Advertisment

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ, କାଲି ଗିରଫ ହୋଇଥିଲେ

ଏହି ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Bhanu Bag

Bhanu Bag

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି କଟକରୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ମଙ୍ଗଳବାର ବାଣ ବିସ୍ଫୋରଣ ବେଳେ ସେ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଓ ତାଙ୍କ ଶରୀରର ୮୦% ପୋଡ଼ି ଯାଇଥିଲା। ପଶ୍ଚିମବଙ୍ଗରେ କୌଣସି ଡାକ୍ତରଖାନାରେ ଭର୍ତ୍ତି ହେଲେ ପୁଲିସ ହାତରେ ଧରାପଡ଼ିଯିବା ଭୟରେ ସେ ତାଙ୍କ ପୁଅ ଓ ଅନ୍ୟ ଜଣେ ସଂପର୍କୀୟଙ୍କ ସହିତ କଟକ ପଳାଇ ଆସିଥିଲେ।

ଭାନୁ ବାଗ ଓଡ଼ିଶା ପଳାଇ ଆସିଥିବା ନେଇ ପଶ୍ଚିମବଙ୍ଗ  ପୁଲିସ ସନ୍ଦେହ କରିଥିଲା ଓ ଏନେଇ କଟକ କମିଶନରେଟ ପୁଲିସକୁ ଜଣାଇଥିଲା। କଟକ ପୁଲିସ ପକ୍ଷରୁ ଏନେଇ ଖୋଳତାଡ଼ କରାଯାଇଥିଲା। କଟକ ପୁଲିସ ସହାୟତାରେ ପଶ୍ଚିମବଙ୍ଗ ପୁଲିସ ଗତକାଲି ଭାନୁ ବାଗଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲରୁ ଗିରଫ କରିଥିଲା। ତେବେ ପଶ୍ଚିମବଙ୍ଗ ପୁଲିସ ତାଙ୍କୁ ସାଙ୍ଗରେ ନେଇ ଯାଇପାରି ନଥିଲା। କାରଣ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ଆଉ ଆଜି ତାଙ୍କର ମୃତ୍ୟୁ ଘଟିଛି। ଭାନୁ ବାଗଙ୍କ ମୃତ୍ୟୁ ସହିତ ଏହି ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି।

Advertisment

ଗତ ମଙ୍ଗଳବାର ପଶ୍ଚିମବଙ୍ଗର ପୂର୍ବ ମେଦନାପୁର ଜିଲ୍ଲାର ଏଗ୍ରା ଗାଁରେ ଏହି ଘଟଣା ଘଟିଥିଲା। ଉକ୍ତ ବାଣ କାରଖାନା ବେଆଇନ ଥିଲା। ତାହା ଏକ ଆବାସିକ ଘରେ ଚାଲୁଥିଲା। ଭାନୁ ବାଗ ଓ ତାଙ୍କ ପୁଅ ଏହାକୁ ଚଲାଉଥିଲେ। ବେଆଇନ ଭାବେ ବାଣ କାରଖାନା ଚଲାଇବା ଅଭିଯୋଗରେ ଭାନୁ ବାଗ ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିଲେ। ତେବେ ବେଲ୍‌ରେ ଆସିବା ପରେ ପୁଣି ଏହି କାମରେ ଲାଗିଥିଲେ।

ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗର ରାଜନୀତି ମଧ୍ୟ ଉଷୁମ ହୋଇଯାଇଥିଲା। ଅଭିଯୁକ୍ତ ଭାନୁ ବାଗ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ କାର୍ଯ୍ୟକର୍ତ୍ତା ଓ ସେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କ ଦଳ ପାଇଁ ବୋମା ତିଆରି କରୁଥିଲେ ବୋଲି ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହା ସହିତ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା କରାଇବାକୁ ଦଳ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଥିଲା। ଅନ୍ୟପକ୍ଷରେ ବିଜେପିର ଅଭିଯୋଗକୁ ଟିଏମ୍‌ସି ଖଣ୍ଡନ କରିଥିଲା ଓ ଘଟଣାର ତଦନ୍ତ ସିଆଇଡିକୁ ଦିଆଯାଇଛି ବୋଲି କହିଥିଲା।

Cuttack Crime WestBengal