/odisha-reporter/media/post_attachments/uploadimage/library/16_9/16_9_0/IMAGE_1696075405.jpg)
Board Office
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ।
ଉଭୟ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଘନ ଘନ ଜେରା କରିବା ପରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ନେଇ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ।
ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଲାପଟପରୁ ପେନ ଡ୍ରାଇଭରେ ପ୍ରଶ୍ନପତ୍ର ଚୋରାଇବା ପରେ ଜିତନ ଏହାର ହାର୍ଡ କପି ପ୍ରସ୍ତୁତ କରିଥିଲେ। ତା’ପରେ ପୂର୍ବ ଯୋଜନା ମୁତାବକ ପେନ ଡ୍ରାଇଭ ଓ ହାର୍ଡ କପିକୁ ଏକ ଲଫାପାରେ ପୂରାଇ ଡ୍ରାଇଭର ସହିତ ନୟାଗଡ଼ ଯାଇଥିଲା ଜିତନ।
ସେଠାରେ ବିଜୟ ମିଶ୍ରଙ୍କ ଭାଇଙ୍କୁ ଉଭୟ ପେନ ଡ୍ରାଇଭ ଓ ହାର୍ଡ କପି ଦେଇଥିଲେ ଜିତନ। ଏହାପରେ ବିଜୟ ମିଶ୍ରଙ୍କ ଭାଇ ଏହାକୁ ରାୟଗଡ଼ା ଜିଲ୍ଲା ଆମ୍ବଦଳା ନେଇ ବିଜୟଙ୍କୁ ହସ୍ତାନ୍ତର କରିଥିଲା। ପରେ ବିଜୟ ମିଶ୍ର, ପ୍ରକାଶ ଖମାରି ଏବଂ ଅନ୍ୟ କେତେଜଣ ଅଭିଯୁକ୍ତ ଏହି ପ୍ରଶ୍ନପତ୍ରକୁ ନିଜ ନଜ ହାତରେ ଲେଖିଥିଲେ ବୋଲି କ୍ରାଇମବ୍ରାଞ୍ଚ ଜେରା ବେଳେ ଜାଣିବାକୁ ପାଇଛି।
ହାତଲେଖା ଦ୍ୱାରା ପ୍ରଶ୍ନପତ୍ର ପ୍ରଘଟ କଥା ଜଣାପଡ଼ିବ ନାହିଁ ବୋଲି ଅଭିଯୁକ୍ତମାନେ ଏଭଳି କାମ କରିଥିଲେ ବୋଲି ସୂଚନା ମିଳିଛି। ଡ୍ରାଇଭର ଓ ବିଜୟ ମିଶ୍ରଙ୍କ ଭାଇଙ୍କୁ ପଚରାଉଚରା କରାଯାଉଥିବା ବେଳେ ସେମାନଙ୍କ ସମ୍ପୃକ୍ତି ନେଇ ତର୍ଜମା କରାଯାଉଛି।
ଡ୍ରାଇଭର ଜଣକ ଜିତନଙ୍କ ସହ ନୟାଗଡ଼ ପର୍ଯ୍ୟନ୍ତ ଯାଇଥିଲେ ବି ସେ କ’ଣ ନେଇକି ଯାଉଛନ୍ତି, ତାହା ଜାଣିଥିଲେ ନା କେବଳ ଜଣେ ଡ୍ରାଇଭର ଭାବେ ଯାଇଥିଲେ, ସେନେଇ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ ଚଳାଇଛି।
ଅନ୍ୟପଟେ ବିଜୟ ମିଶ୍ରଙ୍କ ଭାଇ ଏହି ପ୍ରଶ୍ନପତ୍ର ଚୋରି ମାମଲା ସମ୍ପର୍କରେ ଜାଣିଥିଲେ ବୋଲି ତଦନ୍ତକାରୀ ଅଧିକାରୀ ଅନୁମାନ କରୁଛନ୍ତି। ଏନେଇ ପ୍ରମାଣ ଖୋଜିବାରେ ଲାଗିପଡିଛନ୍ତି ତଦନ୍ତକାରୀ ଦଳ। ବିଜୟଙ୍କ ଭାଇ ଏସବୁ ବିଷୟରେ ଯଦି ଜାଣିଥିବାର ସ୍ପଷ୍ଟ ହୁଏ, ତେବେ ଖୁବ ଶୀଘ୍ର ସେ ମଧ୍ୟ ଗିରଫ ହୋଇପାରନ୍ତି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।
ଜିତନ ମହାରଣା ଓ ବିଜୟ ମିଶ୍ରଙ୍କ ଠାରୁ ମିଳିଥିବା ତଥ୍ୟକୁ ତର୍ଜମା କରିବା ପରେ ଆବଶ୍ୟକତା ଅନୁଯାୟୀ ନିହାର ମହାନ୍ତି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ନା ନାହିଁ ସେନେଇ କ୍ରାଇମବ୍ରାଞ୍ଚ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର କେଳେଙ୍କାରୀରେ ସମ୍ପୃକ୍ତି ରହିଛି ବୋଲି କ୍ରାଇମବ୍ରାଞ୍ଚ ବରିଷ୍ଠ ଅଧିକାରୀ କହିଛନ୍ତି। ଆଗକୁ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ମିଳିଛି।
ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଉଭୟ ଜିତନ ମହାରଣା ଏବଂ ବିଜୟ ମିଶ୍ରଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା। ପରେ ଉଭୟଙ୍କୁ ଚୌଦ୍ୱାର ଜେଲ ପଠାଇ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
