Advertisment

ଧରାପଡ଼ିଲା ଗଞ୍ଜି-ଚଡ୍ଡି ଗ୍ୟାଙ୍ଗ, ଅନ୍ତବସ୍ତ୍ର ପିନ୍ଧି କରୁଥିଲେ ଚୋରୀ

ଦିନରେ ଏମାନେ ବାରବୁଲାଙ୍କ ଭଳି ଜୀବନ କାଟୁଥିବା ବେଳେ ଗୋଟିଏ ଗୋଟିଏ ରାତିରେ ୨ରୁ ୩ଟି ସ୍ଥାନରେ ଚୋରୀ କରୁଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Jangi and Chadi

Jangi and Chadi

ପୁଲିସକୁ ଚକମା ଦେଇ ଲୋକଙ୍କ ଘରେ କଳା କନା ବୁଲାଉଥିବା ଗଞ୍ଜି-ଚଡ୍ଡି ଗ୍ୟାଙ୍ଗ। ଶେଷରେ ଧରାପଡ଼ିଛନ୍ତି ଏହି ଗ୍ୟାଙ୍ଗ। ଅନ୍ତବସ୍ତ୍ର ପିନ୍ଧି, ମୁହଁକୁ ଢାଙ୍କି ରାଜଧାନୀରେ ଚୋରି କରୁଥିବା ଏହି ଗ୍ୟାଙ୍ଗର ୧୧ ଜଣଙ୍କୁ ବାନ୍ଧିଛି କମିଶନରେଟ୍ ପୁଲିସ୍। ଦିନରେ ଏମାନେ ବାରବୁଲାଙ୍କ ଭଳି ଜୀବନ କାଟୁଥିବା ବେଳେ ଗୋଟିଏ ଗୋଟିଏ ରାତିରେ ୨ରୁ ୩ଟି ସ୍ଥାନରେ ଚୋରୀ କରୁଥିଲେ।

Advertisment

ଚୋରୀ କରିବାକୁ ଯିବା ବେଳେ ସମସ୍ତେ କେବଳ ହାପ୍ ପ୍ୟାଣ୍ଟ, ଗଞ୍ଜି, ଆଉ ମୁହଁରେ ମାସ୍କ ବ୍ୟବହାର କରୁଥିଲେ। ପ୍ରଥମେ ରେକି ଓ ପରେ ଗ୍ୟାଙ୍ଗ ଧରି ଲୁଟ୍। ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ଖେଳାଇଥିବା, ଏକାଧିକ ଥାନାର ପୁଲିସକୁ ନାକେଦମ୍ କରିଥିବା ଏହି ଦୁର୍ଦ୍ଦାନ୍ତ ଚୋର ଗ୍ୟାଙ୍ଗ ଶେଷରେ ଧରାପଡ଼ିଛିା। ଦିନରେ ରାଜଧାନୀର ବିଭିନ୍ନ ଛକରେ ବୁଲି କେଉଁ ଘରରୁ ଚୋରି କରାଯିବ ସେମାନେ ଟାର୍ଗେଟ କରୁଥିଲେ। ରାତି ହେଲେ ଘରେ ପଶି ଏମାନେ କଳାକନା ବୁଲାଉଥିଲେ।

ଧଉଳିରୁ ଇନଫୋସିଟି ଥାନା ଯାଏଁ ୧୬ରୁ ଅଧିକ କେସ୍ ରହିଛି ଏମାନଙ୍କ ନାଁରେ। ଗୋଟିଏ ରାତିରେ ଦୁଇରୁ ତିନିଟି ଘରେ ପଶି ଚୋରି କରନ୍ତି। କିନ୍ତୁ ଚୋରିର ତରିକା ବେଶ୍ ରୋଚକ। ଚୋରି ବେଳେ ଏମାନେ ଗଞ୍ଜି-ଚଡ୍ଡି ପିନ୍ଧନ୍ତି, ମୁଣ୍ଡ ଓ ମୁହଁକୁ ଘୋଡ଼ାଇ ଏଘରୁ ସେ ଘରକୁ ବୁଲନ୍ତି। ଘରେ କେହି ନଥିବା ବେଳେ ଟଙ୍କା, ଅଳଙ୍କାର, ସୌଖୀନ ସାମଗ୍ରୀ ଯାହା ହାତରେ ପଡ଼ିଲା ସବୁ ଧରି ଚଂପଟ୍ ମାରନ୍ତି।

Advertisment

ଏନେଇ ଆଜି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି, ଅପରାଧୀମାନେ ରାଜସ୍ଥାନର ମୂଳ ନିବାସୀ। କେହି ଯେପରି ଏମାନଙ୍କୁ ଚିହ୍ନି ପାରିବନି, ସେଥିପାଇଁ ରେଳ ଷ୍ଟେସନ୍, ବସଷ୍ଟାଣ୍ଡ, ଓଭରବ୍ରିଜ୍ ତଳେ ଆଶ୍ରୟ ନେଇଥାନ୍ତି। ପ୍ରଥମେ ଚୋରି ପାଇଁ ଫୁଲପ୍ରୁଫ୍ ପ୍ଲାନ୍ ପ୍ରସ୍ତୁତ ହୁଏ। ହାଇୱେ କିମ୍ବା ମୁଖ୍ୟ ରାସ୍ତାକୁ ସୁବିଧାରେ ପହଞ୍ଚି ପାରୁଥିବା ଘରକୁ ଏମାନେ ଟାଗେର୍ଟ କରିଥାନ୍ତି। ଚୋରି ବିଦ୍ୟାରେ ଏମାନେ ଏତେ ଧୁରନ୍ଦର ଯେ, ମାତ୍ର ଗୋଟିଏ ମିନିଟରେ ଝରକା ତାଡ଼ି ଘରେ ପଶି ପାରନ୍ତି। ଆଉ ଏଥିପାଇଁ ବ୍ୟବହାର କରନ୍ତି ଅନେକ ପ୍ରକାର କଟର ଓ ଆଧୁନିକ ଯନ୍ତ୍ରପାତି।

ଧଉଳି ଅଞ୍ଚଳରେ ବି ସିରିଜ୍ ଚୋରି ଓ ଲୁଟପାଟ ମାମଲାରେ ଏମାନେ ସଂପୃକ୍ତ ଥିଲେ। ଆଗକୁ ଆଉ କିଛି ଚୋରି କରିବା ପୂର୍ବରୁ ସେମାନଙ୍କୁ ବାନ୍ଧିବାରେ ସଫଳ ହୋଇଛି ପୁଲିସ୍।

ଏହା ପୂର୍ବରୁ ରାଜଧାନୀରୁ ଚନ୍ଦା ଗ୍ୟାଙ୍ଗ, ଡେଙ୍ଗା-ଗେଡ଼ା, ବାୱରିଆ, ଈରାନୀ ଭଳି ବିଭିନ୍ନ ଚୋର ଗ୍ୟାଙ୍ଗ ପୁଲିସ ହାତରେ ଧରାପଡ଼ିଥିଲେ। ଆଉ ଏବେ ପାଳି ଗଞ୍ଜି-ଚଡ୍ଡି ଗ୍ୟାଙ୍ଗର।

Bhubaneswar Crime