କ୍ଷମତାର ଅପବ୍ୟବହାର କରି କୋଟିକୋଟି ଟଙ୍କା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନବରଙ୍ଗପୁରର ପୂର୍ବତନ ଉପଜିଲ୍ଲାପାଳ ତଥା ଓଏଏସ୍ ପ୍ରଶାନ୍ତ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ୪ବର୍ଷ ସଶ୍ରମ ଜେଲ୍ ଓ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତାଙ୍କୁ ଏହି ମାମଲାରେ ଜେଲ୍ ପଠାଇ ଦିଆଯାଇଛି । ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି ।
ସୂଚନା ଅନୁସାରେ, ୨୦୧୮ ନଭେମ୍ବର ୫ ତାରିଖରେ ସମ୍ବଲପୁର ଭିଜିଲାନ୍ସ ଥାନାର ଏକ ମାମଲାରେ ସୁନ୍ଦରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଆଜି ଶ୍ରୀ ରାଉତଙ୍କୁ ୪ବର୍ଷ ସଶ୍ରମ ଜେଲ୍ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଶ୍ରୀ ରାଉତ ବିର୍ସା ବ୍ଲକ ବିଡିଓ ଥିବାବେଳେ ୪ର୍ଥ ରାଜ୍ୟ ଅର୍ଥ କମିଶନ ଓ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ୪ଟି ପ୍ରକଳ୍ପର ଅନୁମୋଦନ ପାଇଁ ୧ଲକ୍ଷ ଟଙ୍କା ଲାଂଚ ଦାବି କରିବା ଘଟଣାରେ ୨୦୧୮ ନଭେମ୍ବର ମାସରେ ଭିଜିଲାନ୍ସ ତାଙ୍କୁ ଲାଂଚ ଟଙ୍କା ସହ ଧରିଥିଲା ଓ ଗିରଫ କରି ଜେଲ୍ ପଠାଇଥିଲା । ଏହି ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି ।
ସେହିପରି ୨୦୨୩ ଜୁନ୍ ମାସରେ ଶ୍ରୀ ରାଉତ ନବରଙ୍ଗପୁରର ଉପଜିଳ୍ଲାପାଳ ଥିବାବେଳେ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘର ଓ ଅଫିସ ଆଦିରେ ଚଢ଼ଉ କରି ୩.୦୨କୋଟିର ନଗଦ ଟଙ୍କା ଜବତ କରିଥିଲା । ଏହି ଘଟଣାରେ ମଧ୍ୟ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା। ପରେ ସେ ଜାମିନରେ ଆସିଥିଲେ ଓ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଇଥିଲେ।
ଏବେ ପୁରୁଣା କେସରେ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବପରେ ତାଙ୍କୁ ପୁଣିଥରେ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି । ଏହାସହିତ ଭିଜିଲାନ୍ସ ବିଭାଗ ମଧ୍ୟ ତାଙ୍କ ପେନସନ୍ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ମାସରେ ଶ୍ରୀ ରାଉତ ଲାଂଚ କାରବାର ମାମଲାରେ ଗିରଫ ହୋଇଥିଲେ ମଧ୍ୟ ପରେ ବିଜେଡି ସରକାରରେ ନିଜର ଲିଙ୍କ୍ ଉପଯୋଗ କରି ସେ ପୁଣିଥରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ୨୦୨୨ ମସିହା ପଂଚାୟତ ନିର୍ବାଚନରେ ସେ ବିଜେଡି ପାଇଁ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଥିଲା । ତେବେ ୨୦୨୩ ଜୁନ୍ ମାସରେ ତାଙ୍କ ଘରୁ ୩.୦୨ କୋଟି ନଗଦ ଟଙ୍କା ଜବତ ହେବାପରେ ତାଙ୍କର ବିଜେଡି ଲିଙ୍କ୍ ପଦାକୁ ଆସିଥିଲା । ଏହି ଟଙ୍କା କାହାର ଓ ତାଙ୍କ ପାଖକୁ କେମିତି ଆସିଲା ସେନେଇ କିଛି ଜଣାପଡ଼ିନଥିଲେ ମଧ୍ୟ ବିଜେଡି ଟଙ୍କାକୁ ସେ ଚାପି ଦେବା ତାଙ୍କୁ ମହଙ୍ଗା ପଡ଼ିଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା । ଏପରିକି ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ସହ ତାଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।