Advertisment

ବର୍ଦ୍ଦି ପଛର ଅସଲ ଚେହେରା; ମହିଳାଙ୍କୁ ନିର୍ଧୂମ ପିଟିଲେ, ଟେକିନେଲେ ପୁରୁଷ ପୁଲିସ୍‌

ନିଜ ବର୍ଦ୍ଦିର ତାତି ଦେଖାଇବାକୁ ଯାଇ କିଛି ପୁରୁଷ ପୁଲିସ୍‌ କର୍ମଚାରୀ ଜଣେ ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଟେକି ଟେକି ନେଇ ଯିବାର ଲଜ୍ଜାଜନକ ଭିଡିଓ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି।

ଅଦ୍ୟତନ ହୋଇଛି
Police Action

Police Action

Advertisment

ନାରୀକୁ ସମ୍ମାନ ଦେବାକୁ ସବୁବେଳେ ସରକାର ପ୍ରାଥମିକତା ଦେଇ ଆସିଛନ୍ତି। ଏଥିସହ ପୁଲିସ୍‌କୁ ମଧ୍ୟ ‘ପିପୁଲ ଫ୍ରେଣ୍ଡଲି’ ହେବାକୁ କୁହାଯାଇଛି। ମାତ୍ର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଏହାର ନଗ୍ନ ଚିତ୍ର। ସାମାନ୍ୟ କଥାକୁ ନେଇ ପୁଲିସ୍‌ ଘଟାଇଛି ଲଜ୍ଜାଜନକ କାଣ୍ଡ।

Advertisment

କୋଳରେ ଦୁଇ ଛୁଆଙ୍କୁ ଧରି ଥାନାକୁ ଯାଇଥିବା ଜଣେ ମହିଳାଙ୍କ ପ୍ରତି ପୁଲିସ୍‌ କରିଛି ଅମାନବୀୟ ଆଚରଣ। ନିଜ ବର୍ଦ୍ଦିର ତାତି ଦେଖାଇବାକୁ ଯାଇ କିଛି ପୁରୁଷ ପୁଲିସ୍‌ କର୍ମଚାରୀ ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଭାବେ ଟେକି ଟେକି ନେଇ ଯିବାର ଲଜ୍ଜାଜନକ ଭିଡିଓ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି। ଫଳରେ ପୁଲିସ୍ ବର୍ଦ୍ଦି ତଳେ ଲୁଚିଥିବା ଅସଲ ଚେହେରା ପଦାରେ ପଡ଼ିଛି।

ମହିଳା ଜଣକ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଘର ରାଜନଗରରେ। ତାଙ୍କ ସ୍ୱାମୀ ଚାନ୍ଦବାଲିରେ ରହି ଗାଡ଼ି ଚଳାଇଥାନ୍ତି। ମାତ୍ର ଏଠାରେ ତାଙ୍କ ସ୍ୱାମୀଙ୍କୁ କିଏ ମାରପିଟ କରିଥିବା ବେଳେ ସେ ଏଠାରେ ଅଭିଯୋଗ କରିଛନ୍ତି। ତେଣୁ ଖବର ପାଇ ସେ ନିଜ ଦୁଇ ଛୁଆ ଓ ନଣନ୍ଦ ଥାନାକୁ ଆସିଥିଲେ। ଏଠାରେ ଥିବା ସମୟରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଉଥିଲା। ସେ ଥାନା ସମ୍ମୁଖରୁ ଏକ ନୂଆ ଚପଲ ପିନ୍ଧି ଯାଇଥିବା ବେଳେ ଖୋଳକୁ ସେଠାରେ ଫୋପାଡ଼ି ଦେଇଥିଲେ। ଉକ୍ତ ଖୋଳରେ ତାଙ୍କ ଝିଅ ଖେଳିବାରୁ ତାହାକୁ ସେ ଫୋପାଡ଼ି ଦେଇଥିଲେ।

Advertisment

ମାତ୍ର ଉକ୍ତ ଖୋଳକୁ ଡଷ୍ଟବିନରେ ପକାଇବାକୁ ଜଣେ କନଷ୍ଟେବଳ ତାଗିଦ କରିଥିଲେ। ମାତ୍ର ସେ ମନା କରିବାରୁ ଏହାକୁ ନେଇ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ତାଙ୍କ ଗାଲକୁ ସାତଆଠ ଚାପୁଡ଼ା ମାରିଥିଲେ। ସେ ପାଟି କରିବାରୁ କନଷ୍ଟେବଳ ଜଣକ ତାଙ୍କୁ ଏକ ବାଡ଼ିରେ ନିର୍ଧୂମ ପିଟିଥିଲେ। ଏହାପରେ ୩ ଜଣ ପୁଲିସ୍‌ ପହଞ୍ଚି ତାଙ୍କୁ ଜବରଦସ୍ତି ଟେକି ନେଇଥିଲେ। ଟଣାଓଟରା କରିବାରୁ ତାଙ୍କ ପିନ୍ଧା ଶାଢୀ ଚିରି ଯାଇଥିବା କହିଛନ୍ତି ସଂପୃକ୍ତ ମହିଳା। ସେହି ସମୟରେ ତାଙ୍କ ସ୍ୱାମୀ ପୁଲିସ୍‌ ଥାନା ଆଗରେ ଛିଡ଼ା ହୋଇଥିବାର ଦେଖି ପୁଲିସ ମହିଳାଙ୍କୁ ଛାଡ଼ି ଦେଇଥିଲେ। ନଚେତ ‘ମୋ ଅବସ୍ଥା କ’ଣ ହୋଇଥାନ୍ତା ତାହା ମୁଁ ଭାବି ପାରୁନି’ ବୋଲି ମହିଳା ଜଣକ କହିଛନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ ଚାନ୍ଦବାଲି ଏସଡିପିଓ କହିଛନ୍ତି, ଘଟଣାର ତଦନ୍ତ ହେବ। ଯିଏ ଦୋଷୀ ହୋଇଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, କିଛି ଦିନ ତଳେ ପୁଲିସ ମୁଖିଆମାନଙ୍କୁ ଡାକି ଥାନାରେ ଲୋକଙ୍କ ପ୍ରତି କିଭଳି ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ନିର୍ଦ୍ଦେଶ ଦେଇଥିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ନିର୍ଦ୍ଦେଶକୁ ସପ୍ତାହେ ପୂରି ନ ଥିବା ବେଳେ ଚାନ୍ଦବାଲି ପୁଲିସ ଦେଖାଇ ଦେଇଛି ନିଜ ଅସଲ ଚେହେରା। କ୍ୟାମେରାରେ ଧରାପଡ଼ିଛି ପୁଲିସ୍‌ର ସତ। ଏବେ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର।

Police Bhadrak Torture;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe