Advertisment

ଚା' ଖଟିରେ ଦାଦନ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଦୋସ୍ତି! ଡିଲ୍ ଚାଲିଥିବା ଅଭିଯୋଗ

ଭିଟାମାଟି ଛାଡ଼ି ଦାଦନ ଯାଉଥିଲେ ଅନେକ ଶ୍ରମିକ। ପାଖରେ ଥିବା ଚା ଦୋକାନରେ ଦାଦନ ସର୍ଦ୍ଦାର ସହ ଖଟି ଜମାଇଥିଲେ ପାଟଣାଗଡ଼ ଥାନାଧିକାରୀ। ଲୋକେ କହୁଛନ୍ତି ଚାଲିଥିଲା ଡିଲ୍।

author-image
Debadatta Aryashrestha
Patnagarh IIC with Dadan Sardar

Patnagarh IIC with Dadan Sardar

ଦାଦନଗଡ଼ରେ ଦାଦନଋତୁ, ଆଉ ଦାଦନ ସର୍ଦ୍ଦାର ସହ ଚା ଖଟିରେ ଖୋଦ୍ ପୁଲିସ ବାବୁ। ଆମେ କହୁଛୁ ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ଅଞ୍ଚଳ କଣ୍ଟାବାଞ୍ଜି କଥା। ୨ ଦାଦନ ସର୍ଦ୍ଦାରଙ୍କ ସହ ପାଟଣାଗଡ଼ ଆଇଆଇସିଙ୍କ ଫଟୋ ଭାଇରାଲ୍ ହେବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଉଦବେଗଜନକ କଥା ହେଉଛି, ଫଟୋରେ ଥିବା ଦୁଇ ଦାଦନ ସର୍ଦ୍ଦାରଙ୍କ ମଧ୍ୟରୁ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ବି ରହିଛି।

Advertisment

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା। ସ୍ତ୍ରୀ-ଛୁଆଙ୍କୁ ଧରି ଦାଦନ ଖଟିବାକୁ ଯାଉଥିଲେ ଶହ ଶହ ପରିବାର। ଭଲରେ ଘରକୁ ଫେରିବେ କି ନାହିଁ ଜଣାନାହିଁ। ନିର୍ଯାତିତ କି ନିଖୋଜ ହୋଇଯିବେ, ତାହା ବି ଜଣାନାହିଁ। ହେଲେ ଭିଟାମାଟି ଛାଡ଼ିବାକୁ ବାଧ୍ୟ କରିଛି ପେଟର ଭୋକ। ହେଲେ ବିଡ଼ମ୍ବନା, ବେଆଇନ ଦାଦନ ଚାଲାଣ ଉପରେ ନିଘା ରଖିବାକୁ ନା ସେଠାରେ ପୁଲିସର ଦେଖା ଥିଲା, ନା କୌଣସି ଅଧିକାରୀଙ୍କର।

ତେବେ ଏହି ଷ୍ଟେସନଠୁ ଅନତି ଦୂରରେ ଥିବା ଚା ଦୋକାନର ଏକ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଦାଦନ ସର୍ଦ୍ଦାର ଶ୍ରୀଧର କୁମ୍ଭାର, ସୁଶାନ୍ତ ପାତ୍ର ଓ ଖୋଦ୍ ପାଟଣାଗଡ଼ ଆଇଆଇସି ହରିବନ୍ଧୁ ଗଡ଼ତିଆଙ୍କୁ ଏକାଠି ଦେଖିବାକୁ ମିଳୁଛି। ପୁଲିସ ବାବୁ ଏଠି କଣ କରୁଥିଲେ, କେଉଁ ବିଷୟରେ କଥା ହେଉଥିଲେ, ତାହା ତ ଜଣାନାହିଁ। ହେଲେ ମାର୍କା ମାରା ଦାଦନ ସର୍ଦ୍ଦାରଙ୍କ ସହ ପୁଲିସର ଏଭଳି ଖୋଲାଖୋଲି ଚା ଖଟିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା।

Advertisment

ଅନ୍ୟପଟେ ଦାଦନ ଯାଇ ନିଖୋଜ ହୋଇଯାଇଥିବା ଶ୍ରମିକ ମୈତ୍ର ସେଠଙ୍କ ମାଆ କୋହଭରା କଣ୍ଠରେ କହିଛନ୍ତି ଯେ ପୁଅ ଦାଦାନ ଖଟିବାକୁ ଯାଇ, ଶେଷଥର ଫୋନ୍ କରି କହିଥିଲା- ଟଙ୍କା ପଠାଉଛି, ଗ୍ରୁପ୍ ଋଣ ଶୁଝିଦେବୁ। ଆଉ ତା ପରଠୁ ପୁଅର ଖୋଜଖବର ନାହିଁ। ପୁଅ ମୈତ୍ର ସେଠ୍ ନିଖୋଜ ପାଇଁ ଦାଦାନ ସର୍ଦ୍ଦାର ସୁଶାନ୍ତ ପାତ୍ରକୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ ମାଆ ପଦ୍ମା। ହେଲେ ପୁଲିସ ଏହି ମାମଲାରେ ଆକ୍ସନ ନେବ କଣ, ଓଲଟି ଚା ଦୋକାନରେ ସୁଶାନ୍ତ ସହ ଖଟି କରୁଥିବା ଅଭିଯୋଗ ହେଉଛି। ଏନେଇ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତିଆ କିମ୍ବା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ, ଦାଦନ ସର୍ଦ୍ଦାର ଶ୍ରୀଧର କୁମ୍ଭାର କହିଛନ୍ତି, ଏକ ମାମଲା ବିଷୟରେ ସେ 
ଆମକୁ ପଚାରୁଥିଲେ। 

ତେବେ ପ୍ରଶ୍ନ ଉଠୁଛି- ଚା ଖଟିରେ ଇଏ କେଉଁ ପ୍ରକାର ତଦନ୍ତ? ଏତଲାରେ ନାଁ ଥିବା ଦାଦନ ସର୍ଦ୍ଦାର ସହ ପୋଲିସ ବାବୁଙ୍କ ଏଭଳି ଖଟି କେତେ ଯୁକ୍ତିଯୁକ୍ତ? ଥାନାକୁ ନଡାକି ସତରେ କଣ ଛକ ବଜାରରେ ପଚରାଉଚରା କରୁଥିଲେ ଥାନାବାବୁ? ନା ଏହା ପଛରେ ରହିଛି ଆଉ କେଉଁ ରହସ୍ୟ?

Migrant Labors Balangir Migrant Labor Problem Patnagarh Police IIC Dadan Sardar