/odisha-reporter/media/post_attachments/uploadimage/library/16_9/16_9_0/Crime_1714217820.jpg)
Crime
ଫେସବୁକ। କାହା ପାଇଁ ମଙ୍ଗଳମୟ ହେଉଛି ତ ଆଉ କାହା ପାଇଁ ସାଜୁଛି କାଳ। ଫେସବୁକରେ ହଜିଲା ଦିନର ଲୋକଙ୍କ ପରିଚୟ ମିଳୁଛି। ଅନେକ ଫେସବୁକ ପ୍ରେମ ପରେ ବାହା ହୋଇ ଖୁସିର ସଂସାର ମଧ୍ୟ ଗଢ଼ିଛନ୍ତି। ହେଲେ ଏଠି କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି।
ଫେସବୁକରେ ମହିଳାଙ୍କ ସହ ବନ୍ଧୁତା କରିବା ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ମହିଳା ଜଣଙ୍କ ତାଙ୍କ ସ୍ୱାମୀ, ଭାଇ ଓ ଭଉଣୀଙ୍କ ସହ ମିଶି ବ୍ୟବସାୟୀଙ୍କ ଠାରୁ ଚନ୍ଦେଇଛନ୍ତି ୧୫ ଲକ୍ଷ ଟଙ୍କା। ମହିଳା ଜଣଙ୍କ କେମିତି ତାଙ୍କର ମାୟାବିନୀ ଜାଲ ବିଛାଇଥିଲେ, ତା’ର ପର୍ଦ୍ଦାଫାସ ସୁନ୍ଦରଗଡ ଟାଉନ ଥାନା ପୁଲିସ କରିଛି।
ନାଁ ଝରଣା ବାଦୀ। ପ୍ରଥମେ ସେ ଫେସବୁକରେ ଗୋଟିଏ ଆକାଉଣ୍ଟ ଖୋଲିଥିଲେ। ପ୍ରୋଫାଇଲରେ ଗୋଟିଏ ଚମତ୍କାର ଫଟୋ ଦେବାର ସହ ବାୟୋରେ ସେ ଜଣେ ସୁନା ବ୍ୟବସାୟୀ, ଟ୍ରକମାଲିକ ଓ ଅଟୋମୋବାଇଲ ମାଲିକ ବୋଲି ଉଲ୍ଲେଖ କରିଥିଲେ। ଆକର୍ଷଣୀୟ ଫଟୋ ଓ ବାୟୋ ଦେଖି ଝରଣାଙ୍କ ଆଡ଼କୁ ଢଳି ଥିଲେ ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ଅଂଚଳର ସୁମିତ ମିଶ୍ର ନାମକ ଜଣେ ଠିକାଦାର ତଥା ଗାଡ଼ି ମାଲିକ।
ସେ ଫେସବୁକରେ ଝରଣା ବାଦୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। କିଛି ଦିନ ଫେସବୁକରେ ଚ୍ୟାଟିଂ ଚାଲିଥିଲା। ଏହାପରେ ଉଭୟ ମୋବାଇଲରେ କଥାବାର୍ତ୍ତା କରିଥିଲେ। ସୁମିତଙ୍କ ସରଳତାର ସୁଯୋଗ ନେଇ ଝରଣା ଏଣ୍ଡ କୋ ତାଙ୍କୁ ନିଜ ଜାଲରେ ପକାଇବାକୁ ସୁଚିନ୍ତିତ ଯୋଜନା କରିଥିଲେ।
ଝରଣା, ତାଙ୍କ ସ୍ଵାମୀ, ଭାଇ ଓ ଭଉଣୀ ୪ ଜଣ ଯାକ ମିଶି ସୁନ୍ଦରଗଡ଼ ଆସିଥିଲେ। ସେମାନେ ସ୍ଥାନୀୟ ଜେଡଆର ହୋଟେଲରେ ରୁମ ବୁକ କରି ରହିଥିଲେ। ଯୋଜନା ମୁତାବକ ସୁମିତଙ୍କୁ ହୋଟେଲକୁ ଡାକି ବିଭିନ୍ନ ପ୍ରକାରର ବ୍ୟବସାୟ ସମ୍ପର୍କରେ ବୁଝାଇଥିଲେ। ଏପରି କି ଅତି ସହଜରେ କେମିତି ଶୀଘ୍ର ଓ ଅଧିକ ଟଙ୍କା ରୋଜଗାର କରି ହେବ, ସେକଥା ମଧ୍ୟ ଝରଣା ତାଙ୍କୁ ବୁଝାଇଥିଲେ। ଲୋଭନୀୟ ଅଫର କଥା ଶୁଣି ସୁମିତ ମଧ୍ୟ ତାଙ୍କ ଜାଲରେ ପଡ଼ି ଯାଇଥିଲେ।
ଶେଷରେ ଝରଣାଙ୍କ କଥା ଅନୁସାରେ ସେ ୧୫ ଲକ୍ଷ ଟଙ୍କା ଗୋଟିଏ ବ୍ୟାଗାରେ ଭର୍ତ୍ତି କରି ସିଧା ହୋଟେଲରେ ପହଞ୍ଚି ଯାଇଥିଲେ। ଏହା ଦେଖି ଝରଣା ଆଣ୍ଡ କୋ ସୁମତିଙ୍କୁ ଠକିବା ପାଇଁ ପ୍ଲାନିଙ୍ଗ ଆରମ୍ଭ କରି ଦେଇଥିଲେ। ସୁମିତ ଧରିଥିବା ବ୍ୟାଗ ଭଳି ଆଉ ଏକ ବ୍ୟାଗ ଆଣିଥିଲେ। ଏହାପରେ ଟଙ୍କା ଭର୍ତ୍ତି ବ୍ୟାଗ ପାଖରେ ଏହାକୁ ଅତି ଚତୁରତା ସହ ରଖି ଦେଇଥିଲେ।
ସୁମିତ ଝରଣାଙ୍କ ସହ କଥାବର୍ତ୍ତାରେ ବ୍ୟସ୍ତ ଥିବା ବେଳେ ଅନ୍ୟମାନେ ସେଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲେ। କିଛି ସମୟ ପରେ ଝରଣା ମଧ୍ୟ ସେଠାରୁ ଚାଲି ଯାଇଥିଲେ। ତେବେ ବ୍ୟାଗକୁ ଦେଖି ସୁମିତଙ୍କ ସନ୍ଦେହ ହେବାରୁ ସେ ଏହାକୁ ଖୋଲିଥିଲେ। କିନ୍ତୁ ଏହା ଭିତରେ କେବଳ କାଗଜ ବିଡ଼ା ରହିଥିଲା। ଠକେଇର ଶିକାର ହୋଇଥିବା ସୁମିତ ଏନେଇ ସୁନ୍ଦରଗଡ ଟାଉନ ଥାନାରେ ଲିଖିତ ଭାବେ ଜଣାଇଥିଲେ।
ସୁନ୍ଦରଗଡ ଟାଉନ ପୁଲିସ ଘଟଣାର ତଦନ୍ତ କରିବା ସହ ହୋଟେଲର ସିସି କ୍ୟାମେରା ଯାଞ୍ଚ କରି ସମ୍ଵଲପୁରର ହୀରାକୁଦରୁ ୪ ଜଣଙ୍କୁ ଗିରଫ କରିଛି। କେବଳ ଏତିକି ନୁହେଁ ଏମାନଙ୍କ ନିକଟରୁ ୧୫ରୁ ଅଧିକ ନକଲି ଅ।ଧାର କାର୍ଡ, ପାନ କାର୍ଡ, ବ୍ୟାଙ୍କ ପାସବୁକ,ନକଲି ସୁନା ମୁଦି, ହାର ଆଦି ଜବତ କରାଯାଇଛି।
ଘଟଣାର ମାଷ୍ଟର ମାଇଣ୍ଡ ହେଲେ ଝରଣା ବାଦୀ। ଆଉ ଏଥିରେ ତାଙ୍କୁ ସହଯୋଗ କରୁଥିଲେ ତାଙ୍କ ସ୍ଵାମୀ ସୁବାଶ ତନ୍ତୀ, ଝରଣାଙ୍କ ଭଉଣୀ ରାଜକୁମାରୀ ଓ ଭାଇ ଯୁବରାଜ। ଏହି ୪ ଜଣ ମିଶି ପୁର୍ବରୁ ଝାରସୁଗୁଡା ଜିଲ୍ଲାରେ ଗତ ୨୦୨୧ ମସିହାରେ ମଧ୍ୟ ସମାନ ଢଙ୍ଗରେ ଠକେଇ କରି ଧରାପଡ଼ିଥିଲେ।
ସ୍ଵାମୀ-ସ୍ତ୍ରୀ ଓ ଭାଇ ଭଉଣୀ ନକଲି ସୁନା ହାର ଓ ମୁଦି ଆଦି ପିନ୍ଧି ନିଜକୁ ହାଇପ୍ରୋଫାଇଲ ବ୍ୟବସାୟୀ ଭାବେ ପରିଚୟ ଦେଇ ବୁଲନ୍ତି। ସେମାନଙ୍କ ବେଶଭୂଷା ଏମିତି ଥିଲା ସେମାନେ ଠକ ବୋଲି କେହି କହିପାରିବେ ନାହିଁ। କିନ୍ତୁ ଏବେ ସେମାନଙ୍କ ଅସଲ ମୁଖା ଖୋଲିଛି।
ପୁଲିସ ଏମାନଙ୍କ ନିକଟରୁ ଠକେଇ କରିଥିବା ୧୫ ଲକ୍ଷ ମଧ୍ୟରୁ ନଗଦ ସାଢେ ୮ ଲକ୍ଷ ଟଙ୍କା ଜବତ କରିବା ସହ ଗୋଟିଏ କାର, ସ୍କୁଟି, ୫ଟି ଭୁଜାଲି, ମୋବାଇଲ ଫୋନ, ଏକାଭଳି ଦେଖାଯାଉଥିବା ୧୫ଟି ବ୍ୟାଗ ସହ ନକଲି ସୁନା ଅଳଙ୍କାର ଜବତ କରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଝରଣାଙ୍କ ସ୍ଵାମୀ ନିଜକୁ ବିହାର ପୁଲିସର ଜଣେ କର୍ମଚାରୀ ଭାବେ ମଧ୍ୟ ପରିଚୟ ଦେଉଥିଲେ। ତାଙ୍କ ଠାରୁ ପୁଲିସ୍ ନକଲି ପରିଚୟ ପତ୍ର ମଧ୍ୟ ଜବତ କରିଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
