Advertisment

ଛାଡ଼ପତ୍ର ମାମଲା; କୋର୍ଟ ପେପର, ଷ୍ଟାମ୍ପ ଓ ଜଜଙ୍କ ଦସ୍ତଖତ ନକଲି...

ଯୋଜନା ମୁତାବକ ସରକାରୀ ଓକିଲ ପ୍ରତିମା ସାହୁ ପ୍ରଥମେ ୨୦୦୭ ମସିହାରେ ହୋଇଥିବା ଏକ ଛାଡ଼ପତ୍ର ରାୟର ନକଲ ବାହାର କରିଥିଲେ। ସେଥିରେ ଥିବା ସ୍ୱାମୀ ଓ ସ୍ତ୍ରୀଙ୍କ ନାଁ କମ୍ପ୍ୟୁଟରରେ ବଦଳାଇ ସିଆଇଏସ୍‌ଏଫ୍‌ ଯବାନ ଯଦୁନାଥ ଏବଂ ପତ୍ନୀ ମିନତି ଲେଖିଥିଲେ।

author-image
Manoranjan Sial
Baripada

Baripada

ଖଳନାୟକ ସାଜିଲେ ସରକାରୀ ଓକିଲ। ଛାଡ଼ପତ୍ର ଓ ବିବାହ ପାଇଁ ତିଆରି କରିଥିଲେ ଡୁପ୍ଲିକେଟ୍‌ କୋର୍ଟ ପେପର। ଏପରିକି କୋର୍ଟ ଷ୍ଟାମ୍ପ ଓ ବିଚାରପତିଙ୍କ ଦସ୍ତଖତକୁ ମଧ୍ୟ ନକଲି କରି ଦେଇଥିଲେ। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ସରକାରୀ ଓକିଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଉଦଳା ଥାନା ପୁଲିସ୍‌।

Advertisment

ଉଦଳା ଜାମୁଡିହା ଅଞ୍ଚଳର ଯଦୁନାଥ ସିଂ ସିଆଇଏସ୍‌ଏଫ୍‌ରେ ଚାକିରି କରୁଥିଲେ। ସେ ବାଲେଶ୍ୱର ଜିଲ୍ଲା ବାହାନଗା ଅଞ୍ଚଳର ମିନତି ସିଂଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ତେଣୁ ମିନତି ତାଙ୍କ ବାପ ଘରକୁ ପଳାଇ ଯାଇଥିଲା। ବାପ ଘର ଲୋକଙ୍କ ସହିତ ରହୁଥିଲେ। ସେପଟେ ଯଦୁନାଥ ଚାକିରିରେ ଏକା ଏକା ରହୁଥିଲେ। ଘରକୁ ଆସିଲେ ବଡ଼ଭାଇ କଣ୍ଡା ସିଂଙ୍କ ପାଖରେ ରହୁଥିଲେ। ତେବେ ୨୦୨୩ ମସିହାରେ ବାରିପଦା ମେଡ଼ିକାଲ୍‌ରେ ଯବାନ ଯଦୁନାଥ ସିଂଙ୍କ ମୃତ୍ୟୁ ଘଟିଥିଲା। ପତ୍ନୀ ମିନତି ବାପଘରେ ରହୁଥିବାରୁ ସ୍ୱାମୀଙ୍କ ମୃତ୍ୟୁ କଥା ଜାଣିନଥିବା ଜଣାପଡ଼ିଛି।

ସେପଟେ କିନ୍ତୁ ଯଦୁନାଥଙ୍କ ଟଙ୍କା ହଡ୍‌ପ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ତାଙ୍କ ଭାଉଜ(କଣ୍ଡାଙ୍କ ପତ୍ନୀ) ସୋମବାରୀ ସିଂ। ଏଥିରେ ସହଯୋଗ କରିଥିଲେ ତାଙ୍କ ସମ୍ପର୍କୀୟ ପୁତୁରା ନିଲମ ସିଂ। ଉଭୟ ମିଶି ଉଦଳା ଉପଜିଲ୍ଲାପାଙ୍କ କୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିବା ପ୍ରତିମା ସାହୁଙ୍କ ପାଖକୁ ଯାଇଥିଲେ। ଯଦୁନାଥଙ୍କ ଟଙ୍କା ହଡ୍‌ପ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏପରିକି ଟଙ୍କା ମିଳିବା ପରେ ଭାଗ ବଣ୍ଟାକରି ନେବା ପାଇଁ ନିଷ୍ପତ୍ତି ନେଇଥିଲେ।

Advertisment

ଯୋଜନା ମୁତାବକ ସରକାରୀ ଓକିଲ ପ୍ରତିମା ସାହୁ ପ୍ରଥମେ ୨୦୦୭ ମସିହାରେ ହୋଇଥିବା ଏକ ଛାଡ଼ପତ୍ର ରାୟର ନକଲ ବାହାର କରିଥିଲେ। ସେଥିରେ ଥିବା ସ୍ୱାମୀ ଓ ସ୍ତ୍ରୀଙ୍କ ନାଁ କମ୍ପ୍ୟୁଟରରେ ବଦଳାଇ ସିଆଇଏସ୍‌ଏଫ୍‌ ଯବାନ ଯଦୁନାଥ ଏବଂ ପତ୍ନୀ ମିନତି ଲେଖିଥିଲେ। ଏପରିକି କୋର୍ଟ ଅର୍ଡରରେ ଥିବା ଷ୍ଟାମ୍ପ ଓ ବିଚାରପତିଙ୍କ ଦସ୍ତଖତକୁ ମଧ୍ୟ ଡୁପ୍ଲିକେଟ୍‌ କରିଦେଇଥିଲେ। ଏହାର ଅର୍ଥ ଡୁପ୍ଲିକେଟ୍‌ ହେଲେ ମଧ୍ୟ ଯଦୁନାଥ ଓ ମିନତିଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ଦର୍ଶାଇଥିଲେ। ଏ ତ ଗଲା ଯଦୁନାଥ ଓ ପତ୍ନୀ ମିନତିଙ୍କ ଛାତ୍ରପତ୍ର କାଗଜପତ୍ର।

ଏବେ ପାଳି ଆସିଲା ବିବାହର। ଠିକ୍‌ ସେମିତି ଛାଡପତ୍ର ପରି ବିବାହ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ ହୋଇଥିଲା। ଏଥିରେ ଭାଉଜ ସୋମବାରୀଙ୍କୁ ଯଦୁନାଥଙ୍କ ପତ୍ନୀ ରୂପେ ଦର୍ଶାଇ କାଗଜପତ୍ର ତିଆରି କରିଥିଲେ ଓକିଲ୍‌ ମାଡାମ୍‌। ଏସବୁ କଳା କାରନାମାରେ ସରକାରୀ ଓକିଲ ପ୍ରତିମା ସାହୁ ନିଜ ସହଯୋଗୀ ମୋହରୀ ବନମାଳୀ ସିଂ ଓ କମ୍ପ୍ୟୁଟର ଦୋକାନୀ ବିଜୟ ପାତ୍ରଙ୍କ ମାଧ୍ୟମରେ କରିଥିଲେ। ଏଥିରେ ପୂରା ସାଥ୍‌ ଦେଇଥିଲେ ମୃତ ଯଦୁନାଥଙ୍କ ଭାଉଜ ସୋମବାରୀ ଓ ସମ୍ପର୍କୀୟ ପୁତୁରା ନିଲମ୍‌ ସିଂ।

ଛାତ୍ରପତ୍ର ଓ ବିବାହ ପ୍ରମାଣ ପତ୍ର କାଗଜପତ୍ର ପ୍ରସ୍ତୁତ ହେବା ପରେ ଏବେ ଟଙ୍କା ହଡପ୍‌ ପାଳି। ସବୁ ଡୁପ୍ଲିକେଟ୍‌ ପ୍ରମାଣ ପତ୍ର ଧରି ବିଧବା ବେଶରେ ସୋମବାରୀ ସିଆଇଏସ୍‌ଏଫ୍‌ ଅଫିସ୍‌ରେ ପହଞ୍ଚିଥିଲେ। ଆଉ ସମସ୍ତ କାଗଜପତ୍ର ଜମା କରିଥିଲେ। ତା’ପରେ ସିଆଇଏସ୍‌ଏଫ୍‌ ପକ୍ଷରୁ ସୋମବାରୀଙ୍କ ଆକାଉଣ୍ଟକୁ ଆସିଥିଲା ୨୦ ଲକ୍ଷ ଟଙ୍କା। ଟଙ୍କା ମିଳିବା ପରେ ଅତି ଖୁସିରେ ଲକ୍ଷେ ଟଙ୍କାରେ ଘର ଖର୍ଚ୍ଚ କରିଦେଲେ ସୋମବାରୀ। ବାକି ଟଙ୍କା ଭାଗବଣ୍ଟା କରିବା ପାଇଁ ଯୋଜନା କରୁଥିଲେ।

ହେଲେ ଏହାରି ଭିତରେ ସମସ୍ତଙ୍କ ଭିତରେ ଦେଖାଦେଲା ମତଭେଦ। ସୋମବାରୀଙ୍କୁ ଟଙ୍କା ମାଗିଥିଲେ ନିଲମ୍‌। ହେଲେ ସେ ଟଙ୍କା ଦେବାକୁ ମନା କରିଥିଲେ। ଯେଉଁଥିପାଇଁ ରାଗି ଯାଇଥିଲେ ନିଲମ୍‌। ସେ ଏନେଇ ସିଆଇଏସ୍‌ଏଫ୍‌ରେ ଅଭିଯୋଗ କରିଥିଲେ। ମୃତ ଯବାନ ଯଦୁନାଥଙ୍କ ପତ୍ନୀ ସୋମବାରୀ ନୁହେଁ ବୋଲି କହିଥିଲେ। ଏହା ପରେ ସିଆଇଏସ୍‌ଏଫ୍‌ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ହେରଫେର୍‌ ହୋଇଥିବା ଜଣାପଡ଼ିଥିଲା। ତେଣୁ ସୋମବାରୀଙ୍କ ଆକାଉଣ୍ଟରେ ଥିବା ବାକି ୧୯ ଲକ୍ଷ ଟଙ୍କାକୁ ଫେରାଇ ନେଇଥିଲା ସିଆଇଏସ୍‌ଏଫ୍‌।

କିନ୍ତୁ ଏହି ପୂରା ଘଟଣା ସମ୍ପର୍କରେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ମୃତ ଯବାନ ଯଦୁନାଥଙ୍କ ପତ୍ନୀ ମିନତି। ସେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ପୂରା ଘଟଣା ଉପରୁ ପର୍ଦ୍ଦା ଉଠାଇଥିଲା। ପେନ୍‌ସନ୍‌ ଟଙ୍କା ହଡପ୍‌ ଅଭିଯୋଗରେ ମୋହରୀ ବନମାଳୀ ସିଂ, କମ୍ପ୍ୟୁଟର ଦୋକାନୀ ବିଜୟ ପାତ୍ର, ମୃତ ଯବାନଙ୍କ ଭାଉଜ ସୋମବାରୀ ଓ ପୁତୁରା ନିଲମ ସିଂକୁ ଶୁକ୍ରବାର ଗିରଫ କରିଥିଲା ଉଦଳା ପୁଲିସ୍‌। ଆଜି ଘଟଣାର ମୁଖ୍ୟ ସରକାରୀ ଓକିଲ ପ୍ରତିମା ସାହୁଙ୍କୁ ଗିରଫ କରିଛି।

ରିପୋର୍ଟ- ଉଦଳାରୁ ଅଭିଜିତ ବିଶ୍ୱାଳ

Fraud Baripada CISF Constable