Advertisment

ହୀରା ଅଳଙ୍କାର ବିକିବାକୁ ଯାଇଥିଲା; ଦୋକାନୀ ପଚାରିବାରୁ ଦୌଡ଼ିଲା...

ଭାବିଥିଲା ଗାଁରେ କିଛି ଦିନ ରହି ଚୋରି ଅଳଙ୍କାରକୁ ଏଠାରେ କୌଣସି ଅଳଙ୍କାର ଦୋକାନରେ ବିକିଦେବ। ଆଉ ମାଲାମାଲ୍‌ ହେବ। ଦୁଇଦିନ ତଳେ ସେ ସବୁ ଅଳଙ୍କାର ଧରି ଖଇରା ବଜାରରେ ଥିବା ଏକ ଅଳଙ୍କାର ଦୋକାନକୁ ଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ହୀରା ଖଞ୍ଜିତ ମୁଦି ଓ ବ୍ରେସ୍‌ଲେଟ୍‌ ବିକିବାକୁ ଯାଇଥିଲା। ଗହଣା ଦୋକାନୀ ପଚାରିବାରୁ ସବୁ ଅଳଙ୍କାର ଧରି ଦୌଡ଼ିଲା...। ଏପରି ବିଚିତ୍ର ଚିତ୍ର ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ। ଅଳଙ୍କାର ଦୋକାନୀଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ୮୦ ଲକ୍ଷରୁ ଅଧିକ ଟଙ୍କାର ହୀରା ଓ ସୁନା ଅଳଙ୍କାର ଜବତ କରିଛି।

Advertisment

ଗିରଫ ଅଭିଯୁକ୍ତ ହେଲା ଖଇରା ଥାନା ସାରକୋଣା ଗାଁର ବନମାଳି ସ୍ଵାଇଁ। ସେ ବାଙ୍ଗାଲୁରୁରେ ପଦ୍ମା ରେଡ୍ଡୀ ନାମକ ଜଣେ ମହିଳାଙ୍କ ଘରେ ରହି କାମ କରୁଥିଲେ। କିଛି ଦିନ ସେଠାରେ କାମ କରିବା ପରେ ତାଙ୍କ ଘରେ କଳାକନା ବୁଲାଇଥିଲା ବନମାଳି। ପଦ୍ମା ରେଡ୍ଡୀଙ୍କ ଘରେ ଥିବା ହୀରା ମୁଦି, ହୀରା ଖଞ୍ଜିତ ବ୍ରେସ୍‌ଲେଟ୍‌ ସମେତ ଦୁଇଟି ସୁନା ଚେନ, ଗୋଟେ ସୁନା ମୁଦି, ଗୋଟେ ସୁନା ଲକେଟ, ୫ଟି ସୁନା କାନଫୁଲ ଏବଂ ଗୋଟେ ସୁନା କାନ ନୁଥ ଆଦି ଚୋରି କରି ଚମ୍ପଟ ମାରିଥିଲା। ଅଭିଯୋଗରୁ ପ୍ରକାଶ, ଚୋରି ପରେ ବନମାଳି ଗାଁକୁ ପଳାଇ ଆସିଥିଲା।

ଭାବିଥିଲା ଗାଁରେ କିଛି ଦିନ ରହି ଚୋରି ଅଳଙ୍କାରକୁ ଏଠାରେ କୌଣସି ଅଳଙ୍କାର ଦୋକାନରେ ବିକିଦେବ। ଆଉ ମାଲାମାଲ୍‌ ହେବ। ଦୁଇଦିନ ତଳେ ସେ ସବୁ ଅଳଙ୍କାର ଧରି ଖଇରା ବଜାରରେ ଥିବା ଏକ ଅଳଙ୍କାର ଦୋକାନକୁ ଯାଇଥିଲା। ଆଉ ଚୋରି ଅଳଙ୍କାର ବିକିବା ପାଇଁ ଦୋକାନୀଙ୍କୁ କହିଥିଲା। ହେଲେ ଏତେ ପରିମାଣର ହୀରା ଓ ସୁନା ଅଳଙ୍କର ଦେଖି ଦୋକାନୀ ମାଲିକ ମମତା ସାହୁଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲେ। ଏହି ଅଳଙ୍କାର କେଉଁଠୁ ଆଣିଲ ବୋଲି ପ୍ରଶ୍ନ କରିଥିଲେ।

Advertisment

ମମତା ସାହୁଙ୍କ ପ୍ରଶ୍ନ ଶୁଣି ବନମାଳି ସବୁ ଅଳଙ୍କାର ଧରି ଦୌଡ଼ି ପଳାଇ ଯାଇଥିଲେ। ମମତା ଏନେଇ ଖଇରା ଥାନାକୁ ଖବର ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ମୌସୁମୀ ମହାନ୍ତି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅଳଙ୍କାର ଦୋକାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ। ସିସିଟିଭି ତଥ୍ୟ ଅଧାରରେ ପୁଲିସ୍‌ ସୋମବାର ବିଳମ୍ବିତ ରାତିରେ ବନମାଳିକୁ ତାଙ୍କ ଘରୁ ଗିରଫ କରିଛି। ଗିରଫ ପରେ ଚୋରିର ସବୁ ଖିଅ ଖୋଲିଥିଲା ବନମାଳି। ପୁଲିସ ସବୁ ଅଳଙ୍କାର ଜବତ କରି ଘଟଣାର ତଦନ୍ତ ଚଳାଇଛି।

Balasore Crime