Advertisment

‘ଭୁଲ ଇଞ୍ଜେକସନ ଦେଇଦେଲେ ଡାକ୍ତର, ଚାଲିଗଲା ମୋ’ ଝିଅର ଜୀବନ ’

ବିନୋଦିନୀ ଗର୍ଭବତୀ ଥିବା ବେଳେ ଗତ ୨ ତାରିଖରେ ପରିବାର ଲୋକେ ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସାଳୟ କୁ ଆଣିଥିଲେ। ମାତ୍ର ୩ ତାରିଖରେ ସେ ଏକ ମୃତ ଶିଶୁ କୁ ଜନ୍ମ ଦେଇଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Mother & Daughter

Mother & Daughter

‘ମୋ’ ଝିଅ ପେଟରେ ଛୁଆ ମରି ଯାଇଥିବା ବେଳେ ତା’ର ଚିକିତ୍ସା ଚାଲିଥିଲା। ଆଜି ସକାଳେ ଡାକ୍ତର ତାକୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ତା’ ପରେ ମୋ’ ଛୁଆ ପାଟିରୁ ଫେଣ ବାହାରିଲା । ଆଉ ତା’ ଜୀବନ ଚାଲିଗଲା। ମୋ’ ଝିଅକୁ ଭଲ କରିବାକୁ ମୁଁ ହସ୍ପିଟାଲ ଆଣିଥିଲି। ମାତ୍ର ଡାକ୍ତର ମୋ’ ଝିଅ ଜୀବନ ନେଇଗଲେ। ’ ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ମାତୃ ଓ ଶିଶୁ ଉପଖଣ୍ଡ ଚିକିତ୍ସାଳୟ ଆଗରେ ଜଣେ ବୃଦ୍ଧା କୋହଭରା କଣ୍ଠରେ ଏପରି ବାହୁନୁଥଲେ।

Advertisment

ଆଜି ସକାଳେ ଟିଟିଲାଗଡ ଚିକିତ୍ସାଳୟରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ୍‌ ଇଞ୍ଜେକସନ୍‌ ଯୋଗୁ ଝିଅର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।

ମୃତ ମହିଳାଜଣକ ହେଲେ ବିନୋଦିନୀ ଛତର । ସେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଶିହିନି ଗାଁରୁ ବିମଲ ଛତରଙ୍କ ପତ୍ନୀ ବୋଲି ଜଣାଯାଇଛି। ବିନୋଦିନୀ ଗର୍ଭବତୀ ଥିବା ବେଳେ ଗତ ୨ ତାରିଖରେ ପରିବାର ଲୋକେ ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ୩ ତାରିଖରେ ସେ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ।

Advertisment

ଛୁଆଟିର ମୃତ୍ୟୁ ପରେ ବିନୋଦିନୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କ ଚିକିତ୍ସା ଚାଲିଥିଲା। ଆଜି ପ୍ରାୟ ସକାଳ ୬ ଟା ବେଳେ ଜଣେ ଡ଼ାକ୍ତର ବିନୋଦିନୀଙ୍କ ବେଡ ନିକଟରେ ପହଞ୍ଚି ତାଙ୍କୁ ଏକ ଭୁଲ୍‌ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦେବାର ମାତ୍ର ୫ ମିନିଟ ପରେ ତାଙ୍କ ପାଟିରୁ ଫେଣ ବାହାରିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା।

ଭୁଲ୍‌ ଇଞ୍ଜେକସନ୍‌ ଯୋଗୁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ବିନୋଦିନୀଙ୍କ ମା’ ଓ ପରିବାର ଲୋକେ ମେଡିକାଲ ସମ୍ମୁଖରେ ହୋହଲ୍ଲା କରିଥିଲେ। ଏଥିନିମନ୍ତେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଘଟଣାସ୍ଥଳରେ ଟିଟିଲାଗଡ ଏସଡିପିଓ ଟିମ୍‌ ସହ ପହଞ୍ଚି ମୃତ ମହିଳାଙ୍କ ପରିବାର ସହ ଆଲୋଚନା କରିଥିଲେ। ଏଥିସହ ଡ଼ାକ୍ତରମାନଙ୍କ ସହ ଆଲୋଚନା କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। 

ଏନେଇ ଏସଡିପିଓ କହିଛନ୍ତି,  ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାହା ରିପୋର୍ଟ ଆସିବ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିଟିଲାଗଡ଼ ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Medical Negligence Bolangir Patients Death Titilagarh