Advertisment

ପାଠୁଆ ଠକ: ଭିଜିଲାନ୍ସ ଏସ୍‌ପିର ପରିଚୟ ଦେଇ ଲୁଟିଥିଲା ୭.୬୦ ଲକ୍ଷ, ବାନ୍ଧିଲା ପୁଲିସ୍

ଗତ ବର୍ଷ ମେ’ ୩୧ ତାରିଖରେ ରାୟଗଡ଼ାର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ।

Manoj Kumar Majhi

Manoj Kumar Majhi

Advertisment

ଭିଜିଲାନ୍ସ ଏସ୍‌ପି ପରିଚୟ ଦେଇ ଜଣେ ଠିକାଦାରଙ୍କ ଠାରୁ ୭ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଥିବା ଜଣେ ଠକକୁ ଗିରଫ କରିଛି ସାଇବର ଥାନା ପୁଲିସ୍। 

Advertisment

ଗିରଫ ଯୁବକଙ୍କ ନାଁ ମନୋଜ କୁମାର ମାଝୀ (୩୪)। ତାଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ। ତାଙ୍କ ଠାରୁ ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି। ତା’ସହିତ ବିଭିନ୍ନ ବ୍ୟାଙ୍କର ୬ଟି ଏଟିଏମ୍ କାର୍ଡ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ଭୁବନେଶ୍ୱର କମିଶନରେଟ ପୁଲିସ୍‌ର ଜୋନ୍ ୫ ଏସିପି ଗୌତମ କିଶାନଙ୍କ ସୂଚନା ଅନୁଯାୟୀ, ଗତ ବର୍ଷ ମେ’ ୩୧ ତାରିଖରେ ରାୟଗଡ଼ାର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ।

Advertisment

ଅଭିଯୁକ୍ତ ମନୋଜ କୁମାର ମାଝୀ ନିଜକୁ ଭିଜିଲାନ୍ସ ଏସ୍‌ପି ପ୍ରକାଶଙ୍କ ପରିଚୟ ଦେଇ ମନୋଜ କୁମାର ଚୌଧୁରୀଙ୍କୁ ଫୋନ୍ କରିଥିଲେ। ଭିଜିଲାନ୍ସର ବିଭିନ୍ନ ସ୍ଥାନରେ କୋଠା କାମ ଆରମ୍ଭ ହେବାକୁ ଥିବାରୁ ସେ ତାଙ୍କୁ ଫୋନ୍ କରିଥିବା କହିଥିଲେ। କାମ ଦେବାକୁ କହି ଠକ ମନୋଜ କୁମାର ମାଝୀ ଠିକାଦାର ମନୋଜ କୁମାର ଚୌଧୁରୀଙ୍କ ଠାରୁ ପ୍ରଥମେ ୫ ଲକ୍ଷ ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ୨ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। କିନ୍ତୁ ଟଙ୍କା ପାଇବା ପରେ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ହୋଇଯାଇଥିଲା। 

ଠିକାଦାର ମନୋଜ କୁମାର ଚୌଧୁରୀଙ୍କ ଠାରୁ ଅଭିଯୋଗ ପାଇବା ପରେ ସାଇବର ଥାନା ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ଫିଟି ଥିଲା ମନୋଜ କୁମାର ମାଝୀଙ୍କ ଗୁମର। ତା’ପରେ ତାଙ୍କୁ ଗିରଫ କରାଯାଇଥିଲା। 

ଏସିପି ଗୌତମ କିଶାନ କହିଛନ୍ତି, ଅଭିଯୁକ୍ତ ମନୋଜ କୁମାର ମାଝୀ ଉଦଳାର ଝାଡ଼େଶ୍ୱରୀ କଲେଜରେ ସାଇକୋଲୋଜିର ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ସେହି ସମୟରୁ ସେ ଏଭଳି ଠକେଇ କାମରେ ଲିପ୍ତ ଥିଲେ। ତାଙ୍କ ନାଁରେ ଇୱଡବ୍ଲ୍ୟୁ, ଗଞ୍ଜାମ, ପୁରୀ ଓ ମୟୂରଭଞ୍ଜ ଆଦିରେ ୫ଟି ମାମଲା ରହିଛି। ସେ ଶିକ୍ଷିତ। ତେଣୁ ଭଲ ଭଲ କଥା କହି ଲୋକଙ୍କୁ ସହଜରେ ଫସାଇ ଦେଉଥିଲେ। ଲୋକେ ବି ତାଙ୍କ କଥାରେ ଭାସି ଯାଇଥିଲେ ଓ ଠକାମୀର ଶିକାର ହୋଇଥିଲେ।

ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Commissionerate Police Cyber Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe