Advertisment

କଏଦୀ ନା ଆଉ କ’ଣ? ଜେଲରୁ ବାହାରି ହୋଟେଲ୍‌ରେ ଗର୍ଲଫ୍ରେଣ୍ଡ ଓ ପତ୍ନୀଙ୍କ ସହ କାଟୁଥିଲେ ସମୟ

ଜେଲରେ ରହୁଥିବା କଏଦୀଙ୍କୁ ଏପରି ସୁବିଧା ମିଳିବା ପଛରେ ଗୋଟିଏ ବଡ଼ ରାକେଟ କାମ କରୁଥିଲା। ଏହାର ପର୍ଦ୍ଦାଫାସ ହେବା ସହ ୧୩ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଅପରାଧୀନଙ୍କ ସହ ହାତ ମିଳାଇଥିବା ୫ ଜଣ କନଷ୍ଟେବଲ ରହିଛନ୍ତି।

author-image
Hemant Lenka
Jail

Jail

ନାଁକୁ କଏଦୀ। ବାସ୍ତବରେ ମିଳୁଥିଲା ଭିଆଇପି ସୁବିଧା। କଏଦୀ ହୋଇ ମଧ୍ୟ ସହରରେ ବୁଲିବା, ବ୍ରେକଫାଷ୍ଟରେ ପୋହା ଖାଇବା, ହୋଟେଲରେ ରହିବା, ପତ୍ନୀ ଓ ଗର୍ଲଫ୍ରେଣ୍ଡଙ୍କ ସହ ସମୟ କାଟିବା ଭଳି ସୁବିଧା ମିଳି ଗଲେ ଆଉ କ’ଣ ବା ଦରକାର। ଆପଣ ଭାବୁଥିବେ କେଉଁ ଫିଲ୍ମର କାହାଣୀ ଆମେ ଆପଣଙ୍କୁ କହୁଛୁ। ବାସ୍ତବରେ ରାଜସ୍ଥାନ କେନ୍ଦ୍ରୀୟ ଜେଲରେ ବନ୍ଦୀ ହୋଇ ରହିଥିବା ୪ କୁଖ୍ୟାତ ଅପରାଧୀ ଏଭଳି ସୁବିଧାର ଉପଭୋଗ କରୁଥିଲେ। ସେମାନେ ଗୋଟିଏ ହସ୍ପିଟାଲ ଚେକଅପ ନାଁରେ ଜେଲରୁ କଡ଼ା ସୁରକ୍ଷା ବଳୟରେ ବାହାରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ ଜୀବନକୁ କେମିତି ଉପଭୋଗ କରିବାକୁ ହୁଏ, ସେଭଳି ସ୍ଥିତିରେ ଦେଖିବାକୁ ମିଳିଛି।

Advertisment

ଜେଲରେ ରହୁଥିବା କଏଦୀଙ୍କୁ ଏପରି ସୁବିଧା ମିଳିବା ପଛରେ ଗୋଟିଏ ବଡ଼ ରାକେଟ କାମ କରୁଥିଲା। ଏହାର ପର୍ଦ୍ଦାଫାସ ହେବା ସହ ୧୩ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଅପରାଧୀନଙ୍କ ସହ ହାତ ମିଳାଇଥିବା ୫ ଜଣ କନଷ୍ଟେବଲ ରହିଛନ୍ତି। ୫ କନଷ୍ଟେବଲଙ୍କ ବ୍ୟତୀତ ୪ କଏଦୀ ଓ ସେମାନଙ୍କର ୪ ଜଣ ସମ୍ପର୍କୀୟଙ୍କୁ ରବିବାର ଗିରଫ କରାଯାଇଛି। କଏଦୀମାନେ ମୋଟା ଅଙ୍କର ଲାଞ୍ଚ ଦେଇ ଜେଲ ବାହାରେ କିଛି ଘଣ୍ଟା ବିତାଇବାର ସ୍ୱାଧୀନତା ହାସଲ କରୁଥିଲେ ବୋଲି ପୁଲିସ୍‌ ସୋମବାର ସୂଚନା ଦେଇଛି।

ଜୟପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଜୀବନ କାଟୁଥିବା ବନୱର ଲାଲ, ଅଙ୍କିତ ବଂସଲ, ରଫିକ ବକରୀ ଓ କରନ ଗୁପ୍ତା ନିଜର ମେଡିକାଲ ଚେକଅପ ପାଇଁ ଏସଏମଏସ ହସ୍ପିଟାଲରୁ ଅନୁମତି ହାସଲ କରିଥିଲେ। ଅନୁମିତି ମିଳିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶନିବାର ସକାଳୁ ଜେଲରୁ ହସ୍ପିଟାଲ ନେବାର ବ୍ୟବସ୍ଥା କରାଯାଇଥିଲା। ହେଲେ ଅଧା ବାଟରେ ସେମାନେ ସୁରକ୍ଷା ଦାୟିତ୍ୱରେ ଥିବା କିଛି ପୁଲିସ୍‌ କର୍ମଚାରୀଙ୍କୁ ଟଙ୍କାର ଲୋଭ ଦେଖାଇ ବଶିଭୂତ କରିଥିଲେ। ହସ୍ପିଟାଲ ବଦଳରେ ସେମାନେ ଅନ୍ୟତ୍ର ବୁଲିବା ପାଇଁ ଲାଞ୍ଚ ଦେଇ ଅନୁମତି ପାଇ ଯାଇଥିଲେ।

Advertisment

ଶନିବାର ସନ୍ଧ୍ୟା ୫.୩୦ ସୁଦ୍ଧା ୪ କଏଦୀ ଆଉ ଜେଲରୁ ଫେରି ନଥିଲେ। ଏହାର ଖୋଳତାଡ଼ କରାଯିବା ପରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତରେ ସାମିଲ ଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, “ଜଣେ ମଧ୍ୟସ୍ଥିଙ୍କ ଦ୍ୱାରା ବାହାରେ ଜୀବନକୁ ଉପଭୋଗ କରିବାର ବ୍ୟବସ୍ଥା ୨୫ ହଜାର ଟଙ୍କାରେ କରାଯାଇଥିଲା। ସେମାନଙ୍କ ସହ ଥିବା କନଷ୍ଟେବଲମାନଙ୍କୁ ୫ ହଜାର ଟଙ୍କା ଲେଖାଏ ଦିଆଯାଇଥିଲା।”

ଜେଲରୁ ବାହାରିବା ପରେ ରଫିକ ନିଜର ପତ୍ନୀ ଓ ବନୱର ନିଜର ଗର୍ଲଫ୍ରେଣ୍ଡଙ୍କୁ ଜଲୁପୁରା ହୋଟେଲରେ ଭେଟିଥିଲେ। ସେଠାରେ ସେମାନେ ବେଶ କିଛି ସମୟ କାଟିଥିଲେ। ଉକ୍ତ ହୋଟେଲରୁ ରଫିକର ପତ୍ନୀଙ୍କୁ ପରବର୍ତ୍ତୀ ଅବସ୍ଥାରେ ବ୍ୟାନ ହୋଇଥିବା ନିଶା ଦ୍ରବ୍ୟ ସହ ଗିରଫ କରାଯାଇଥିବା ଡିସିପି(ପୂର୍ବ) ତେଜସ୍ୱନୀ ଗୌତମ କହିଛନ୍ତି।

ଅନ୍ୟ ଦୁଇ କଏଦୀ ଅଙ୍କିତ ଓ କରନକୁ ଏୟାରପୋର୍ଟ ନିକଟରେ ଥିବା ଗୋଟିଏ ହୋଟେଲରୁ ଠାବ କରାଯାଇଛି। ସେମାନେ ସେଠାରେ ବ୍ରେକଫାଷ୍ଟରେ ପୋହାକୁ ଉପଭୋଗ କରିଥିଲେ। ଅଙ୍କିତ ଗର୍ଲଫ୍ରେଣ୍ଡ ସେଠାରେ ରୁମ ବୁକ କରିଥିଲେ।

ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ କରନଙ୍କ ଜଣେ ସମ୍ପର୍କୀଙ୍କୁ ହୋଟେଲରୁ ନଗଦ ୪୫ ହଜାର ଟଙ୍କା ସହ ଧରିଛି। ତାଙ୍କ ପାଖରୁ ଏକାଧିକ କଏଦୀଙ୍କ ପରିଚୟପତ୍ର ମିଳିଛି। ଜେଲର ସୂତ୍ର ଅନୁସାରେ, ଏପରି ବାହାରେ ବୁଲିବା ଓ ପତ୍ନୀ-ଗର୍ଲଫ୍ରେଣ୍ଡଙ୍କ ସହ ସମୟ ବିତାଇବାର ମାଷ୍ଟରମାଇଣ୍ଡ ହେଉଛି ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଜଣେ କୁଖ୍ୟାତ ଲୁଟେରାର କାମ। ସେ ଜେଲରେ ରହି ସବୁ କିଛି ପରିଚାଳନା କରିଥାଏ।

ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଛନ୍ତି ଯେ ଏପ୍ରିଲରୁ ୨୦୦ରୁ ଅଧିକ ଅନାଧିକାର ଫୋନ କଲ ଜେଲ ଭିତରୁ ହୋଇଛି। ଜେଲରେ ବେଆଇନ ଭାବେ ମୋବାଇଲ ବ୍ୟବହାର କରାଯାଇଛି। ଜେଲରେ ରହି ଅପରାଧୀମାନେ ବିଭିନ୍ନ ଭିଆଇପିଙ୍କୁ ଧମକ ଦେଇ ବଟି ଦେବାକୁ ବାଧ୍ୟ କରୁଛନ୍ତି। ଏହାପଛରେ ପୁଲିସ୍‌ ଅଧିକାରୀମାନେ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏବେ ଏହି ରାକେଟ ସମ୍ପର୍କରେ ଅଧିକ ଖୋଳାତାଡ଼ କରିବାକୁ ପୁଲିସ୍‌ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।

Rajasthan Jail Jaipur