/odisha-reporter/media/post_attachments/uploadimage/library/16_9/16_9_0/CTC_1694946274.jpg)
CTC
ବହୁଚର୍ଚ୍ଚିତ କଟକ କନ୍ଦରପୁର ଡକାୟତି ଘଟଣାର ପର୍ଦାଫାସ କରିବାକୁ ସକ୍ଷମ ହୋଇଛି କମିଶନରେଟ ପୁଲିସ। ଏହି ମାମଲାରେ ଡକାୟତି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣା ଓରଫ ମଙ୍ଗୁକୁ ପୁଲିସ୍ ଦୁଇ ଦିନ ତଳେ ଏନକାଉଣ୍ଟର କରିଥିଲା। ଏବେ ପୁଲିସ୍ ଏହି ଗ୍ୟାଙ୍ଗର ଆଉ ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗତ ୬ ତାରିଖ ଦିନ କନ୍ଦରପୁର ମତଗଜପୁର ଅଞ୍ଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କ ଉପରକୁ ଗୁଳି ଚଳାଇ ଗ୍ୟାଙ୍ଗର ସଦସ୍ୟମାନେ ଲୁଟ କରିଥିଲେ। ଗୁଳି କରି ସେମାନେ ବିକାଶଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଓ ନଗଦ ୨୫ ହଜାର ଟଙ୍କା ଲୁଟି ନେଇଥିଲେ।
ପୁଲିସ୍ ଆଜି ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ଠାରୁ ଦୁଇଟି ସୁନା ଚୁଡ଼ି, କିଛି ରୂପା ଅଳଙ୍କାର, ୩ ଟି ଅଫୁଟା ଗୁଳି ଜବତ ହୋଇଛି। ସେହିପରି ବାଇକ ମଧ୍ୟ ଜବତ କରାଯାଇଛି।
କଟକ ଡିସିପି ପିନାକ ମିଶ୍ର କହିଛନ୍ତି, “ ଗତ ୬ ତାରିଖରେ କନ୍ଦରପୁର ଥାନା ଅଧୀନରେ ଥିବା ଲେଭଲ କ୍ରସିଂର ବିପରୀତ ଦିଗରେ ଗୋଟିଏ ଡକାୟତି ମାମଲା ଘଟିଥିଲା। ୩ଟି ବାଇକରେ କିଛି ଯୁବକ ଜଣେ ଖୁଚାରା ସୁନା ବ୍ୟବସାୟୀଙ୍କୁ ଅଟକାଇବା ସହ ତାଙ୍କୁ ମାଡ଼ ମାରିଥିଲେ। ଏପରି କି ୩ ରାଉଣ୍ଡ ଗୁଳି ଫୁଟାଇଥିଲେ। ସୌଭାଗ୍ୟବଶତଃ ବ୍ୟବସାୟୀଙ୍କ ଦେହରେ ଗୁଳି ମାଡ଼ ହୋଇ ନଥିଲା।
କିନ୍ତୁ ଲୁଟେରାମାନେ ତାଙ୍କୁ ମାଡ଼ ମାରି ତାଙ୍କ ଠାରୁ ମୂଲ୍ୟବାନ ଜିନିଷ ସବୁ ଲୁଟ କରି ନେଇଥିଲେ। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରି ଭୟଭୀତ କରିବା ହିଁ ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଖବର ପାଇ କନ୍ଦରପୁର ପୁଲିସ ଷ୍ଟେସନରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା। ଘଟଣା ଦିନ ଠାରୁ ଗୋଟିଏ ସ୍ୱତନ୍ତ୍ର ଟିମ ଏହାର ତଦନ୍ତ ଆରମ୍ଭ କରିଥିଲେ।
ତଦନ୍ତ କରି ପୁଲିସ୍ ଲୁଟ ହୋଇଥିବା କିଛି ଜିନିଷ ସହ ବନ୍ଧୁକ ଓ ଗୁଳି ଜବତ କରିଛି। ଲୁଟ ଓ ହମଲା ପାଇଁ ଗ୍ୟାଙ୍ଗର ମୁଖ୍ୟ ମଙ୍ଗୁ ଯୋଜନା କରିଥିଲା। ସେ ଗଞ୍ଜାମରୁ କିଛି ଲୋକଙ୍କୁ ମଧ୍ୟ ଆଣିଥିଲା। ୧୫ ତାରିଖରେ ପୁଲିସ୍ ଟିମ ମଙ୍ଗୁକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ଆକ୍ରମଣ କରି ଦେଇଥିଲା। ପୁଲିସ୍ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ପୁଲିସ୍ ଏନକାଉଣ୍ଟରରେ ମଙ୍ଗୁ ଆହତ ହୋଇ ଏବେ ଚିକିତ୍ସିତ ହେଉଛି।
ଏନେଇ ସଦର ଥାନାରେ ମଧ୍ୟ ଗୋଟିଏ ମାମଲା ରୁଜୁ କରାଯାଇଛି। କନ୍ଦରପୁର ଡକାୟତି ଘଟଣାରେ ମଙ୍ଗୁକୁ ମିଶାଇ ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମଙ୍ଗୁ, ଚିକୁ, ଫିରୋଜ ଖାନ, ସନ୍ତୋଷ କୁମାର ବେହେରା, ବାବୁ, ଉଦୟ କୁମାର ଭୋଇ, ହେମାନନ୍ଦ ଭୋଇ ଓ ଶେଖ ବାବା। ଏମାନଙ୍କ ମଧ୍ୟ ବାବୁ ଓ ସନ୍ତୋଷ କୁମାର ବେହାରର ଘର ଗଞ୍ଜାମରେ। ବାକି ସମସ୍ତେ କଟକର।
ମଙ୍ଗୁ ଜଣେ ପେଶାଦାର ଅପରାଧୀ। ତା’ ନାଁରେ ୯ଟି ମାମଲା ବିଭିନ୍ନ ଥାନାରେ ରହିଛି। ମଙ୍ଗୁ କିଛି ଯୁବକଙ୍କୁ ଏକାଠି କରି ତା’ର ଗ୍ୟାଙ୍ଗ ଚଳାଇଥିଲା। ଗ୍ୟାଙ୍ଗର ସଦସ୍ୟମାନଙ୍କ ଠାରୁ ୭ଟି ଫୋନ, ଲୁଟ ହୋଇଥିବା ସୁନାର ଚୁଡ଼ି, ରୂପାର ମୁଦି, ରୂପାର ଲକେଟ, ଆପାଚି ବାଇକ, ଗୋଟିଏ ରେଡ୍ ଟି-ଶାର୍ଟ, ଗୋଟିଏ ଖାଲି କ୍ୟାଟ୍ରିଜ, ୩ଟି ଜୀବନ୍ତ ଗୁଳି ଜବତ କରାଯାଇଛି।
ସମସ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଲୁଟ ହୋଇଥିବା ଟଙ୍କା ସମ୍ପର୍କରେ ସୂଚନା ମିଳିନି। ମଙ୍ଗୁ ସୁସ୍ଥ ହେବା ପରେ ତା’ଠାରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
