‘ରାତିରେ ଶୋଇଥିଲା ପୁଅ । ତେବେ ସକାଳୁ ଆଉ ଉଠି ନ ଥିଲା। ଏହାପରେ ପୁଅର ମୃତଦେହକୁ ସତ୍କାର ନିମନ୍ତେ ଶ୍ମଶାନକୁ ଆଣିଥିଲୁ। ଏଠାରେ ଶବଦାହ ପୂର୍ବରୁ ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଇ ଯାଇଛି। ’ ଏପରି କହିଛନ୍ତି ଜଣେ ମୃତ ଯୁବକଙ୍କ ଅସହାୟ ବାପା ।
ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ବେହେରେନସିଲେଟ ଗାଁରେ ଘଟିଛି। ମୃତ ଯୁବକଜଣକ ହେଲେ ବେହେରେନସିଲେଟ ଗାଁର ଦେବା ଚିନାଗୁନଙ୍କ ପୁଅ ବିନୋଦ ଚନାଗୁନ ।
ବେହେରେନସିଲେଟ ଗାଁରେ ଗତ ରାତିରେ ବିନୋଦ ଚନାଗୁନଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ କିପରି ହୋଇଥିଲା, ସେ ଆତ୍ମହତ୍ୟା କରିଥିଲେ, ନା କ’ଣ ତାହା ସ୍ପଷ୍ଟ ହୋଇ ପାରିନି।
ସକାଳୁ ପରିବାର ଲୋକେ ଏନେଇ ପୁଲିସ୍କୁ କୌଣସି ସୂଚନା ନ ଦେଇ ମୃତଦେହକୁ ସତ୍କାର କରିବା ନିମନ୍ତେ ଶ୍ମଶାନକୁ ନେଇଥିଲେ। ମାତ୍ର ସୂଚନା ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା।
ପୁଅର ମୃତ୍ୟୁର କାରଣ କ’ଣ ପରିବାର ଲୋକେ ତାହା ସ୍ପଷ୍ଟ ଭାବେ ପୁଲିସ୍କୁ କହି ପାରି ନ ଥିଲେ। ଏହା ଶୁଣି ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଣ୍ଟାବାଞ୍ଜି ହସ୍ପିଟାଲକୁ ଆଣିଛି।
କେମିତି ଓ କ’ଣ ପାଇଁ ବିନୋଦଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ l ବିନୋଦ ଚନାଗୁନ ଯଦି ଆତ୍ମହତ୍ୟା କରିଥିଲେ, ତା’ହେଲେ ପରିବାର ଲୋକେ କାହିଁକି ଓ କ’ଣ ପାଇଁ ପୁଲିସ କୁ ଖବର ଦେଲେ ନାହିଁ ତାହା ସ୍ପଷ୍ଟ ହୋଇ ପାରି ନାହିଁ।
ଏହି ଘଟଣାରେ ପୁଲିସ୍ର ପ୍ରତିକ୍ରିୟା ମିଳି ପାରିନି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।