Advertisment

ଲୁଟ୍ ପରେ ଗାଁ ପାଖରେ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରି ଫସିଗଲେ ଦୁଇ ଚୋର

ଜଣେ ଡାକ୍ତରଙ୍କ ଘରେ ପଶି ସୁନଗହଣା ଓ ଟଙ୍କା ନେଇଯାଇଥିଲେ।

author-image
Jitendra Garnayak
Accused

Accused

ଦୁଇ ଜଣ ଚୋର ଜଣେ ଡାକ୍ତରଙ୍କ ଘରୁ ଚୋରି କରିବା ପରେ ଗାଁ ପାଖରେ କୌଣସି ଅଜ୍ଞାତ ସ୍ଥାନରେ ଲୁଚି ରହି ସକାଳେ ଅଟୋ ଡାକି ଫେରାର ହେବାକୁ ଚେଷ୍ଟା କଲା ବେଳେ ଲୋକଙ୍କ ହାତରେ ଧରାପଡ଼ିଥିଲେ। ଲୋକେ ସେମାନଙ୍କୁ ନିସ୍ତୁକ ପିଟି ପୁଲିସ ଜିମାରେ ଦେଇଛନ୍ତି। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ।

Advertisment

ଏହି ଗାଁରେ ରହନ୍ତି ଡାକ୍ତର ବଂଶୀଧର ମହାପାତ୍ର। ଗତକାଲି ରାତିରେ ସେ ଓ ତାଙ୍କ ପତ୍ନୀ ଖାଇବାକୁ ଯାଉଥିବା ସମୟରେ ଘରର ପଛ ଦ୍ୱାର ଦେଇ ଦୁଇ ଜଣ ଚୋର ପଶି ଆସିଥିଲେ। ଡାକ୍ତର ମହାପାତ୍ର ପ୍ରତିରୋଧ କରିବାରୁ ସେମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଡରାଇବା ସହିତ କଟୁରୀରେ ଆକ୍ରମଣ କରିଥିଲେ। ଚୋରମାନେ କଟୁରୀରେ ଆକ୍ରମଣ କରିବାକୁ ଡାକ୍ତର ମହାପାତ୍ରଙ୍କ ଛାତିରେ ଆଘାତ ଲାଗିଥିଲା। ପରେ ସେମାନେ ଘରେ ଯାହା ସୁନା ଗହଣା ଓ ଟଙ୍କା ଥିଲା, ସେସବୁ ନେଇ ଚାଲି ଯାଇଥିଲେ।

ଡାକ୍ତର ମହାପାତ୍ରଙ୍କ କହିବା ଅନୁଯାୟୀ ଚୋରମାନେ ପ୍ରାୟ ୪ ଲକ୍ଷ ଟଙ୍କାର ସୁନା ଗହଣା ଓ ୨୦ ହଜାର ଟଙ୍କା ନେଇଯାଇଥିଲେ। ଗଲା ବେଳେ ଚୋରମାନେ ତାଙ୍କ ଘରେ ଥିବା ଦୁଇଟି ମୋବାଇଲକୁ ଭାଙ୍ଗି ଦେଇଥିଲେ।

Advertisment

ଲୁଟ୍ କରିବା ପରେ ଦୁଇ ଚୋର ଗୋବିନ୍ଦପୁର ଗାଁ ନିକଟରେ କୌଣସି ଅଜ୍ଞାତ ସ୍ଥାନରେ ଲୁଚି ରହିଥିଲେ। ସକାଳ ହେବା ପରେ ସେମାନେ ଏକ ଅଟୋ ଡ୍ରାଇଭରକୁ ଫୋନ୍ କରି ଡାକିଥିଲେ। ତେବେ ତା’ ମଧ୍ୟରେ ଡାକ୍ତରଙ୍କ ଘରୁ ଚୋରି ହୋଇଥିବା କଥା ଗାଁ ଲୋକେ ଜାଣସାରିଥିଲେ। ତା’ସହିତ ଗାଁ ପାଖରୁ ଦୁଇ ଜଣ ଅଜଣା ଲୋକ ଅଟୋରେ ଯାଉଥିବା ଖବର ମଧ୍ୟ ପାଇଥିଲେ। ଏହା ପରେ ଗାଁ ଲୋକେ ଉକ୍ତ ଅଟୋକୁ ପିଛା କରି ଚୋର ଦ୍ୱୟକୁ ଧରିଥିଲେ। ସେମାନଙ୍କ ଠାରୁ ସୁନାଗହଣା ଓ ଟଙ୍କା ଜବତ କରିଥିଲେ। ଏହା ସହିତ ଦୁଇ ଚୋରଙ୍କୁ ଧରି ଡାକ୍ତର ମହାପାତ୍ରଙ୍କ ଘରକୁ ଆଣିଥିଲେ। ଡାକ୍ତର ସେମାନଙ୍କୁ ଚିହ୍ନଟ କରିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ସେମାନଙ୍କୁ ଥାନାରେ ରଖି ପଚରାଉଚରା କରୁଛି। ଡାକ୍ତର ମହାପାତ୍ର ଘଟଣା ସଂପର୍କରେ ଥାନାରେ ଏତଲା ଦେଇଛନ୍ତି। 

Loot Crime Lootera