Advertisment

ଭୁଲ ଚିକିତ୍ସା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ; ନର୍ସିଂହୋମ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ମିତା ବେହେରାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।

author-image
Niharika Rout
Nursing Home

Nursing Home

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଜୀବନ ଜ୍ୟୋତି ହସ୍ପିଟାଲ ବିରୋଧରେ ହେବ ତଦନ୍ତ। ଭୁଲ ଚିକିତ୍ସା ଯୋଗୁଁ ମିତା ବେହେରା ନାମ୍ନୀ ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ମିତା ବେହେରାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।

Advertisment

ମିତା ବେହେରା ଟିଟିଲାଗଡ଼ ସରକାରୀ ହସ୍ପିଟାଲରେ ଚତୁର୍ଥଶ୍ରେଣୀ କର୍ମଚାରୀ ରୂପେ କାମ କରୁଥିଲେ। ଗତ ୧୧ ତାରିଖ ରାତିରେ ଗୋଡ଼ ଖସିଯିବାରୁ ତାଙ୍କ ହାତ ଭାଙ୍ଗି ଯାଇଥିଲା।

ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ କୌଣସି ଅର୍ଥୋପେଡ଼ିକ ଡାକ୍ତର ନ ଥିବାରୁ ସେ ଜୀବନ ଜ୍ୟୋତି ହସ୍ପିଟାଲ ନାମମ ଘରୋଇ ହସ୍ପିଟାଲକୁ ଯାଇଥିଲେ। ତାଙ୍କର କିଡ଼ନୀ ସଂକ୍ରମିତ ରୋଗ ସହ ମଧୁମେହ ରୋଗ ବି ଥିଲା। ମାତ୍ର ଏ ସବୁକୁ ଅଣଦେଖା କରି ତାଙ୍କ ଅପରେସନ କରାଯାଇଥିଲା।

Advertisment

ଅପରେସନ ବେଳେ ନିଶ୍ଚେତକ ଦିଆଯାଇଥିବା ବେଳେ ମିତା ଆଉ ଉଠି ନ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ମେଡିକାଲ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ନର୍ସିଂହୋମ ବିରୋଧରେ ଆନ୍ଦୋଳନ କରିଥିଲେ। ଘଟଣାକୁ ଚପାଇବା ନିମନ୍ତେ ନର୍ସିଂହୋମ କର୍ତ୍ତୃପକ୍ଷ ମିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଚେକ୍‌ ଦେଇଥିବା ଅଭିଯୋଗ ହୋଇଥିଲା। 

ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଏହାବାଦ ବି ନର୍ସିଂହୋମ ବିରୋଧରେ ରୋଗୀଙ୍କ ସମ୍ପର୍କୀୟ ଆହୁରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଜୀବନ ଜ୍ୟୋତି ନର୍ସିଂହୋମରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ନର୍ସିଂହୋମ ମାଲିକ ସରକାରଙ୍କଠାରୁ ଟଙ୍କା ନେଉଥିବା ବେଳେ ରୋଗୀଙ୍କୁ ବି ଶୋଷଣ କରିବାକୁ ପଛାଉ ନାହାନ୍ତି। ଏପରିକି ମିତାଙ୍କ ପରିବାର ନିକଟରୁ ନର୍ସିଂହୋମ କର୍ତ୍ତୃପକ୍ଷ ୧୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

ମାତ୍ର ନର୍ସିଂହୋମ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ନର୍ସିଂହୋମ କର୍ତ୍ତୃପକ୍ଷ ଡାକ୍ତର ମୋହନଲାଲ ଜୈନ କହିଛନ୍ତି, ଆମେ କୌଣସି ରୋଗୀଙ୍କଠାରୁ ଟଙ୍କା ନେଇନୁ। ଏହା ଏକ ଅପପ୍ରଚାର। ତେବେ ତଦନ୍ତ ପରେ ପ୍ରକୃତ ଘଟଣା ସାମନାକୁ ଆସିବ ।

Medical Negligence Bolangir