Advertisment

କପି ଦେଇ ଫସିଗଲେ ପିଅନ

ଆଜି ଗଣିତରେ କପି କରି ପୂରା ରାଜ୍ୟରେ ୫୧ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି।

author-image
Jitendra Garnayak
School

School

ସିସିଟିଭି,ଏଆଇ ସତ୍ତ୍ୱେ ଚଳିତ ମାଟ୍ରିକ୍ ପରୀକ୍ଷା ବିବାଦଶୂନ୍ୟ ହୋଇପାରିନାହିଁ। ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ତେବେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରୁଛନ୍ତି। ଏ ସବୁ ଭିତରେ ଚର୍ଚ୍ଚାକୁ ଆସିଛନ୍ତି ଭଦ୍ରକାଳୀ ସରକାରୀ ଉଚ୍ଚବିଦ୍ୟାଳୟର ପିଅନ ଚିତ୍ତରଞ୍ଜନ ବେହେରା। ପିଲାଙ୍କୁ କପି ଯୋଗାଉଥିବା ଅଭିଯୋଗରେ ତାଙ୍କୁ ଆଜି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଉଠାଇ ନେଇଛି। ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌।

Advertisment

ଆଜି ପରୀକ୍ଷା ଶେଷ ହେବା ପରେ ଭଦ୍ରକାଳୀ ସରକାରୀ ଉଚ୍ଚବିଦ୍ୟାଳୟର ଫାଟକରେ ତାଲା ପକାଇ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ହୋହାଲ୍ଲା କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଏଯାବତ ହୋଇଥିବା ୩ଟି ପରୀକ୍ଷାରେ ପିଅନ ଚିତ୍ତରଞ୍ଜନ ବେହେରା କିଛି ନିର୍ଦ୍ଦିଷ୍ଟ ପିଲାଙ୍କୁ କପି ଯୋଗାଉଛନ୍ତି। ସ୍କୁଲ୍‌ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇବା ପରେ ବ୍ଲକ୍ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ଓ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ପହଞ୍ଚି ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ। ପିଅନ ଚିତ୍ତରଞ୍ଜନ ବେହେରାଙ୍କୁ ପୁଲିସ୍ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି।

ଆଜି ଗଣିତ ପରୀକ୍ଷା ଥିଲା। ପରୀକ୍ଷା ପୂର୍ବରୁ କେନ୍ଦୁଝରରେ ଗଣିତର ୨ ସେଟ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆଜି ଗଣିତରେ କପି କରି ପୂରା ରାଜ୍ୟରେ ୫୧ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସେମାନଙ୍କୁ ଏମ୍‌ପି କରାଯାଇଛି।

Advertisment
Matric Exam