Advertisment

ଜଣାପଡ଼ିଲା ପୁଲିସ୍‌ର ପାରିବା ପଣିଆ; ଉପଦ୍ରବକାରୀଙ୍କୁ ଧରିବାକୁ ଲାଗିଲା ୬ ଦିନ

ଦିନ ଦି’ପହରରେ ଅସାମାଜିକ ଯୁବକଙ୍କ ଉପଦ୍ରବକୁ ନେଇ ବାରିପଦା ଟାଉନ୍‌ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପୁଲିସ୍‌ର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସମାଲୋଚନାର ଶିକାର ହେବା ପରେ ତତ୍ପର ହୋଇଥିଲା ପୁଲିସ୍‌।

author-image
Manoranjan Sial
Police

Police

ଜଣାପଡ଼ିଲା ବାରିପଦା ପୁଲିସ୍‌ର ପାରିବା ପଣିଆ! ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ପୂରା ଟାଉନ୍‌ରେ ଉତ୍ପାତ ରଚିଥିବା ୮ ଉପଦ୍ରବକାରୀଙ୍କୁ ଧରିବା ପାଇଁ ଲାଗିଲା ୬ ଦିନ। ମୟୂରଭଞ୍ଜ ପୁଲିସ୍‌ ସେମାନଙ୍କୁ ପଶ୍ଚିମବଙ୍ଗରୁ ଧରିଛି। ସେମାନଙ୍କ ଭିତରେ ଜଣେ ନାବାଳକ ରହିଛି। ପୁଲିସ୍‌ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ବାଳ ସୁଧାର ଗୃହକୁ ପଠାଇ ଦେଇଛି।

Advertisment

ଗତ ବୁଧବାର ଅପରାହ୍ନ ପ୍ରାୟ ୩ଟାରୁ ସାଢ଼େ ୩ଟା ହେବ। ୭ ଯୁବକ ଓ ଜଣେ ନାବଳକ ବାଇକ ଧରି ବାରିପଦା ଟାଉନ୍‌ରେ ଉତ୍ପାତ କରିଥିଲେ। ହାତରେ ଧରିଥିଲେ ଖଣ୍ଡା ଓ ଭୁଜାଲି। ରାସ୍ତାରେ ଯାହାକୁ ପାରିଲେ, ତାକୁ ନାନା ହଇରାଣ ହରକତ କରିଥିଲେ। ପଥଚାରୀଙ୍କୁ ମାଡ଼ ମାରିଥିଲେ। ଟାହି ଟାପରା କରିଥିଲେ। ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ପୂରା ବାରିପଦା ଟାଉନ୍‌ ସାରା ଯୁବକମାନେ ଉପଦ୍ରବ କରିଥିଲେ।

ଅସାମାଜିକ ଯୁବକମାନେ ଷ୍ଟେସନ୍ ବଜାର, ବାଲେଶ୍ଵର, ଗୋଲେଇ, ମଧୁବନ, ପୋଡ଼ାଅସ୍ତିଆ, ଧନପୁର ଆଦି ଛକରେ ଉତ୍ପାତ କରିଥିଲେ। ଶ୍ୟାମାଖୁଣ୍ଟା ଏବିଡିଓଙ୍କ ଗାଡ଼ିକୁ ଧକ୍କା ଦେଇ ପଳାଇ ଯାଇଥିଲେ। ଏବିଡିଓ ଶ୍ୟାମାଖୁଣ୍ଟା ଛକ ଦେଇ ଯାଉଥିବା ବେଳେ ଯୁବକମାନେ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ସ୍ପଷ୍ଟ ଦିବା ଲୋକରେ ଦୀର୍ଘ ସମୟ ଧରି ସହରବାସୀଙ୍କୁ ନାକେଦମ୍‌ କରୁଥିଲେ ସୁଦ୍ଧା ପୁଲିସ୍‌ ସେମାନଙ୍କ ଟେର ପାଇନଥିଲା। ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଉପଦ୍ରବକାରୀଙ୍କ ପିଛା କରିଥିଲା ପୁଲିସ୍‌। ହେଲେ ସେମାନେ ଓଡ଼ିଶା ସୀମା ଡେଇଁ ପଶ୍ଚମବଙ୍ଗ ଗୋପିବହ୍ଲବପୁରକୁ ଚମ୍ପଟ ମାରିଥିଲେ। ସେଠାରେ ଆତ୍ମଗୋପନ କରିଥିଲେ।

Advertisment

ଦିନ ଦି’ପହରରେ ଅସାମାଜିକ ଯୁବକଙ୍କ ଉପଦ୍ରବକୁ ନେଇ ବାରିପଦା ଟାଉନ୍‌ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପୁଲିସ୍‌ର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସମାଲୋଚନାର ଶିକାର ହେବା ପରେ ତତ୍ପର ହୋଇଥିଲା ପୁଲିସ୍‌। ମାମଲାକୁ ଗୁରୁତ୍ୱର ସହ ନେଇ ଘଟଣାର ତଦନ୍ତ କରିଥିଲା। ୬ ଦିନ ପରେ ଅଭିଯୁକ୍ତଙ୍କ ଠିକଣା ପାଇଥିଲା। ଗୋପିବହ୍ଲବପୁରରୁ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଧରାପଡ଼ିଥିବା ଅଭିଯୁକ୍ତମାନେ ପାଠୁଆ। ହେଲେ ସେମାନେ କାହିଁକି ଉତ୍ପାତ କରୁଥିଲେ, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ପୂଳାପୂଳା ମାମଲା ରହିଛି। ପୁଲିସ ସେମାନଙ୍କଠାରୁ ଧାରୁଆ ଅସ୍ତ୍ର, ବାଇକ, ମୋବାଇଲ ଆଦି ଜବତ କରିଛି। ଗିରଫ ଯୁବକଙ୍କ ନାଁରେ ଛିନତାଇ, ଡକାୟତି, ମାରାତ୍ମକ ଆକ୍ରମଣ, ସରକାରୀ କାର୍ଯ୍ୟରେ ବାଧା ପରି ଅନେକ ମାମଲା ଲଗାଇଛି। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଆଡିସିନାଲ୍‌ ଏସ୍‌ପି।

ରିପୋର୍ଟ- ମାନିକଲାଲ ପାଣି

Crime Baripada