Advertisment

ଇଭିଏମ୍ ହ୍ୟାକ୍ ନେଇ ଭିଡିଓ ଭାଇରାଲ, ସାଇବର ଥାନାରେ ନିର୍ବାଚନ ଆୟୋଗଙ୍କ ଅଭିଯୋଗ

ଇଭିଏମ୍ ହ୍ୟାକ୍ ପାଇଁ ହେଉଥିଲା ଯୋଜନା। ଭିଡିଓ ଭାଇରାଲ ପରେ ସାଇବର ଥାନାରେ ନିର୍ବାଚନ ଆୟୋଗଙ୍କ ଅଭିଯୋଗ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
EVM (File Photo)

EVM (File Photo)

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ସମେତ କିଛି ବିରୋଧୀ ଦଳ ପୁଣିଥରେ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ନିର୍ବାଚନ ଆୟୋଗ ବାରମ୍ବାର ଏଭଳି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ଏହାରି ଭିତରେ ଇଭିଏମ୍ ହ୍ୟାକ୍ କରିବା ପାଇଁ କିଛି ଲୋକ ଯୋଜନା କରୁଥିବା ଏକ ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରାଲ୍ ହେଉଛି। ଏହାପରେ ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଭିଯୋଗକ୍ରମେ ମୁମ୍ବାଇ ସାଇବର ପୁଲିସ ଏକ ମାମଲା ରୁଜୁ କରିଛି।

Advertisment

ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ସୋଶାଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ କରାଯାଉଛି। ଏଥିରେ ଭିଡିଓ କଲରେ କଥା ହେଉଥିବା କିଛି ଲୋକ ମହାରାଷ୍ଟ୍ର ନିର୍ବାଚନରେ ଇଭିଏମ୍ ହ୍ୟାକ୍ କରିଥିବା ଓ ଏଥିରେ ଚଞ୍ଚକତା କରିଥିବା ଦାବି କରୁଛନ୍ତି। ଏନେଇ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନଧିକାରୀଙ୍କ ଅଭିଯୋଗ ପରେ ମୁମ୍ବାଇ ସାଇବର ପୁଲିସ ଏହି ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ବିରୋଧରେ ୩୦ ନଭେମ୍ବର ରାତିରେ ଦକ୍ଷିଣ ମୁମ୍ବାଇ ସାଇବର ଥାନାରେ ଏକ ମାମଲା ରୁଜୁ କରିଛି।

Advertisment

ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ଇଭିଏମକୁ ୱାଇ-ଫାଇ କିମ୍ବା ବ୍ଲୁ-ଟୁଥ୍ ଭଳି କୌଣସି ବାହ୍ୟ ନେଟୱାର୍କ ଦ୍ୱାରା ସଂଯୋଗ କରାଯାଇପାରିବ ନାହିଁ। ତେଣୁ ଇଭିଏମରେ ହେରଫେର କରିବାର ପ୍ରଶ୍ନ ହିଁ ଉଠୁନାହିଁ। ଅନେକ ସମୟରେ ସୁପ୍ରିମକୋର୍ଟ ମଧ୍ୟ ଇଭିଏମକୁ ବିଶ୍ୱାସଯୋଗ୍ୟ ବୋଲି ଦର୍ଶାଇଛନ୍ତି। ୨୦୧୯ରେ ମଧ୍ୟ ସେହି ବ୍ୟକ୍ତି ବିରୋଧରେ ଏଭଳି ଏକ ଘଟଣାରେ ଏଫଆଇଆର ଦାଖଲ କରାଯାଇଥିଲା। ଅଭିଯୁକ୍ତ ଅନ୍ୟ ଦେଶରେ ଲୁଚି ରହିଛି। ଇଭିଏମ୍ ବିଷୟରେ ମିଥ୍ୟା ଦାବି କରୁଥିବା କିମ୍ବା ଭୁଲ ତଥ୍ୟ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ଭିଡିଓ କଲରେ ବ୍ୟାଖ୍ୟା କରୁଥିବା ଦେଖାଯାଇଛି ଯେ ସେ କିପରି ଇଭିଏମ୍ ହ୍ୟାକ୍ କରିପାରିବେ। ଅଭିଯୁକ୍ତ ଜଣଙ୍କ ଏହି ଭିଡିଓରେ କହୁଛି ଯେ ତା ପାଖରେ ମହାରାଷ୍ଟ୍ରରେ ୨୮୮ଟି ଆସନ ମଧ୍ୟରୁ ୨୮୧ ଆସନରେ ବ୍ୟବହୃତ ଇଭିଏମର ଆକ୍ସେସ ରହିଛି। ହେଲେ କିଛି ଆସନରେ ଇଭିଏମ୍ ହ୍ୟାକ୍ କରିବା ସମ୍ଭବ ନୁହେଁ। ୬୩ଟି ଆସନରେ ବିଜୟ ନିଶ୍ଚିତ କରିବାକୁ ସେ ୫୨-୫୩ କୋଟି ଟଙ୍କା ଭିଡିଓରେ ଦାବି କରୁଛି। ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ସୟଦ ଶୁଜା ବୋଲି ଜଣାପଡିଛି। ତା ବିରୋଧରେ ୨୦୧୯ରେ ହୋଇଥିବା ଅଭିଯୋଗରେ ନିର୍ବାଚନ ଆୟୋଗ ଦିଲ୍ଲୀ ପୁଲିସକୁ କହିଥିଲେ ଯେ ଶୁଜା ନିଜକୁ ଇଭିଏମ୍ ଡିଜାଇନ ଦଳର ସଦସ୍ୟ ବୋଲି ଦାବି କରିବା ସହ ଏହାକୁ ହ୍ୟାକ୍ କରିପାରିବ ବୋଲି କହିଥିଲା।

Chief Election Commission EVM EVM Tampering Maharashtra Election