Advertisment

ଜାତୀୟ ରାଜପଥରେ କମିଶନରେଟ୍ ପୁଲିସ୍‌ର ‘ଅପରେସନ ବ୍ଲାକ ସ୍ମୋକ’, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ୍ କରିଥିଲା ଏହି ଅପରେସନ।

Car

Car

Advertisment

ଗଞ୍ଜେଇ ନେଇ କଳା ଧୂଆଁ ଛାଡ଼ି ଜାତୀୟ ରାଜପଥରେ ଦ୍ରୁତ ଗତିରେ ପଳାଉଥିବା ଏକ କାରକୁ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ୍ ଧରିବା ସହିତ ୨ ଜଣଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ସିପୁନ ବେହେରା (୩୧) ଓ ଅନନ୍ତ ଦିଗଲ (୩୨)। ସେମାନଙ୍କ ଘର କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗୁଡ଼ାରୀ ଗାଁରେ। ସେମାନଙ୍କଠାରୁ ଏକ କ୍ୱିଣ୍ଟାଲ ୧୨ କେଜି ଗଞ୍ଜେଇ, ଗୋଟିଏ ମାରୁତି ସିଆଜ୍ କାର ଓ ଦୁଇଟି ମୋବାଇଲ ଜବତ କରାଯାଇଛି।

ଏକ ଧଳା ରଙ୍ଗର ମାରୁତି ସିଆଜ କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। କାରଟି ଫୁଲବାଣୀରୁ ଝାଡ଼ଖଣ୍ଡ ଯାଉଥିଲା। କାରଟି କଳା ଧୂଆଁ ଛାଡ଼ି ୧୫ ନମ୍ବର ଜାତୀୟ ରାଜପଥରେ ଯାଉଥିବା ନେଇ ସ୍ପେଶାଲ କ୍ରାଇମ ୟୁନିଟ୍ ସୂଚନା ପାଇଥିଲା।

Advertisment

ଏହି ସୂଚନା ଆଧାରରେ କାରଟିକୁ ଧରିବାକୁ ‘ଅପରେସନ ବ୍ଲାକ ସ୍ମୋକ’ (ଅପରେସନ କଳା ଧୂଆଁ) ଆରମ୍ଭ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ୍। ଏଥିପାଇଁ ତିନିଟି ଟିମ୍ ଗଠନ କରାଯାଇଥିଲା। ଦୁଇଟି ଟିମ୍ ଗାଡ଼ିକୁ ଗୋଡ଼ାଇ ଧରିବା ଦାୟିତ୍ୱରେ ଥିବା ବେଳେ ଆଉ ଗୋଟିଏ ଟିମ୍‌କୁ ଜାଆଁଳ ଫ୍ଲାଏ ଓଭରରେ ରାସ୍ତା ବନ୍ଦ କରିବାକୁ ଦାୟିତ୍ୱ ଦିଆଯାଇଥିଲା,ଯେମିତି ଖୋର୍ଦ୍ଧା ପଟରୁ ଆସୁଥିବା କୌଣସି ଗାଡ଼ି ଭୁବନେଶ୍ୱର ଆଡ଼କୁ ଯାଇପାରିବେ ନାହିଁ।

୧୫ ନମ୍ବର ଜାତୀୟ ରାଜପଥ ଉପରେ ପିତାପଲ୍ଲୀ ନିକଟରେ ଗଞ୍ଜେଇ ଭର୍ତ୍ତି କାରଟିକୁ ଠାବ କଲା ପରେ ସ୍ପେଶାଲ କ୍ରାଇମ ୟୁନିଟ୍‌ର ଦୁଇଟି ଟିମ୍ ପିଛା କରିଥିଲେ। ପଛରେ ପୁଲିସ୍ ଗାଡ଼ି ଦେଖି ଅଭିଯୁକ୍ତମାନେ ସେମାନଙ୍କ କାରର ବେଗ ବଢ଼ାଇ ଦେଇଥିଲେ। ସେମାନେ ଦ୍ରୁତଗତିରେ ଫେରାର ହୋଇଯିବାକୁ ପ୍ରୟାସ କରିଥିଲେ। ହେଲେ ଉତ୍ତମ ସମନ୍ୱୟ ରଖି ସ୍ପେଶାଲ କ୍ରାଇମ ୟୁନିଟ୍‌ର ଦୁଇଟି ଟିମ୍ ଗାଡ଼ିଟିକୁ ପିଛା କରିଥିଲେ। କିଛି ବାଟ ଯିବା ପରେ ସ୍ପେଶାଲ କ୍ରାଇମ ୟୁନିଟ୍‌ର ଗୋଟିଏ ଗାଡ଼ି ଉକ୍ତ କାର ଆଗକୁ ଚାଲିଯାଇଥିଲା। ପୁଲିସ୍‌ର ଗୋଟିଏ ଗାଡ଼ି ଆଗରେ ଓ ଗୋଟିଏ ପଛରେ ରହିବାରୁ ଖସି ଯାଇପାରିଲେନି ଅଭିଯୁକ୍ତି। ପୁଣି ଅନ୍ୟ ଟିମ୍ ଜାଆଁଳ ଫ୍ଲାଏ ଓଭରରେ ଜାଲ ବିଛାଇ ବସିଥିଲା। ଶେଷରେ ଅଭିଯୁକ୍ତମାନେ କାର ଅଟକାଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉଭୟ ସ୍ପେଶାଲ କ୍ରାଇମ ୟୁନିଟ୍ ହାତରେ ଧରାପଡ଼ିଥିଲେ। ଯାଞ୍ଚ ବେଳେ କାରରୁ ମିଳିଥିଲା ଗଞ୍ଜେଇ। ଏହା ସହିତ ସଫଳ ହୋଇଥିଲା ‘ଅପରେସନ ବ୍ଲାକ ସ୍ମୋକ’।

ଏ ଘଟଣା ପୁଲିସର ତଦନ୍ତ ଜାରି ରହିଛି। କେଉଁଠାରୁ ସେମାନେ ଗଞ୍ଜେଇ ଆଣିଥିଲେ, କାହା ପାଖକୁ ସେମାନେ ଗଞ୍ଜେଇ ନେଇ ଯାଉଥିଲେ, ସେମାନଙ୍କ ନେଟୱର୍କରେ କେଉଁମାନେ ଅଛନ୍ତି- ଏସବୁ ନେଇ ତଦନ୍ତ ଜାରି ରଖିଛି ପୁଲିସ।

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସ୍ପେଶାଲ କ୍ରାଇମ ୟୁନିଟ୍ ୪୧୨ କେଜି ଗଞ୍ଜେଇ ଜବତ କରିଛି। ଏହାର ମୂଲ୍ୟ ୪୧ ଲକ୍ଷ ଟଙ୍କା ହେବ। ଏହା ସହିତ ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି। ସେହିପରି ୮୦୮ ଗ୍ରାମର ବ୍ରାଉନ ସୁଗର ଜବତ କରିଛି,ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା। ବ୍ରାଉନ ସୁଗର ରଖିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି।

Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe