ ଅଧିକାଂଶ ରାଜ୍ୟରେ ଏବେ ଫାଣ୍ଟାସି ଗେମ୍ ଭଳି କୌଶଳ-ଭିତ୍ତିକ ଅନଲାଇନ୍ ଗେମ୍ ଆଇନସମ୍ମତ ରହିଛି। ମାତ୍ର ଓଡ଼ିଶାରେ ବେଟିଂ ଭଳି ଲାଗୁଥିବା କୌଣସି ଅର୍ଥଭିତ୍ତିକ ଗେମ ଆଇନସମ୍ମତ ନାହିଁ। ଭାରତର ଅନ୍ୟ କିଛି ରାଜ୍ୟରେ ଅନଲାଇନ ଗେମ୍ କମ୍ପାନୀ ଖୋଲି Dream 11 ଓ My11 Circle ଭଳି ଗେମିଂ ଆପ୍ ଚଳାଇଥିବା ସଂସ୍ଥାର କେୱାଇସି ପ୍ରାୟତଃ ଠିକ୍ ରହିଥିବା ଦେଖାଯାଉଛି। କେୱାଇସି କହିଲେ, ସଂପୃକ୍ତ କମ୍ପାନୀର ସବୁ ତଥ୍ୟ ୱେବସାଇଟ ବା ଆପରେ ରହିଥିବାବେଳେ ଏଥିରୁ ଯେଉଁମାନେ ଖେଳିବା ପରେ କୋଟି କୋଟି ଟଙ୍କା ପୁରସ୍କାର ପାଉଛନ୍ତି, ସେମାନଙ୍କଠାରୁ ଆୟକର ଆଇନ ଅନୁସାରେ ୩୦% ଟିଡିଏସ ବା ଟାକ୍ସ ଡିଡକ୍ଟେଡ୍ ଆଟ୍ ସୋର୍ସ କାଟି ନିଆଯାଇ ସରକାରଙ୍କୁ ଦିଆଯାଉଛି। ଏହାପରେ କମ୍ପାନୀ ଏଥରୁ ୨୮ ପ୍ରତିଶତ ଜିଏସଟି କାଟି ସରକାରଙ୍କୁ ଦେଉଛି। ଉଦାହରଣ ସ୍ୱରୂପ ୩ କୋଟି ଟଙ୍କା ପୁରସ୍କାର ଜିତିଥିବା ଜଣେ ବ୍ୟକ୍ତି ଆକାଉଣ୍ଟରେ ପ୍ରକୃତ ଟଙ୍କା ପାଇଲା ବେଳକୁ ତାହା ପାଖାପାଖି ୧ କୋଟି ୮୦ ଲକ୍ଷ ଟଙ୍କା ଭଳି ହୋଇଯାଉଛି। ଅନ୍ୟପକ୍ଷରେ ଅନେକ ଅନଇାଇନ୍ ଗେମ୍ ଚଳାଉଥିବା ସଂସ୍ଥାର ବ୍ୟାକସାଇଡ୍ ସଫ୍ଟୱେର ସ୍ୱଚ୍ଛ ନୁହେଁ, ଏଥିରେ ଗଡ଼ବଡ଼ିର ଆଶଙ୍କା ରହିଥିବା ଅଭିଯୋଗ ଆସୁଛି।
ଅନଲାଇନ୍ ଗେମର ବଜାର
୨୦୨୩ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ ୩୫.୭ ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର ୩୩ ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ ୧୯୫୫ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି। ଟିକ୍ ଟକ୍ ସ୍କିଲ ଗେମସ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୨୧ରେ ଓଡ଼ିଶା ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଛି। ସୁପ୍ରିମକୋର୍ଟର ଏକ ପୁରୁଣା ରାୟକୁ ଦର୍ଶାଇ ବୁଦ୍ଧିର ଖେଳ ଓ ଭାଗ୍ୟର ଖେଳକୁ ସମାନ ନ କରିବାକୁ ଦର୍ଶାଇଛି। ଅନ୍ୟପଟରେ ବଲାଙ୍ଗୀର ଭଳି କେତେକ ଅଂଚଳରେ ଲୋକେ ପ୍ରକୃତ ସଂସ୍ଥା ବା ଏହାର E-KYC ଯାଂଚ୍ ନ କରି ଏକପ୍ରକାର ଅନଲାଇନ ବେଟିଂରେ ଟଙ୍କା ଲଗାଇଥିବା ଦେଖାଯାଇଥିଲା। ଏହି ଖେଳ ଜରିଆରେ ପ୍ରାୟ ୨ କୋଟି ଟଙ୍କା ରୋଜଗାର କରିଥିବା ଯୁବକଙ୍କୁ ନିକଟରେ ପୋଲିସ୍ ଗିରଫ କରିଛି।
ଯେଉଁମାନେ ଅନଲାଇନ୍ ଗେମ୍ ଖେଳୁଛନ୍ତି, ସେମାନେ କେତେ ବୁଦ୍ଧି ଓ ଭାଗ୍ୟ ଉପରେ ନିର୍ଭର କରୁଛନ୍ତି, ସେ ନେଇ ଏପର୍ଯ୍ୟନ୍ତ ଅନ୍ତତଃ ଓଡ଼ିଶାରେ ସ୍ପଷ୍ଟତା ଆସିନାହିଁ। ମାତ୍ର ବେଆଇନ କମ୍ପାନୀ ଆପରେ ଗେମ୍ ଖେଳି ନିଜର କଷ୍ଟ ଅର୍ଜିତ ଟଙ୍କାକୁ ନ ହରାଇବାକୁ ପୋଲିସ୍ ବାରମ୍ବାର ପରାମର୍ଶ ଦେଉଛି। କୌଶଳ ଓ ସ୍ୱଚ୍ଛତା ବିନା ଅନଲାଇନ ଗେମ୍ ସମାଜରେ ଏକ ବିଷାକ୍ତ ପରିବେଶ ସୃଷ୍ଟି କରୁଛି।
(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନ୍ଗୋ, ଭୁବନେଶ୍ୱର)
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।