Advertisment

ଚୋରି ବିଦ୍ୟୁତ ସରଞ୍ଜାମ ଖୋଜୁଥିଲା ପୁଲିସ୍‌, ପାଇଲା ୯ଟି ଅଷ୍ଟଧାତୁ ମୂର୍ତ୍ତି

ଚୋରି ହୋଇଥିବା ବିଦ୍ୟୁତ ସରଞ୍ଜାମ ଖୋଜୁ ଖୋଜୁ ଅଷ୍ଟଧାତୁ ମୂର୍ତ୍ତିର ଲିଙ୍କ ପାଇଲା ପୁଲିସ୍‌। କେଉଁଠୁ ଚୋରି ହୋଇଥିଲା ଅଷ୍ଟଧାତୁ ମୂର୍ତ୍ତି?

author-image
Manoranjan Sial
Kendrapara

Kendrapara

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଚୋରି ହୋଇଥିବା ବିଦ୍ୟୁତ ସରଞ୍ଜାମ ଖୋଜୁ ଖୋଜୁ ଅଷ୍ଟଧାତୁ ମୂର୍ତ୍ତି ପାଇଲା ପୁଲିସ୍‌। ଗୋଟେ କି ଦୁଇଟି ନୁହେଁ, ଏକାଥରକେ ୯ଟି ମୂର୍ତ୍ତି ପାଇଛି। ଏହି ମାମଲାରେ କେନ୍ଦ୍ରାପଡ଼ା ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଚୋରି ହୋଇଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ବିଦ୍ୟୁତ ସରଞ୍ଜାମ ଜବତ କରିଛି।

Advertisment

ଗତ ୨୧ ତାରିଖରେ ମାର୍ଶାଘାଇ ଥାନା ଅଞ୍ଚଳରେ ଥିବା ଏକ ଷ୍ଟ୍ରକ୍‌ଚରରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ବିଦ୍ୟୁତ ସରଞ୍ଜାମ ଚୋରି ହୋଇଥିଲା। ଏନେଇ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିର୍ଦ୍ଦେଶରେ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ପୁଲିସ୍‌ ଖୋଳତାଡ଼ କରୁଥିବା ବେଳେ ସନ୍ଦେହ ଘେରରକୁ ଆସିଥିଲା ଗୋଟିଏ ହୋଣ୍ଡା କାର୍‌। ଯାହାର ନମ୍ୱର ହେଉଛି OD-02AF-1999 ।

ପୁଲିସ ପ୍ରଥମେ ସେହି କାର୍‌ ପାଖରେ ପହଞ୍ଚିଥିଲା। କାର୍‌ ମାଲିକ ମାଲିକ କୁଣ୍ଡପାଟଣା ଗାଁର ନାରାୟଣ ବେହେରାଙ୍କୁ ଥାନାକୁ ଆଣି ଜେରା କରିଥିଲା। ଘନ ଘନ ଜେରା ବେଳେ ସେ କିଶନର ନଗର ଥାନା ଅଞ୍ଚଳର ଜ୍ୟୋତିପ୍ରକାଶ ବେହେରା ଓ କୁଣ୍ଡପାଟଣା ଗାଁର ପ୍ରଭାସ ସାହୁଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ ପୁଲିସ୍‌ ସେହି ଦୁଇ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ତା’ପରେ ପୂରା ନାଟକ ଉପରୁ ପର୍ଦ୍ଦା ହଟିଥିଲା।

Advertisment

ଆଉ ଚୋରି ହୋଇଥିବା ବିଦ୍ୟୁତ ସରଞ୍ଜାମ ଭଟିମୁଣ୍ଡା ଗାଁର ହେମନ୍ତ ନାୟକଙ୍କ ଘରୁ ଜବତ କରିଥିଲା ପୁଲିସ୍‌। ଏଥିସହ ୯ଟି ଅଷ୍ଟଧାତୁ ମୂର୍ତ୍ତି ମଧ୍ୟ ଜବତ କରିଥିଲା ପୁଲିସ୍‌। ତେବେ ଏହି ମୂର୍ତ୍ତି କେଉଁଠୁ ଚୋରି ହୋଇଥିଲା? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ବର୍ତ୍ତମାନ ସୁଦ୍ଧା ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ହୋଇଥିବା ବିଦ୍ୟୁତ ସରଞ୍ଜାମ, ୯ଟି ଅଷ୍ଟଧାତୁ ମୂର୍ତ୍ତି, ଗୋଟିଏ କାର, ଦୁଇଟି ପିକଅପ୍ ଭ୍ୟାନ ଓ ତିନୋଟି ବାଇକ୍‌ ଜବତ କରିଛି।

କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ର କହିଛନ୍ତି, ସମଗ୍ର ଓଡ଼ିଶାରେ ଏମାନେ ଚୋରୁ କରୁଥିବାର ଲିଙ୍କ ମିଳିଛି। ଏଥିରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେମାନଙ୍କୁ ଗିରଫ ପାଇଁ ଉଦ୍ୟମ ଚାଲିଛି। ମିଳିଥିବା ମୂର୍ତ୍ତି ସମ୍ପର୍କରେ ସବୁ ଥାନାକୁ ଖବର ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Crime Kendrapada Odisha Crime