Advertisment

ମାହାଙ୍ଗା ଡବଲ୍ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି

କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ରୋକ୍‌ ଲଗାଇଥିବା ବେଳେ ଆସନ୍ତା ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Pratap jena

Pratap jena

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି। ମାହାଙ୍ଗା ଡବଲ ମର୍ଡର କେସ୍‌ରେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ପ୍ରତାପ ଜେନା। କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ରୋକ୍‌ ଲଗାଇଥିବା ବେଳେ ଆସନ୍ତା ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି।

Advertisment

ଗତ ୩୧ ତାରିଖରେ ସାଲେପୁର ଜେଏମଏଫସି କୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ହୋଇଥିବା ବେଳେ ନିଜ ଓକିଲଙ୍କ ଜରିଆରେ ହାଜର ହୋଇଥିଲେ ପ୍ରତାପ ଜେନା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବ୍ୟକ୍ତିଗତ ଭାବେ ହାଜର ହୋଇ ନ ଥିବା ପ୍ରତାପ ଜେନା ଅସୁସ୍ଥ ଥିବା ନେଇ କ୍ୟାପିଟାଲ ହସ୍ପିଟାଲର ସାର୍ଟିଫିକେଟ ଜମା କରିଥିଲେ। ଏପରିକି ଏଥିନିମନ୍ତେ ସେ ଦୁଇ ସପ୍ତାହର ମହଲତ ମାଗିଥିଲେ।

ଉକ୍ତ ଶୁଣାଣି ପରେ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର, ଧମକ ଦେବା ଅଭିଯୋଗରେ ମାମଲା ଚାଲିବା ନେଇ ସାଲେପୁର ଜେଏମଏଫସି କୋର୍ଟରେ ନିଷ୍ପତ୍ତି ନିଆଯାଇଥିଲା।

Advertisment

 ପ୍ରତାପ ଜେନା ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସାଲେପୁର ଜେଏମଏଫସି କୋର୍ଟଙ୍କ ଅର୍ଡରକୁ ଚ୍ୟାଲେଞ୍ଜ କରିଥିଲେ। ଏପରିକି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ବି କହିଥିଲେ। ଏଥିସହ ସେ ଉକ୍ତ ମାମଲାକୁ ଖାରଜ କରିବା ସହ ତା’ ଉପରେ ରୋକ ଲଗାଇବାକୁ ବି ଏକ ମିସକେସ୍‌ କରିଥିଲେ।

ଆଜି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ସାଲେପୁର ଜେଏମଏଫସି କୋର୍ଟ ଅର୍ଡର ପହଞ୍ଚି ନ ଥିବାରୁ ଏହି ମାମଲାର ଶୁଣାଣି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଫଳରେ ଆସନ୍ତା ଡିସେମ୍ବର ୧୯ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ଘୁଞ୍ଚିଥିବା ବେଳେ ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।

ସୂଚନାଯୋଗ୍ୟ, ୨୦୨୧ ଜାନୁୟାରୀ ୨ରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ସମୁଦାୟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରେ ତତ୍‌କାଳୀନ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ମଧ୍ୟ ସାମିଲ ଥିଲା।

ପ୍ରତାପ ଜେନା ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଉଭୟଙ୍କ ପରିବାର କହିଥିବା ବେଳେ ପୁଲିସ୍‌ ଚାର୍ଜସିଟ୍‌ରେ କିନ୍ତୁ ତାଙ୍କୁ କ୍ଲିନଚିଟ ଦେଇ ନାଁ କାଟି ଦେଇଥିଲା।

ଏହାପରେ କୁଳମଣି ବିଶ୍ୱାଳଙ୍କ ପୁଅ ରଣଜିତ ବିଶ୍ୱାଳଙ୍କ ପୁଅ ଏକ ମାମଲା ରୁଜୁ କରି ବିଭିନ୍ନ ଦଲିଲ, ଦସ୍ତାବିଜ ଉପସ୍ଥାପନ କରିଥିଲେ। ଭିନ୍ନ ଦସ୍ତାବିଜ, ବୟାନ, ସାକ୍ଷୀ ପ୍ରମାଣଙ୍କୁ ତର୍ଜମା କରି ସାଲେପୁର ଜେଏମଏଫସି କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡଯନ୍ତ୍ର ରଚିବା, ଧମକ ଦେବା ମାମଲା ଶୁଣାଣି ନିମନ୍ତେ ବିଚାରଯୋଗ୍ୟ ତଥ୍ୟ ଥିବା କହିଥିଲେ। ଏହାପରେ ପୁଣି ଥରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି।