Advertisment

ବଡ଼ବିଲ ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାକୁ ଉଦ୍ୟମ, ଅଭିଯୁକ୍ତ ଗିରଫ

ଆଜି ସନ୍ଧ୍ୟା ପ୍ରାୟ ୫ ଟା ବେଳେ ବଡ଼ବିଲ ପୌର କାର୍ଯ୍ୟାଳୟରେ ଘଟିଥିଲା ଏହି ଅଭାବନୀୟ ଘଟଣା।

author-image
Jitendra Garnayak
OAS

OAS

ଅଳ୍ପକେ ବର୍ତ୍ତି ଯାଇଛନ୍ତି କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା। ଆଜି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ହୋଇଥିଲା ଉଦ୍ୟମ।

Advertisment

ଆଜି ସନ୍ଧ୍ୟା ପ୍ରାୟ ୫ ଟା ବେଳେ ବଡ଼ବିଲ ପୌର କାର୍ଯ୍ୟାଳୟରେ ଘଟିଥିଲା ଏହି ଅଭାବନୀୟ ଘଟଣା। ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ନିଜ ଚ୍ୟାମ୍ବରରେ ବସିଥିଲାବେଳେ ବଡ଼ବିଲ ଡେଲି ମାର୍କେଟ ଅଞ୍ଚଳର ଅଭିଷେକ ଗୁପ୍ତା ନାମକ ଯୁବକ ପଶି ଯାଇଥିଲେ। କିଛି କଥାବାର୍ତ୍ତା ପରେ ସେ ହଠାତ୍ ବ୍ୟାଗରେ ଲୁଚାଇ ଆଣିଥିବା ଗୋଟିଏ ପେଟ୍ରୋଲ ଭର୍ତ୍ତି ବୋତଲ ବାହାର କରି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ଉପରେ ଢାଳି ଦେଇଥିଲେ। ଏହା ପରେ ନିଆଁ ଲଗାଇ ଦେବା ପାଇଁ ଲାଇଟର ବାହାର କରିଥିଲେ। ସେହି ସମୟରେ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପାଟି କରିବା ସହ ନିଜ ଚ୍ୟାମ୍ବରରୁ ଦୌଡ଼ି ବାହାରକୁ ଚାଲି ଆସିଥିଲେ।

ଶ୍ରୀ ପଣ୍ଡାଙ୍କ ପାଟି ଶୁଣି ଅନ୍ୟ କର୍ମଚାରୀମାନେ ଧାଇଁ ଆସି ଅଭିଯୁକ୍ତ ଯୁବକ ଅଭିଷେକ ଗୁପ୍ତାଙ୍କୁ କାବୁ କରି ନେଇଥିଲେ। ଏନେଇ ତୁରନ୍ତ ବଡ଼ବିଲ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ନିଜ ହେପାଜତକୁ ନେଇଥିଲା। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ପକ୍ଷରୁ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଏହା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଅଭିଯୁକ୍ତ ଅଭିଷେକଙ୍କ ମା' ଙ୍କ ଲତା ଦେବୀ କହିଛନ୍ତି ଯେ ତାଙ୍କ ପୁଅ ଯାହା କରିଛି ତାହା ଭୁଲ। ତାଙ୍କ ଘର ସମ୍ମୁଖରେ ସରକାରୀ ଜମିରେ କିଛି ଦୋକାନ ଘର ରହିଛି। ସେଗୁଡ଼ିକୁ ସେଠାରୁ ଉଚ୍ଛେଦ କରିବା ନିମନ୍ତେ ବର୍ଷ ବର୍ଷ ଧରି ସେ (ଅଭିଷେକ) ପୌର କାର୍ଯ୍ୟାଳୟକୁ ଧାଉଁଛନ୍ତି। ହେଲେ କିଛି ସୁଫଳ ମିଳି ନାହିଁ। ଏପରିକି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବି ନିରାଶ ହେବାକୁ ପଡ଼ିଥିଲା। ଏପରିକି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଷେକ। ଏ ସମସ୍ତ ପ୍ରୟାସ ସତ୍ତ୍ୱେ ଦୋକାନଗୁଡ଼ିକ ସେହି ସ୍ଥାନରୁ ଉଚ୍ଛେଦ ନହେବାରୁ ସେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହୁଥିଲେ। ତେବେ ଆଜି ଅଭିଷେକ ଏଭଳି ପଦକ୍ଷେପ ନେବେ ବୋଲି ସେ ଜାଣି ନଥିଲେ ବୋଲି କହିଛନ୍ତି ଲତା ଦେବୀ।

ଅନ୍ୟପକ୍ଷରେ ଏହି ଘଟଣା ନେଇ ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

କେନ୍ଦୁଝରରୁ ପ୍ରଣୟ କୁମାର ପାଣିଙ୍କ ରିପୋର୍ଟ

Attempt To Murder Murder Attempt