ଦ୍ୱିତୀୟ ବିବାହ କଲେ କନ୍‌ଷ୍ଟେବଳ; ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପ୍ରଥମ ସ୍ତ୍ରୀ

ପ୍ରେମରେ ପଡ଼ିବା ପରେ ନାରାୟଣ ପତ୍ନୀ ମେନକାଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ। ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କୁ ଘରୁ ତଡ଼ି ଦେଇଥିଲେ।

ଅଭିଯୋଗକାରୀ ମେନକା

  • Published: Tuesday, 18 July 2023
  • , Updated: 18 July 2023, 05:25 PM IST

ପ୍ରେମିକ ପ୍ରବର କନ୍‌ଷ୍ଟେବଳ! ପ୍ରେମ କରି ବାହା ହୋଇଥିଲେ। ପରେ ଯୌତୁକ ଦାବି କରି ପ୍ରଥମ ସ୍ତ୍ରୀଙ୍କୁ ଘରୁ ତଡ଼ି ଦେଲେ। ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଦ୍ୱିତୀୟ ବିବାହ କଲେ କନ୍‌ଷ୍ଟେବଳ। ଯେଉଁଥିପାଇଁ କନ୍ଧମାଳ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପ୍ରଥମ ପତ୍ନୀ। ନ୍ୟାୟ ଦେବା ପାଇଁ ସେ ଏସ୍‌ପିଙ୍କୁ ଗୁହାରୀ କରିଛନ୍ତି।

ବିଲାବାଡ଼ି ଗାଁର ପୁଲିସ୍‌ କନଷ୍ଟେବଳ ନାରାୟଣ ପ୍ରଧାନ ୧୪ ବର୍ଷ ତଳେ ପ୍ରେମ କରି ବଂଡଗୁଡ଼ା ଗ୍ରାମର ମେନକା ପ୍ରଧାନଙ୍କୁ ବିବାହ କରିଥିଲେ। ବିବାହ ପରେ ବେଶ୍‌ ହସ ଖୁସିରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ। ଉଭୟଙ୍କ ଔରଷରୁ ୧୩ ବର୍ଷର ପିଲାଟିଏ ରହିଛି। ପତ୍ନୀ ଓ ସନ୍ତାନ ଥିବା ସତ୍ତ୍ୱେ ନାରାୟଣ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ।

ପ୍ରେମରେ ପଡ଼ିବା ପରେ ନାରାୟଣ ପତ୍ନୀ ମେନକାଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ। ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କୁ ଘରୁ ତଡ଼ି ଦେଇଥିଲେ। ଏ ନେଇ ମେନକା ସାରଙ୍ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ନାରାୟଣ ପ୍ରଧାନଙ୍କୁ ଗିରଫ କରିଥିଲା। ପରେ ଜାମିନରେ ବାହାରିଥିଲେ ନାରାୟଣ ପ୍ରଧାନ। ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ନାରାୟଣ ଗତ ୭ ତାରିଖରେ ଦ୍ୱିତୀୟ ବିବାହ କରିଛନ୍ତି।

ମେନକା ଏନେଇ ପୁଣି ଥରେ ସାରଙ୍ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ମେନକା ପ୍ରଧାନ ଅଭିଯୋଗ କରିଛନ୍ତି। ପୁଲିସ୍‌ ପ୍ରଶାସନଠାରୁ ନିରାଶ ହୋଇ ମେନକା କନ୍ଧମାଳ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି।

ମେନକାଙ୍କ ଅଭିଯୋଗ ନେଇ ତାଙ୍କ ସ୍ୱାମୀ ନାରାୟଣ ପ୍ରଧାନ କିମ୍ବା ସାରଙ୍ଗଡ଼ ଥାନା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ଫୁଲବାଣୀରୁ ତ୍ରିନାଥ ସାହୁ

Related story