Advertisment

୩୦ ଲକ୍ଷ ଟଙ୍କା ଦେଲେ, ୬୦ ଲକ୍ଷ ଟଙ୍କା ନେବ...!

ବସ୍‌ଙ୍କ ପାଖରେ ଅଛି ୬୦ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌। ୩୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ୍‌ ଦେଲେ ୬୦ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ଦିଆଯିବ। ବସ୍‌ଙ୍କ ନିର୍ଦ୍ଦେଶରେ ଆନ୍ଧ୍ରପ୍ରଦେଶର ବିନୋଦ ରାୟପିଲି ଓରୋଫ ରାଜେଶ ଏପରି ଅଫର ଦେଇଥିଲେ।

author-image
Manoranjan Sial
Gajapati

Crime

୩୦ ଲକ୍ଷ ଟଙ୍କା ଦେଲେ, ୬୦ ଲକ୍ଷ ଟଙ୍କା ନେବ...! ଠକିବା ପାଇଁ ଏପରି ମାୟା ଜାଲ ବିଛାଉଥିଲେ ଠକ। ଆଉ ସେହି ଜାଲ୍‌ରେ ଯିଏ ପଡୁଥିଲେ, ତାଙ୍କୁ ଖୋଳ କରିଦେଉଥିଲେ। ସବୁଠାରୁ ମଜାକଥା ହେଉଛି ଏଥିରେ ଜଣେ ପୁଲିସ୍‌ କନଷ୍ଟେବଲ ମଧ୍ୟସ୍ତି ଭାବେ କାମ କରୁଥିଲେ। ଯାହାଙ୍କୁ ଧରିଛି ପାରଳାଖେମୁଣ୍ଡି ପୁଲିସ୍‌। କନଷ୍ଟେବଲଙ୍କ ସହିତ ଅନ୍ୟ ଜଣଙ୍କୁ ମଧ୍ୟ ବାନ୍ଧିଛି ପୁଲିସ୍‌। ତେବେ ନିଜକୁ ‘ବସ୍‌’ ବୋଲି ପରିଚୟ ଦେଉଥିବା ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଅଛି। ତାକୁ ଗିରଫ କରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Advertisment

ବସ୍‌ଙ୍କ ପାଖରେ ଅଛି ୬୦ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌। ୩୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ୍‌ ଦେଲେ ୬୦ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ଦିଆଯିବ। ବସ୍‌ଙ୍କ ନିର୍ଦ୍ଦେଶରେ ଆନ୍ଧ୍ରପ୍ରଦେଶର ବିନୋଦ ରାୟପିଲି ଓରୋଫ ରାଜେଶ ଏପରି ଅଫର ଦେଇଥିଲେ। ରାଜେଶଙ୍କ ଅଫର ପରେ ଡବଲ୍‌ ଟଙ୍କା ପାଇବା ଲୋଭରେ ପଡ଼ିଯାଇଥିଲେ ବିଶାଖାପାଟଣାର ନାଗ ରବୀନ୍ଦ୍ରନାଥ। ୬୦ ଲକ୍ଷ ଟଙ୍କା ପାଇବା ପାଇଁ ହାତରେ ୩୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ୍‌ର ବ୍ୟାଗ ଧରି ଗତ ୨୫ ତାରିଖରେ ଓଡ଼ିଶାର ରାୟଗଡ଼ାରେ ପହଞ୍ଚିଥିଲେ ରବୀନ୍ଦ୍ର। ଆଉ ରାଜେଶ ଓ ତାଙ୍କ ସାଥୀଙ୍କୁ ଦେଖା କରିଥିଲେ।

‘ବସ୍‌’ଙ୍କୁ ଦେଖା କରିବା ବାହାନାରେ ରାଜେଶ ଓ ତାଙ୍କର ସାଥୀମାନେ ତାଙ୍କୁ ପାରଳାଖେମୁଣ୍ଡି ଥାନା କେରାଣ୍ଡି ଗାଁ ପାର୍ଶ୍ୱ ଜଙ୍ଗଲକୁ ଡାକି ନେଇଯାଇଥିଲା। ଜଙ୍ଗଲ ଭିତରେ ବସ୍‌ଙ୍କୁ ଭେଟେଇବେ କ’ଣ ରବୀନ୍ଦ୍ରଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇ ଧାଇଁ ପଳାଇ ଯାଉଥିଲା। ତାଙ୍କ ପଛେ ପଛେ ଧାଉଁଥିଲେ ରବୀନ୍ଦ୍ର। ଆଉ ଚିତ୍କାର କରୁଥିଲେ। ସେଠାରେ ଭଲି ବଲ୍‌ ଖେଳୁଥିବା ଯୁବକମାନେ ରାଜେଶକୁ କାବୁ କରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଜବତ କରିବା ସହିତ ରାଜେଶକୁ ଗିରଫ କରିଥିଲା।

Advertisment

ନାଗ ରବୀନ୍ଦ୍ରନାଥଙ୍କ ଅଭିଯୋଗ କ୍ରମେ ଏସ୍‌ପିଙ୍କ ନିର୍ଦ୍ଦେଶ ପାରଳାଖେମୁଣ୍ଡି ପୁଲିସ୍‌ ମାମଲାର ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ପୁଲିସ୍‌ କନେଷ୍ଟବଲ ତନୁଜ ସାବତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ସେ ମିଡିଲ୍‌ ମ୍ୟାନ୍‌ ଭାବେ କାମ କରୁଥିଲେ। ପୁଲିସ୍‌ ତାଙ୍କୁ ଚାକିରିରୁ ସସ୍‌ପେଣ୍ଡ କରିବା ସହିତ ଗିରଫ କରିଛି। ତେବେ ‘ବସ୍‌’ ବା ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏହି ମାମଲାରେ ବହୁ ଲୋକଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି। ମିଛରେ ୨୦୦୦ ଟଙ୍କିଆ ନୋଟ୍‌ ଅଫର ଦେଇ ଏମାନେ ଠକୁଥିବା ଜଣାପଡ଼ିଛି।

ରିପୋର୍ଟ- ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ

Fraud Gajapati District