Advertisment

ଲକ୍ଷାଧିକ ଟଙ୍କା ହଡ଼ପ; ଗରିବଙ୍କ ଝାଳ ବୁହା ଧନ ନେଇଗଲେ ପୋଷ୍ଟ ମାଷ୍ଟର!

ଠକାମୀରେ ଶିକାର ହୋଇଥିବା ଜମାକାରୀମାନେ ଆଜି ଲାଞ୍ଜିବର୍ଣ୍ଣା ଉପ-ଡାକଘର ଯାଇଥିଲେ। ସେତେବେଳେ ଡାକଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡ଼ିଛି କିଛି ଦିନ ହେଲା ସଂପୃକ୍ତ ପୋଷ୍ଟ ମାଷ୍ଟର ଡାକଘରେ ତାଲା ପକାଇ ଆସୁନାହାନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Postal

Postal

ଗରିବ ବିଚରା। ଝାଳ ବୁହା ପରିଶ୍ରମ କରି ରୋଜଗାର କରିଥିଲେ। ଟଙ୍କାଏ ଟଙ୍କାଏ ସଞ୍ଚୟ କରି ଗାଁ ପୋଷ୍ଟ ଅଫିସ୍‌ରେ ଜମା କରିଥିଲେ। ଭାବିଥିଲେ ଭବିଷ୍ୟତରେ କାମରେ ଲାଗିବ। ହେଲେ କ’ଣ ହେବ? ଜମାକାରୀଙ୍କ ଅଜାଣତରେ ପୋଷ୍ଟମାଷ୍ଟର ଜମା ଟଙ୍କା ହଡପ୍‌ କରିନେଲେ। ଏବେ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ଜମାକାରୀ। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ।

Advertisment

କୁତ୍ରା ବ୍ଲକ୍‌ ଲାଞ୍ଜିବେର୍ଣ୍ଣାରେ ରହିଛି ଉପ ଡାକଘର। ଏହି ଡାକ ଘରେ ଟଙ୍କା ଜମା ରଖିଥିଲେ ନିଲା କିରୋ। ତାଙ୍କର ଆବଶ୍ୟକତା ପଡ଼ିବାରୁ ମାର୍ଚ୍ଚ ୨୪ ତାରିଖରେ ସେ ଡାକଘରେ ଜମି ରଖିଥିବା ଟଙ୍କା ଉଠାଇବାକୁ ଚାହିଁଥିଲେ।ସେଥିପାଇଁ ସେ ଆବେଦନ କରିଥିଲେ। ହେଲେ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ତାଙ୍କ ଅଜାଣତରେ ୨୦୨୨ ମସିହା ନଭେମ୍ବର ୨୧ ତାରିଖରେ ୫ ଲକ୍ଷ ଟଙ୍କା ଓ ୨୦୨୩ ମସିହା ଜୁଲାଇ ୨୭ ତାରିଖରେ ୨ ଲକ୍ଷ ଟଙ୍କା ଉଠିଥିଲା। ଏ ସମ୍ପର୍କରେ ଜାଣିବା ପରେ ବିଚଳିତ ହୋଇଥିଲେ।

ନିଲା ଏ ନେଇ ଉକ୍ତ ଉପ-ଡାକଘର ପୋଷ୍ଟ ମାଷ୍ଟରଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ସେ ଘଟଣାର ତଦନ୍ତ କରାଯିବ ବୋଲି କହି ଚୁପ୍‌ ବସିଥିଲେ। ଖାଲି ସମୟ ଗଡାଇ ଚାଲିଥିଲେ। ଉପ-ଡାକଘର ପୋଷ୍ଟମାଷ୍ଟଙ୍କଠାରୁ ନିରାଶ ହେବା ପରେ ନିଲା ସୁନ୍ଦରଗଡ଼ ଜିଲ୍ଲା ଡାକ ନିରୀକ୍ଷକଙ୍କ ନିକଟରେ ୨୦୨୪ ମେ ୨୯ ତାରିଖରେ ଅଭିଯୋଗ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଜମାକାରୀ ନିଲାଙ୍କ ଖାତାକୁ ଟଙ୍କା ଫେରିନାହିଁ। ଯାହାକୁ ନେଇ ଚିନ୍ତାରେ ଅଛନ୍ତି।

Advertisment

ଲାଞ୍ଜିବେର୍ଣ୍ଣା ଉପ-ଡାକଘରେ ଟଙ୍କା ଜମା ରଖି କେବଳ ନିଲା କିରୋ ଠକି ନାହାନ୍ତି, ଆଉ ଦୁଇଜଣ ଜମାକାରୀ ସୁକାନ୍ତି ଧନୱାର ଓ ପ୍ରତିମା କିଶପଟ୍ଟାଙ୍କ ମଧ୍ୟ ଫସିଛନ୍ତି। ଉଭୟଙ୍କ ଯୁଗ୍ମ ଜମା ଖାତାରୁ ୨୦୨୩ ମସିହା ଜୁଲାଇ ୨୭ ତାରିଖରେ ଏକ ଲକ୍ଷ ଟଙ୍କା ଉଠାଇ ନିଆଯାଇଛି। ସେହିପରି ଲଳିତା ବାରାଙ୍କ ଫିକ୍ସ ଡିପୋଜିଟ୍‌ ଟଙ୍କା ମ୍ୟାଚୁରିଟି ପରେ ପ୍ରାୟ ୬୦ ହଜାର ଟଙ୍କା ଉଠାଇ ନିଆଯାଇଛି। ଏମିତି ଅନେକ ଜମାକାରୀ ସେହି ଡାକ ଘରେ ଟଙ୍କା ରଖି ଏବେ ଅଡୁଆ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି।

Postalଠକାମୀରେ ଶିକାର ହୋଇଥିବା ଜମାକରୀ

ଠକାମୀରେ ଶିକାର ହୋଇଥିବା ଜମାକାରୀମାନେ ଆଜି ଲାଞ୍ଜିବର୍ଣ୍ଣା ଉପ-ଡାକଘର ଯାଇଥିଲେ। ସେତେବେଳେ ଡାକଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡ଼ିଛି କିଛି ଦିନ ହେଲା ସଂପୃକ୍ତ ପୋଷ୍ଟ ମାଷ୍ଟର ଡାକଘରେ ତାଲା ପକାଇ ଆସୁନାହାନ୍ତି। ପୋଷ୍ଟ ମାଷ୍ଟର ଜମା ଟଙ୍କା ହଡପ୍‌ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜମାକାରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।

ସେପଟେ ସୁନ୍ଦରଗଡ ମୁଖ୍ୟ ଡାକ ବିଭାଗ ସୁପରିଟେଣ୍ଡେଷ୍ଟ କହିଛନ୍ତି, ପୂର୍ବରୁ ଏନେଇ ଅଭିଯୋଗ ଆସିଛି। ଏହାର ତଦନ୍ତ ହେଉଛି। ଶୀଘ୍ର ଏହାର ସମାଧାନ କରାଯିବ। ପୋଷ୍ଟ ଅଫିସଟିକୁ ମଧ୍ୟ ଖୋଲା ଯିବ ବୋଲି ସେ କହିଛନ୍ତି। ହେଲେ ଜମାକାରୀ କେବେ ଟଙ୍କା ଫେରିପାଇବେ ସେ ନେଇ ପଦୁଟିଏ କହିଲେ ନାହିଁ।

ରିପୋର୍ଟ- ରାଜଗାଙ୍ଗପୁରରୁ ବିଶ୍ୱକେତନ ରାୟ

Sundargarh Indian Postal Service Postal Scam