Advertisment

ପ୍ରେମରେ ମଧ୍ୟସ୍ଥି ସାଜୁଥିଲା ମାଟ୍ରିକ୍‌ ଛାତ୍ରୀ, ତାଗିଦ କରିବାରୁ ପ୍ରଧାନଶିକ୍ଷକଙ୍କୁ ମାଡ଼

ମଙ୍ଗଳବାର ସକାଳ ପ୍ରାୟ ୯.୫୦ମିନିଟ୍‌ରେ ବୈଠକ ବସିଥିଲା। ଠିକ୍‌ ସେହି ସମୟ ପ୍ରେମରେ ମଧ୍ୟସ୍ଥି ସାଜିଥିବା ଛାତ୍ରୀ ପଦ୍ମାଙ୍କ ବାପା ଓ ମାଆ କିଛି ଲୋକଙ୍କୁ ଧରି ବିଦ୍ୟାଳୟରେ ପହଞ୍ଚିଥିଲେ। ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Love

ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ନିଜ ସହ ପାଠିନୀଙ୍କ ପ୍ରେମରେ ସାଜୁଥିଲେ ମଧ୍ୟସ୍ଥି। ତାକୁ ତାଗିଦ କରିବାରୁ ପ୍ରଧାନଶିକ୍ଷକଙ୍କୁ ହୋଇଛି ମାଡ଼। ମଧ୍ୟସ୍ଥି ସାଜିଥିବା ଛାତ୍ରୀଙ୍କ ବାପା-ମାଆ ଓ ପରିବାର ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଆକ୍ରମଣ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଭୋଳାନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ(କ )ରେ ପଢ଼ୁଥିବା ଜଣେ ଛାତ୍ରୀ ପ୍ରେମ କରୁଥିଲେ। ଆଉ ସେହି ପ୍ରେମରେ ତାଙ୍କ ସହପାଠିନୀ ପଦ୍ମା (ଛଦ୍ମନାମ) ସାଜୁଥିଲେ ମଧ୍ୟସ୍ଥି। ଧୀରେଧୀରେ ଏହି ଘଟଣା ପ୍ରଘଟ ହୋଇଥିଲା। କଥା ଯାଇ ପ୍ରଧାନଶିକ୍ଷକ ଅଞ୍ଜନ କୁମାର ଜେନା ଓ ଅନ୍ୟ ଶିକ୍ଷକଙ୍କ କାନରେ ପଡ଼ିଥିଲା। ଏହା ପରେ ପ୍ରଧାନଶିକ୍ଷକ ପଦ୍ମାକୁ ଡାକି ବୁଝାଇଥିଲେ। 

ଗତ ସୋମବାର ଉଭୟ ଛାତ୍ରୀଙ୍କ ଅଭିଭାବକଙ୍କୁ ଡାକି ପ୍ରଧାନଶିକ୍ଷକ ଶ୍ରୀଜେନା ଅନ୍ୟ ଶିକ୍ଷକଙ୍କ ଉପସ୍ଥିତିରେ ବୁଝାସୁଝା କରିଥିଲେ। ପାଠ ପଢ଼ିବା ବୟସରେ ଏପରି କାମ ନକରିବା ପାଇଁ ଦୁଇ ଛାତ୍ରୀଙ୍କୁ ତାଗିଦ କରିଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରଧାନଶିକ୍ଷକ ମଙ୍ଗଳବାର ପରିଚାଳନା କମିଟିର ଏକ ବୈଠକ ଡାକିଥିଲେ।

Advertisment
Teacherଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରେ ଧାରଣାରେ ବସିଛନ୍ତି ଶିକ୍ଷକ

ମଙ୍ଗଳବାର ସକାଳ ପ୍ରାୟ ୯.୫୦ମିନିଟ୍‌ରେ ବୈଠକ ବସିଥିଲା। ଠିକ୍‌ ସେହି ସମୟ ପ୍ରେମରେ ମଧ୍ୟସ୍ଥି ସାଜିଥିବା ଛାତ୍ରୀ ପଦ୍ମାଙ୍କ ବାପା ଓ ମାଆ କିଛି ଲୋକଙ୍କୁ ଧରି ବିଦ୍ୟାଳୟରେ ପହଞ୍ଚିଥିଲେ। ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରିଥିଲେ। ସ୍କୁଲ ପରିଚାଳନା କମିଟି କର୍ମକର୍ତ୍ତାମାନେ ଅଟକାଇବାକୁ ଚେଷ୍ଟା କରିନଥିଲେ। ମାତ୍ର ସେମାନେ ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରି ମୁଣ୍ଡ ଫାଟାଇ ଦେଇଥିଲେ। ଏନେଇ ତାଳସାରୀ ମେରାଇନ୍‌ ଥାନାରେ ପ୍ରଧାନଶିକ୍ଷକ ଓ ଆକ୍ରମଣ କରିବା(ଛାତ୍ରୀଙ୍କ ପରିବାର) ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା।

Balasoreଶିକ୍ଷୟିତ୍ରୀମାନେ ଧାରଣା ଦେଉଛନ୍ତି

ସେପଟେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଷ୍ଟା ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ବିକାଶ ପାତ୍ର, ଦକ୍ଷିଣ ଭୋଗରାଇ ସଭାପତି ଶ୍ରୀନିବାସ ଚନ୍ଦ୍ର ପ୍ରଧାନ, ସମ୍ପାଦକ ନଟରଞ୍ଜନ ଘଡ଼ାଇ ପ୍ରମୁଖ ଦାବି କରିଥିଲେ। ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳାତ୍ମକ ରାସ୍ତାକୁ ସଂଘ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା। ଏନେଇ ବ୍ଲକ୍‌ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଯାଇଥିଲା।

୫ ଦିନ ପରେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହାର ପ୍ରତିବାଦରେ ସ୍କୁଲର ଛାତ୍ରଛାତ୍ରୀ, ଅଭାଭବକ, ପରିଚାଳନା କମିଟି କର୍ମକର୍ତ୍ତା ଓ ଶିକ୍ଷକମାନେ ୫୭ ନମ୍ୱାର ରାଜ୍ୟ ରାଜପଥରେ ଧାରଣା ଦେଇଥିଲେ। ଖବର ପାଇ ଜଳେଶ୍ୱର ଏସ୍‌ଡିପିଓ ଶିକ୍ଷକ ଓ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶିକ୍ଷକମାନେ ଦାବି କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୁ ଉଠିବେନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।

ଶେଷରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପଶ୍ଚିମବଙ୍ଗରେ ଆତ୍ମଗୋପନ କରିଥିବା ଛାତ୍ରୀଙ୍କ ବାପା ଓ ମାଆଙ୍କୁ ଆଣିଥିଲା। ସେମାନେ ଶିକ୍ଷକଙ୍କୁ ଭୁଲ୍‌ କ୍ଷମା ମାଗିଥିଲେ। ଏଥିସହ ଆକ୍ରମଣ କରିଥିବା ୩ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଥିଲା। ଏହା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore Love Story Crime Story