Police
ସମସ୍ତଙ୍କୁ ଚକିତ କରି ଗୁଜରାଟର ଅହମଦାବାଦ ପୁଲିସ୍ ୩୪ ବର୍ଷ ହେଲା ଫେରାର ଥିବା ପଳାତକ ଘୋଷିତ ଜଣେ ଚେନ ଲୁଟେରାକୁ ଗିରଫ କରିଛି। ପଡ଼ି ରହିଥିବା ମାମଲା ଗୁଡ଼ିକର ସମାଧାନ କରିବା ପାଇଁ ବାହାରିଥିବା ଅହମଦାବାଦ ପୁଲିସ୍କୁ ଏପରି ସଫଳତା ମିଳିଛି। କିନ୍ତୁ ଚେନ ଲୁଟେରାକୁ ଗିରଫ କରିଥିବା ପୁଲିସ୍ ଆଇନ ଯୁଦ୍ଧରେ ହାରି ଯିବାର ଆଶଙ୍କା ରହିଛି। କାରଣ ଚୋରି କେସ୍ର ଫାଇଲକୁ ପୁଲିସ୍ ହଜାଇ ଦେଇଛି।
ପୁଲିସ୍ ପାଖରେ ମାମଲାକୁ ୩ଟି ପ୍ରମୁଖ ତଥ୍ୟ ରହିଛି। ସେଗୁଡ଼ିକ ହେଲା- ଅଭିଯୁକ୍ତର ନାଁ, ଅପରାଧ ଓ ଅପରାଧର ତାରିଖ। ଏହାକୁ ଆଧାର କରି ସିଟି କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଅଶୋକ ଠାକୁରକୁ ଗିରଫ କରିଛି। ୧୯୯୧ ମସିହା ଠାରୁ ଓଧାଭ ପୁଲିସ ଆଖିରେ ଧୂଳି ଦେଇ ଅଶୋକ ଫେରାର ହୋଇ ଯାଇଥିଲା। ୧୯୯୧ ମସିହା ଜୁନ ୧୬ରେ ସେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇବା ଘଟଣାର ଅଭିଯୁକ୍ତ। ଚେନ ଲୁଟ ଘଟଣାରେ ତା’ ସହ ସାମିଲ ଥିବା ପପୁ ଶର୍ମା ଓ ଜାନକ ପଞ୍ଚଲକୁ ପୁଲିସ୍ ସେତେବେଳେ ଧରିପାରିଥିଲା। କିନ୍ତୁ ଅଶୋକ ଘଟଣା ପରଠାରୁ ଉଭାନ ହୋଇଯାଇଥିଲା।
ଗତ ସପ୍ତାହରେ ସୁରେନ୍ଦ୍ରନଗରରୁ ୫୯ ବର୍ଷୀୟ ଅଶୋକଙ୍କୁ ଗିରଫ କରାଯାଇଛି। ସେଠାରେ ସେ ସ୍କ୍ରାପ ଡିଲର ଭାବେ କାମ କରୁଥିଲା। ଅଶୋକଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ସଫଳତା ପାଇଥିବା ଦାବି କରି ଛାତି ଫୁଲାଇ ବୁଲିଥିଲା। କାରଣ ଦଶନ୍ଧି ଦଶନ୍ଧି ଧରି ପ୍ରତି ସାପ୍ତାହିକ ମିଟିଂରେ ଉକ୍ତ ମାମଲା ଯୋଗୁ ପୁଲିସ୍କୁ ଅଡ଼ୁଆ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେଣୁ ଅଶୋକକୁ ଗିରଫ କରି ମାମଲାକୁ ପର୍ଦ୍ଦାଫାସ କରିବା ଲକ୍ଷ୍ୟରେ ଥିଲା ପୁଲିସ୍। କିନ୍ତୁ ଅଶୋକର ଗିରଫଦାରୀ ପରେ ବି ପୁଲିସକୁ ଲାଗିଛି ବଡ଼ ଝଟକା।
କାରଣ ଯେଉଁ ମାମଲାରେ ପୁଲିସ୍ ଅଶୋକଙ୍କୁ ଗିରଫ କରିଛି, ତା’ର ଏଫଆଇଆର କପି, କେସ୍ ଫାଇଲ ପୁଲିସ ହଜାଇ ଦେଇଛି। ସେହିପରି ମାମଲାର କୌଣସି ସାକ୍ଷୀ ମଧ୍ୟ ନାହାନ୍ତି। ତା’ର ଗିରଫଦାରୀକୁ ଯର୍ଥାର୍ଥ ଦର୍ଶାଇବାକୁ କୋର୍ଟଙ୍କ କୌଣସି ଦସ୍ତାବିଜ ନାହିଁ। ଓଧାଭ ପୁଲିସ୍ ଏହା ମଧ୍ୟ ସ୍ୱୀକାର କରିଛି ଯେ ୩୪ ବର୍ଷ ପୁରୁଣା ମାମଲାର କେସ୍ ଫାଇଲ କେଉଁଠି ଅଛି, ତା’ର ସୁରାଗ କୌଣସି କର୍ମଚାରୀଙ୍କ ପାଖରେ ନାହିଁ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଏହା ଗୋଟିଏ ଭୂତ ମାମଲା। ଆମେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛୁ। କିନ୍ତୁ ତାଙ୍କୁ କୋର୍ଟରେ ହାଜର କରାଇବାକୁ କୌଣସି କାଗଜପତ୍ର ଆମ ପାଖରେ ନାହିଁ। କୌଣସି ଏଫଆଇଆର କିମ୍ବା ସାକ୍ଷୀ ନାହାନ୍ତି। ତୁଣ୍ଡରେ କହିବା ପାଇଁ ଏହା ଗୋଟିଏ ଭଲ କାହାଣୀ।”
ଅଶୋକ ଠାକୁର ହେଉଛି ୮୦ ଓ ୯୦ ଦଶକରେ ଅହମଦାବାଦ ସହରରେ ରାଜୁତି କରୁଥିବା ଚେନ ଲୁଟେରା ଗ୍ୟାଙ୍ଗର ସଦସ୍ୟ। ଗ୍ୟାଙ୍ଗର ସଦସ୍ୟମାନେ ଲୋକଙ୍କ ବେକରୁ ଆଖି ପିଛୁଳାକେ ଚେନ ଛିଣ୍ଡାଇ ଖସି ଯାଉଥିଲେ। ଏହିକ୍ରମରେ ୧୯୯୧ ମସିହା ଜୁନ ୧୬ରେ ପପୁ ଶର୍ମା, ଅଶୋକ ଓ ପଞ୍ଚଲ ଗୋଟିଏ ବାଇକରେ ଆସି ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଫେରାର ହୋଇ ଯାଇଥିଲେ। ପୁଲିସ୍ ପପୁ ଓ ପଞ୍ଚଲକୁ ଗିରଫ କରିଥିଲେ ହେଁ ଅଶୋକ ଘଟଣା ପରଠାରୁ ଏକ ପ୍ରକାରର ଉଭାନ ହୋଇଯାଇଥିଲା।
ପୁଲିସ ତା’କୁ ବେଶ କିଛି ବର୍ଷ ଯାଏ ଖୋଜିଥିଲେ ହେଁ କିଛି ବି ସୁଫଳ ମିଳି ନଥିଲା। ଘଟଣା ପରେ ଅଶୋକ ଚୋରି ବିଦ୍ୟା ଛାଡ଼ି ଦେଇଥିଲା। ସେ ବେଶ କିଛି ବର୍ଷ ହେଲାଣି ସୁରେନ୍ଦ୍ରନଗର ଠାରେ ଗୋଟିଏ ସ୍କ୍ରାପ ଦୋକାନ ଖୋଲି ବ୍ୟବସାୟ କରୁଛି। ଘଟଣାକୁ ଇତି ମଧ୍ୟରେ ୩୪ ବର୍ଷ ବିତି ଯାଇଥିବା ବେଳେ ଅଶୋକର ବୟସ ୫୯ ଛୁଇଁଲାଣି। ସ୍କ୍ରାପ ବ୍ୟବସାୟ ସେ ତା’ ପୁଅ ସହ ମିଶି କରୁଛି।
ନିକଟରେ ଇନସପେକ୍ଟର ଇମରାନ ଘାସୁରା ପୁରୁଣା କେସ୍କୁ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ପୁରୁଣା ଫାଇଲର ବିଶେଷଜ୍ଞ ସବ ଇନସପେକ୍ଟର କେ ଏସ ସିସୋଦିଆ ୧୯୯୧ ମସିହା ଜୁନ ୧୬ ଘଟଣାର ତଦନ୍ତ ଦାୟିତ୍ୱ ପାଇଥିଲେ। ତଦନ୍ତ ବେଳେ ସିସୋଦିଆଙ୍କ ଟିମ ଏକାଧିକ ଗାଁକୁ ଯାଇଥିଲା। ସେଠାରୁ ଅଶୋକ ସମ୍ପର୍କରେ ସୂଚନା ମିଳିଥିଲା। ସୁରେନ୍ଦ୍ରନଗରରେ ଅଶୋକ ତା’ ପୁଅ ସହ ରହିଥିବା ଖବର ପରେ କ୍ରାଇମବ୍ରାଞ୍ଚ ଟିମ ତା’ ପାଖରେ ପହଞ୍ଚିଥିଲା।
ରତନପାର ବାଇପାସ ନିକଟରେ ଯେତେବେଳେ ଅଶୋକକୁ କ୍ରାଇମବ୍ରାଞ୍ଚ ଧରିଥିଲା ସେତେବେଳେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା। ପ୍ରଥମେ ସେ ନିଜକୁ ରମେଶ କୋଲି ଭାବେ ପରିଚୟ ଦେଇଥିଲା। କିନ୍ତୁ ତା’ ପୁଅର ଭୟଭୀତ ସ୍ୱର ଅଶୋକର ସବୁ ମିଛିର ପର୍ଦ୍ଦାଫାସ କରିଥିଲା। ଏକଦା ସୁନା ଚେନ ଲୁଟି ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅଶୋକର ସ୍ଥିତି ବଦଳି ଯାଇଛି। ଏବେ ସେ ବୟସର ଅପରାହ୍ନରେ ପହଞ୍ଚି ସାରିଲାଣି।
ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ସ୍କ୍ରାପ ଦୋକାନ ଓ ହାତ ଟଣା ଶଗଡ଼ ଟାଣୁଛି। ଏପରି ସ୍ଥିତିରେ ପୁଲିସ୍ ତା’କୁ ଗିରଫ କରିଛି। କିନ୍ତୁ ଚେନ ଲୁଟ ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଅଶୋକର ଦୁଇ ସହଯୋଗୀ ପ୍ରାଣ ହରାଇ ସାରିଛନ୍ତି। ଅଧିକାଂଶ ସାକ୍ଷୀଙ୍କ ମୃତ୍ୟୁ ହୋଇସାରିଛି। ପ୍ରକୃତ କେସ୍ ଫାଇଲ ହଜି ଯାଇଛି। ଟ୍ରାଏଲ କୋର୍ଟରେ ମଧ୍ୟ କୌଣସି ରେକର୍ଡ ନାହିଁ। ତେଣୁ ଅଶୋକ ଆଇନର ଜାଲରେ ଫସିବାର ଆଶଙ୍କା ବହୁତ କମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Police_1741255309.jpg)