Advertisment

ଗୁଳି କରି ସୁନା ବ୍ୟବସାୟୀଙ୍କଠାରୁ ସୁନା ଲୁଟ୍‌; ଦୁର୍ବୃତ୍ତଙ୍କୁ ଧରିବାକୁ ଜଙ୍ଗଲରେ ଚାଲିଛି ଅପରେସନ

ଆଜି ସକାଳ ପ୍ରାୟ ୧୦ଟା ବେଳେ ନେହୁର ଛକ ନିକଟରେ ଥିବା ମା’ ପାଟଖଣ୍ଡା ସୁନା ଦୋକାନରୁ ଏହି ଲୁଟ୍ ହୋଇଥିଲା।

Loot

Loot

Advertisment

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ତିନି ଜଣ ଦୁର୍ବୃତ୍ତ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ସୁନା ଅଳଙ୍କାର ଲୁଟି ନେଇଥିବା ବେଳେ ସେମାନଙ୍କୁ ଧରିବାକୁ ଜଙ୍ଗଲରେ ଚାଲିଛି ଅପରେସନ୍।

Advertisment

ବାଲିଗୁଡ଼ା ଏସ୍‌ଡିପିଓ ୟାସ ପ୍ରତାପ ଶ୍ରୀମଲ କହିଛନ୍ତି, ତିନି ଜଣ ଦୁର୍ବୃତ୍ତ ଜଙ୍ଗଲରେ ଲୁଚିଛନ୍ତି। ସେମାନଙ୍କୁ ଧରିବାକୁ ଜଙ୍ଗଲରେ କମ୍ବିଂ ଚାଲିଛି। ୫ଟି ଥାନାର ପୁଲିସ୍‌କୁ ନେଇ ଟିମ୍ ଗଠନ କରାଯାଇଛି। ସେମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଅପରେସନ ଜାରି ରହିଥିବାରୁ ନିର୍ଦ୍ଦିଷ୍ଟ କେଉଁ ଜଙ୍ଗଲରେ ଏହା ଚାଲିଛି, ତାହା କହି ହେବ ନାହିଁ।

ଆଜି ସକାଳ ପ୍ରାୟ ୧୦ଟା ବେଳେ ନେହୁର ଛକ ନିକଟରେ ଥିବା ମା’ ପାଟଖଣ୍ଡା ସୁନା ଦୋକାନରୁ ଏହି ଲୁଟ୍ ହୋଇଥିଲା। ସୁନା ବ୍ୟବସାୟୀ ସୁବାସ ଆଚାରି ସେତେବେଳେ ଦୋକାନ ଖୋଲିଥିଲେ। ସେ ଦୋକାନ ଖୋଲିବା ପରେ ପରେ ତିନି ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ହାତରେ ବନ୍ଧୁକ ଓ କଟୁରୀ ଆଦି ଥିଲା। ସୁବାସ ଆଚାରି କିଛି ବୁଝିବା ପୂର୍ବରୁ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ତାଙ୍କ କାନ୍ଧରେ ବାଜିଛି। ତା’ପରେ ତାଙ୍କ ବାମ ହାତ ପାପୁଲିକୁ କଟୁରୀରେ ହାଣି ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଧରି ଫେରାର ହୋଇଯାଇଥିଲେ। ଗୁଳିମାଡ଼ରେ ଓ କଟୁରୀ ଆକ୍ରମଣରେ ଗୁରୁତର ସୁବାସ ଆଚାରିଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଏହି ଘଟଣା ପରେ ଲୁଟେରାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବାଲିଗୁଡ଼ା ବଣିକ ସଂଘ ତରଫରୁ ସହରର ନୂଆସାହି ଛକରେ ରାସ୍ତାରୋକ କରାଯାଇଥିଲା। ଫଳରେ ୪ ଘଣ୍ଟା ଧରି ୫୯ ଜାତୀୟ ରାଜପଥ ଜାମ୍ ହୋଇଯାଇଥିଲା। ବାଲିଗୁଡ଼ା ଏସଡିପିଓ ୟାସ ପ୍ରତାପ ଶ୍ରୀମଲ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ଦିନ ୧୦ଟାରେ ଦୋକାନ ଭିତରେ ଗୁଳି ମାଡ଼ କରି ସୁନା ଲୁଟ୍‌ ଘଟଣାକୁ ବାଲିଗୁଡ଼ା ବ୍ୟବସାୟୀ ସଂଘ ତୀବ୍ର ନିନ୍ଦା କରିଛି। ତୁରନ୍ତ ଉକ୍ତ ଲୁଟେରାଙ୍କୁ ଗିରଫ କରିବା ସହିତ ସହରରେ ଲାଗିଥିବା ସିସିଟିଭିକୁ ୨୪ ଘଣ୍ଟିଆ ଚାଲୁ କରିବା ଓ ପାଟ୍ରୋଲିଂକୁ ଜୋରଦାର କରିବାକୁ ବଣିକ ସଂଘ ଦାବି କରିଛି।

ବାଲିଗୁଡ଼ାରୁ ଅଜିତ ନାୟକଙ୍କ ରିପୋର୍ଟ

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe