Advertisment

ପଦ୍ମ ପୁରସ୍କାର ପ୍ରାପ୍ତ ସନ୍ଥଙ୍କ ନାଁରେ ସାଂଘାତିକ ଅଭିଯୋଗ, ଚାକିରି ଦେବା ନାଁରେ ଆଶ୍ରମ ଭିତରେ କରୁଥିଲେ ଦୁଷ୍କର୍ମ

ଗୋଟିଏ ଥର କାର୍ତ୍ତିକ ମହାରାଜ ତାଙ୍କୁ ଆଶ୍ରମକୁ ଡାକିଥିଲେ। ସେଠାରେ ତାଙ୍କୁ ୫ ଦିନ କାଳ ରହିବାକୁ କହିଥିଲେ। ଏହି ୫ ଦିନ ମଧ୍ୟରେ କାର୍ତ୍ତିକ ମହାରାଜ ତାଙ୍କୁ ଆଶ୍ରମ ଭିତରେ ମଧ୍ୟ ବାରମ୍ବାର ଦୁଷ୍କର୍ମ କରିଛନ୍ତି।

author-image
Hemant Lenka
Kartik Maharaj

Kartik Maharaj

ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମ ଶ୍ରୀ ସମ୍ମାନ ପାଇଥିବା ସନ୍ଥ ସ୍ୱାମୀ ପ୍ରଦୀପ୍ତ ନନ୍ଦ ଓରଫ କାର୍ତ୍ତିକ ମହାରାଜଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ପଶ୍ଚିମବଙ୍ଗର ଜଣେ ମହିଳା ତାଙ୍କ ବିରୋଧରେ ବାରମ୍ବାର ଦୁଷ୍କର୍ମ ସହ ବଳପୂର୍ବକ ଗର୍ଭପାତ କରାଇବାର ଅଭିଯୋଗ ଆଣିଛନ୍ତି। ଗୋଟିଏ ସ୍କୁଲରେ ଚାକିରି ଦେବା ନାଁରେ କାର୍ତ୍ତିକ ମହାରାଜ ତାଙ୍କୁ ୨୦୧୩ରୁ ବାରମ୍ବାର ଦୁଷ୍କର୍ମ କରି ଚାଲିଥିବା ମହିଳା ଜଣଙ୍କ କହିବା ପରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଭାରତ ସେବାଶ୍ରମ ସଂଘର ବେଲଦାଙ୍ଗ ୟୁନିଟ ସହ କାର୍ତ୍ତିକ ମହାରାଜ ଜଡ଼ିତ। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏହି ସଂଘ କାର୍ଯ୍ୟ କରେ। ମହିଳା ଜଣଙ୍କ ଦୁଷ୍କର୍ମ ଆଣିଥିଲେ ହେଁ ଏହାକୁ କାର୍ତ୍ତିକ ମହାରାଜଙ୍କ ପକ୍ଷରୁ ଷଡ଼ଯନ୍ତ୍ର ବୋଲି କୁହାଯାଇଛି।

ଚଳିତ ବର୍ଷ ଭାରତ ସରକାରଙ୍କ ପକ୍ଷରୁ ଦେଶର ୪ର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ଶ୍ରୀରେ କାର୍ତ୍ତିକ ମହାରାଜଙ୍କୁ ସମ୍ମାନୀତ କରାଯାଇଥିଲା। ହେଲେ ଏବେ ତାଙ୍କ ବିରୋଧରେ ଦୁଷ୍କର୍ମ ଓ ଗର୍ଭପାତ କରାଇବା ଭଳି ଅଭିଯୋଗ ଆସିଛି।

Advertisment

ନବଗ୍ରାମ ପୁଲିସ୍‌ରେ ମହିଳା ଜଣଙ୍କ ଦାଖଲ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ମହାରାଜ ତାଙ୍କୁ ଚାଣକ ଆଦିବାସୀ ବାଳିକା ବିଦ୍ୟାଳୟରେ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ଅନ୍ୟତମ ଆଶ୍ରମ ସ୍କୁଲ ଭାବେ ପରିଚିତ। ୨୦୧୨ ଡିସେମ୍ବର ମାସରେ ମହାରାଜଙ୍କୁ ମହିଳା ଭେଟିବା ବେଳେ ଚାକିରିର ପ୍ରତିଶ୍ରୁତି ପାଇଥିଲେ।

ଚାକିରି ପ୍ରତିଶ୍ରୁତି ମିଳିବା ସହ ମହିଳାଙ୍କୁ ୨୦୧୩ ଜାନୁଆରୀ ମାସରେ ସ୍କୁଲର ହଷ୍ଟେଲରେ ରହିବାର ବ୍ୟବସ୍ଥାର କରାଯାଇଥିଲା। ଏଥିସହ ଖୁବଶୀଘ୍ର ତାଙ୍କୁ ଚାକିରି ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ହଷ୍ଟେଲରେ ରହିବା ବେଳେ କାର୍ତ୍ତିକ ମହାରାଜ ତାଙ୍କୁ ପ୍ରାୟ ପ୍ରତିଦିନ ବିଲଡିଂର ୫ମ ମହଲାକୁ ନେଉଥିଲେ। ସେଠାରେ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଦୁଷ୍କର୍ମ କରୁଥିଲେ।

ମହିଳା ଜଣଙ୍କ ଆହୁରି ଅଭିଯୋଗ କରିଛନ୍ତି ଯେ ଗୋଟିଏ ଥର କାର୍ତ୍ତିକ ମହାରାଜ ତାଙ୍କୁ ଆଶ୍ରମକୁ ଡାକିଥିଲେ। ସେଠାରେ ତାଙ୍କୁ ୫ ଦିନ କାଳ ରହିବାକୁ କହିଥିଲେ। ଏହି ୫ ଦିନ ମଧ୍ୟରେ କାର୍ତ୍ତିକ ମହାରାଜ ତାଙ୍କୁ ଆଶ୍ରମ ଭିତରେ ମଧ୍ୟ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ବାରମ୍ବାର ଦୁଷ୍କର୍ମ କରିବା ପରେ ମହିଳାଙ୍କୁ ଘରକୁ ଚାଲି ଯିବାକୁ କୁହାଯାଇଥିଲା। ଏଥିସହ ତାଙ୍କୁ ପ୍ରତି ମାସରେ ମହାରାଜ ଟଙ୍କା ପଠାଇବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ବାରମ୍ବାର ଦୁଷ୍କର୍ମ ଯୋଗୁ ୨୦୧୩ରେ ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ। ଏକଥା ମହାରାଜ ଜାଣିବା ପରେ ତାଙ୍କ ସ୍କୁଲର କର୍ମଚାରୀଙ୍କୁ ମହିଳାଙ୍କ ପାଖକୁ ପଠାଇଥିଲେ। ଏହାପରେ ସେମାନେ ତାଙ୍କୁ ବହରୁମପୁର ସ୍ଥିତ ଗୋଟିଏ ଘରୋଇ ନର୍ସିଂ ହୋମକୁ ନେଇ ଯାଇଥିଲେ ଓ ସେଠାରେ ବଳପୂର୍ବକ ତାଙ୍କର ଗର୍ଭପାତ କରାଯାଇଥିଲା। ଗର୍ଭପାତଙ୍କୁ ପ୍ରଥମେ ପୀଡ଼ିତା ଜଣଙ୍କ ବିରୋଧ କରିଥିଲେ। କିନ୍ତୁ ମହାରାଜ ତାଙ୍କୁ ଧମକ ଦେଇ ସ୍କୁଲ କର୍ମଚାରୀ ଓ ଜଣେ ଡାକ୍ତରଙ୍କ ସହାୟତାରେ ତାଙ୍କର ଗର୍ଭପାତ କରାଇ ଦେଇଥିଲେ।

ଏତେ ସବୁ ପରେ ମଧ୍ୟ ମହିଳା ଜଣଙ୍କ ଚାକିରି ପାଇବା ଆଶାରେ ରହିଥିଲେ। କିନ୍ତୁ ଅଭିଯୁକ୍ତ କାର୍ତ୍ତିକ ମହାରାଜ ତାଙ୍କୁ ଚାକିରି ବଦଳରେ ଯୌନ ନିର୍ଯାତନା ଦେଇ ଚାଲିଥିଲେ। ପୀଡ଼ିତା ଜଣଙ୍କ କହିଛନ୍ତି, “ସେ ମୋତେ ମୁର୍ଶିଦାବାଦ ଆଶ୍ରମର ବିଭିନ୍ନ ବ୍ରାଞ୍ଚରେ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି। ସେ ମୋତେ ଚାକିରିର ପ୍ରତିଶ୍ରୁତି ଦେଇ ଚାଲିଥିଲେ ଓ ମୁଁ ମଧ୍ୟ ଅପେକ୍ଷା କରିଥିଲି। କିନ୍ତୁ ସମୟକ୍ରମେ ମୋର ଧୈର୍ଯ୍ୟ ଭାଙ୍ଗି ଯାଇଥିଲା।

ଜୁନ ୧୨ରେ ମୁଁ ତାଙ୍କୁ ଫୋନ କରିଥିଲି। ସେ ମୋତେ ଜୁନ ୧୩ ସନ୍ଧ୍ୟା ୭ଟା ବେଳେ ବହରୁମପୁରର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଭେଟ ହେବ ବୋଲି କହିଥିଲେ। ସେ ମୋତେ କହିଥିଲେ ଯେ ଦୁଇ ଜଣ ଲୋକ ଆସି ମୋତେ ତାଙ୍କ ପାଖକୁ ନେଇଯିବେ। ସେହି ଅନୁସାରେ ଜୁନ ୧୩ ତାରିଖ ସନ୍ଧ୍ୟା ସମୟରେ ଦୁଇ ଜଣ ଲୋକ ଆସିଥିଲେ ଓ ମୁଁ ସେମାନଙ୍କ ଗାଡ଼ିରେ ବସିଥିଲି।

କିନ୍ତୁ ସେମାନେ ମୋତେ ଗାଡ଼ି ବସାଇ ଧମକ ଦେବା ସହ ମହାରାଜଙ୍କ ସହ ଯୋଗାଯୋଗ ନ କରିବାକୁ ଚେତାବନୀ ଦେଇଥିଲେ। ସେମାନେ ମୋତେ ଦୁର୍ବ୍ୟବହାର କରିବା ସହ ଗାଡ଼ିରୁ ଠେଲି ଦେଇଥିଲା।” ମହିଳା ଜଣଙ୍କ ପୁଲିସ୍‌ରେ ଏପରି ଅଭିଯୋଗ କରିବା ସହ ସନ୍ଥଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଅନ୍ୟପକ୍ଷରେ ମହାରାଜ ମହିଳାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ସମୟ ସବୁ କିଛି କହିବ। ମୋତେ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର। ଆମ ଆଶ୍ରମରେ ଅନେକ ମହିଳା କାମ କରୁଛନ୍ତି ଓ ଅନେକ ମହିଳା ଅନୁଗାମୀ ମଧ୍ୟ ରହିଛନ୍ତି। ଆପଣ ମୋ ବିଷୟରେ ସେମାନଙ୍କୁ ପଚାରି ପାରିବେ। ଆମେ ମହିଳାଙ୍କୁ ନିଜର ମା’ ଭଳି ସମ୍ମାନ କରୁ।”

West Bengal Stop Rape