ଡାକ ବିଭାଗରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ହେବା ପରି ସାଘାଂତିକ ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ମାସେ ହେବ ପୋଷ୍ଟ ମାଷ୍ଟର ଫେରାର୍ ହୋଇ ଯାଇଛନ୍ତି । ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଫେରାର ପୋଷ୍ଟ ମାଷ୍ଟରଙ୍କ ପତ୍ତା ମିଳୁ ନ ଥିବାରୁ ତାତିଛନ୍ତି ଲୋକେ।ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ବୀରମିତ୍ରପୁର ଥାନା ପୁଲିସ।
ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା କୁମଝରିଆ ଶାଖା ଡାକ ବିଭାଗରେ ଏହି ହେରଫେର ଅଭିଯୋଗ ହୋଇଛି। ଫେରାର ପୋଷ୍ଟ ମାଷ୍ଟରଜଣକ ହେଉଛନ୍ତି କୁମଝରିଆ ଶାଖା ଡାକ ବିଭାଗର ପୋଷ୍ଟ ମାଷ୍ଟର କୁନ୍ତିଲତା ଗଞ୍ଜୁ । ଗତ ମେ ୮ ତାରିଖରୁ ସେ ଫେରାର ଅଛନ୍ତି ।
କିଛି ଦିନ ପୂର୍ବେ ଜଣେ ମହିଳା ଜମାକାରୀ ଜମା ଅର୍ଥ କାଢ଼ିବାକୁ କୁମଝରିଆ ପୋଷ୍ଟ ଅଫିସ ଯାଇଥିଲେ। ଫେରାର୍ ପୋଷ୍ଟ ମାଷ୍ଟରଙ୍କ ପାଖରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ଯାଇଥିଲେ କୁଆଁରମୁଣ୍ଡା ଶାଖା। ସେଠାରେ ତାଙ୍କ ଆକାଉଣ୍ଟରେ କୌଣସି ଅର୍ଥ ଜମା ହୋଇ ନଥିବା ଜାଣିଥିଲେ। ପରେ ଅନ୍ୟ ଜମାକାରୀ ମଧ୍ୟ ସେମାନଙ୍କର ଆକାଉଣ୍ଟରେ ଟଙ୍କା ଜମା ହୋଇ ନ ଥିବା ଜାଣିବାକୁ ପାଇଥିଲେ।
ଏହାପରଠୁ କୁନ୍ତିଲତା ଗଞ୍ଜୁ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ନ ପାଇ ଉତ୍ତ୍ୟକ୍ତ ଜମାକାରୀ ଟଙ୍କା ଫେରସ୍ତ ଦାବିରେ ସ୍ଥାନୀୟ ଜମାକାରୀ ଡାକ ବିଭାଗ ଅଧିକାରୀଙ୍କୁ ବହୁ ଘଣ୍ଟା ଧରି ଅଟକ ରଖିଥିଲେ l ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ବୀରମିତ୍ରପୁର ଥାନା ପୁଲିସ।
ରାଉରକେଲା ପୋଷ୍ଟାଲ ଡିଭିଜନ୍ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ କହିଛନ୍ତି, ପାଞ୍ଚ ବର୍ଷ ହେବ ଜମା ଅର୍ଥ ହେରଫେର ହୋଇଛି। ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।