Advertisment

ଘରେ ରହିବେ କଏଦୀ, ଦେହରେ ଲାଗିବ ଜିପିଏସ୍‌ !

ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ସିଷ୍ଟମ । ଏଥିନିମନ୍ତେ ଆବଶ୍ୟକ ସେମାନଙ୍କ ଅନୁମତି। ଜିପିଏସ୍ ସିଷ୍ଟମ ଲଗାଇଲେ ବିଚାରାଧୀନ କଏଦୀଙ୍କୁ ଘରେ ରହିବାର ମିଳିବ ଅନୁମତି। ନଚେତ ସେମାନଙ୍କୁ ଜେଲ୍‌ରେ କାଟିବାକୁ ପଡ଼ିବ ରାତି ।

ଅଦ୍ୟତନ ହୋଇଛି
Jail

Jail

Advertisment

ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ସିଷ୍ଟମ । ଏଥିନିମନ୍ତେ ଆବଶ୍ୟକ ସେମାନଙ୍କ ଅନୁମତି। ଜିପିଏସ୍ ସିଷ୍ଟମ ଲଗାଇଲେ ବିଚାରାଧୀନ କଏଦୀଙ୍କୁ ଘରେ ରହିବାର ମିଳିବ ଅନୁମତି। ନଚେତ ସେମାନଙ୍କୁ ଜେଲ୍‌ରେ କାଟିବାକୁ ପଡ଼ିବ ରାତି । ଏପରି ଏକ ପ୍ରସ୍ତାବ ଜେଲ୍‌ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଜେଲ୍‌ରେ ବନ୍ଦୀଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ଚାପ କମାଇବାକୁ ଏହି ପ୍ରସ୍ତାବ ଦିଆଯାଇଛି।

Advertisment

ଜେଲ୍‌ ବିଭାଗ ତରଫରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ଯେଉଁ କଏଦୀଙ୍କ ଅପରାଧର ଦଣ୍ଡ ୭ ବର୍ଷରୁ କମ୍ ହୋଇଥିବ, ଜଘନ୍ୟ ଅପରାଧରେ ସଂପୃକ୍ତ ନ ଥିବେ, ସାଧାରଣ ମାମଲାରେ ଅଭିଯୁକ୍ତ ଥିବେ- ସେମିତି ବନ୍ଦୀଙ୍କ ଦେହରେ ଲାଗିବ ଜିପିଏସ୍ । ଫଳରେ ସେମାନଙ୍କୁ ଜେଲ୍‌ରେ ନ ରଖି ସେମାନଙ୍କ ଘରେ ଛାଡ଼ିହେବ । କଏଦୀଙ୍କ ଗୋଡ଼ର ଗୋଇଠିର ଲାଗିବ ଏହି ଜିପିଏସ୍ ଟ୍ରାକର୍।

ଜିପିଏସ୍ ଟ୍ରାକରକୁ ନଷ୍ଟ କରିବାକୁ କିମ୍ବା ଭାଙ୍ଗିବାକୁ ଚେଷ୍ଟା କରାଗଲେ, ତୁରନ୍ତ ସ୍ଥାନୀୟ ଥାନାକୁ ସୂଚନା ଚାଲିଯିବ। ଫଳରେ ତୁରନ୍ତ ପୁଲିସ୍‌ ସେମାନଙ୍କୁ କାବୁ କରି ପାରିବ । ଏହାଦ୍ୱାରା ଜେଲରେ କ୍ଷମତାଠୁ ଅଧିକ ବନ୍ଦୀ ରହିବା ଯୋଗୁ ପଡ଼ୁଥିବା ଚାପକୁ କମାଇ ହେବ । ଏଥିସହ ଛୋଟମୋଟ ଅପରାଧର କଏଦୀ ଜେଲ୍‌ରେ ରହିଲେ ରାଜ୍ୟ ସରକାରଙ୍କ ଉପରେ ପଡ଼ୁଥିବା ଆର୍ଥିକ ବୋଝ ବି କମିଯିବ ।

Advertisment

ଏ ସମ୍ପର୍କରେ ଜେଲ୍ ଡିଜି ମନୋଜ କୁମାର ଛାବ୍ରା ଆଜି ଗଣମାଧ୍ୟକ ପ୍ରତିନିଧୀଙ୍କୁ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ କିଛି ଜେଲ୍‌ ଅଛି ଯେଉଁଠି କ୍ଷମତାଠୁ ଅଧିକ କଏଦୀ ରହୁଛନ୍ତି। ଜେଲ୍‌ରେ ରହୁଥିବା କଏଦୀଙ୍କ ମଦ୍ୟରୁ ୮୦% ବିଚାରାଧୀନ କଏଦୀ। ସେମାନେ ଦୋଷୀ ନୁହନ୍ତି। ହେଲେ ବେଳେବେଳେ ବର୍ଷ ବର୍ଷ ଧରି ରହି ଯାଉଛନ୍ତି। ଆମେ ଚାହୁଁଛୁ, ସେମାନେ ଜେଲ୍‌ରେ ନ ରହି, ନିଜ ଘରେ ରୁହନ୍ତୁ।

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଅନୁଯାୟୀ, ଯେଉଁ ଅଭିଯୁକ୍ତଙ୍କ ଦଣ୍ଡାଦେଶ ୭ ବର୍ଷରୁ କମ୍‌ ହେବ ସେମାନେ ଜେଲ୍‌ରେ ନ ରହିବା ଉଚିତ । ସେମାନଙ୍କୁ ବେଲ୍‌ ମିଳିବା ଉଚିତ । ଏହି ଜଟିଳ ସମସ୍ୟାକୁ ସମାଧାନ କରିବାକୁ ଆମେ ଜିପିଏସ୍ ଟ୍ରାକର ପରି ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରିବାକୁ ଚାହୁଁଛୁ। ଫଳରେ ଅଭିଯୁକ୍ତଙ୍କୁ ଆଉ ଜେଲ୍‌ରେ ରହିବାକୁ ପଡ଼ିବନି।

ଏଥିସହ ସେ କହିଛନ୍ତି, କଏଦୀଙ୍କୁ ସାଧାରଣତଃ ୩ଟି ସମସ୍ୟା ପାଇଁ ବେଲ୍‌ ମିଳିବାରେ ଅସୁବିଧା ହୁଏ। ବେଲ୍‌ ପାଇଲେ ଅଭିଯୁକ୍ତ ଖସି ଯାଇ ପୁଣି ଅପରାଧ କରିବାର ଆଶଙ୍କା ଥାଏ। ଏଥିସହ ସାକ୍ଷୀ, ପ୍ରମାଣକୁ ପ୍ରଭାବିତ କରିବାର ବି ସମ୍ଭାବନା ଥାଏ।

ହେଲେ କଏଦୀର ଗୋଡ଼ରେ ଜିପିଏସ୍ ଟ୍ରାକର ଲାଗିଲେ ତା’ର ଲୋକେସନ ସବୁବେଳେ ପୁଲିସ୍‌ ପାଖରେ ରହିବ । ଫଳରେ ସେ ନିଜ ପରିବାର ସହ ରହି ପାରିବ, ଦୈନଦିନ ଜୀବନଯାପନ ଅତି ସହଜରେ କରି ପାରିବ । ଯଦି ଉକ୍ତ ଜିପିଏସ୍‌କୁ କାଟିବାକୁ ବାହାର କରିବାକୁ ଚେଷ୍ଟା କରାଯିବ, ତା’ ହେଲେ ସତର୍କ ଘଣ୍ଟି ବାଜିବ ।

ଆମେ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଏକ ନିର୍ଦ୍ଦିଷ୍ଟ ଜେଲ୍‌ର କିଛି ନିର୍ଦ୍ଦିଷ୍ଟ ଅପରାଧରେ ସାବ୍ୟସ୍ତ ହୋଇଥିବା ଦୋଷୀଙ୍କ ଉପରେ ବ୍ୟବହାର କରିବାକୁ ଯୋଜନା କରିଛୁ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଉଛୁ। ଏଥିନିମନ୍ତେ ଆଇଟି ଡିପାର୍ଟମେଣ୍ଟ, ପୁଲିସ୍‌ ଓ ନ୍ୟାୟିକ ବ୍ୟବସ୍ଥାର ଅନୁମୋଦନ ବି ଆବଶ୍ୟକ ।

ଏହା ଲାଗୁ ହେଲେ ଏପରି ନିୟମ କାର୍ଯ୍ୟକ୍ଷମ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହେବ । ଫଳରେ ଦେଶର ବିଭିନ୍ନ ଜେଲ୍‌ରେ ଦେଖାଦେଉଥିବା ଅଧିକ ସଂଖ୍ୟକ କଏଦୀ ସମସ୍ୟାକୁ ସମାଧାନ କରିହେବ ।

ଭାରତ ବାହାରେ ପ୍ରାୟ ୪୦ଟି ପାଶ୍ଚାତ୍ୟ ଦେଶରେ ଏହି ବ୍ୟବସ୍ଥା ଲାଗୁ ହୋଇ ସାରିଛି। ଏହା କଏଦୀଙ୍କ ପାଦରେ ଲାଗିବ । ଫଳରେ ଏହାକୁ ଲୁଚାଇ ରଖିହେବ । ଏହାଦ୍ୱାରା କଏଦୀଙ୍କ ଗୋପନୀୟତା ରକ୍ଷା କରି ହେବ । ଏହାଦ୍ୱାରା ସରକାରଙ୍କ ବହୁ ରାଜସ୍ୱ ବଞ୍ଚି ପାରିବ ବୋଲି କହିଛନ୍ତି ଜେଲ୍‌ ଡିଜି ।

ଏଥିସହ ସେ କହିଛନ୍ତି, ଆମର ଏହି ପ୍ରସ୍ତାବକୁ ମାନବାଧିକାର କର୍ମୀ ବି ସମର୍ଥନ କରୁଛନ୍ତି। କାରଣ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ କଏଦୀଙ୍କ ଅନୁମତି ଲୋଡ଼ା । ସେମାନଙ୍କ ବିନା ଅନୁମତିରେ କେହି ସେମାନଙ୍କ ଉପରେ ଏହାକୁ ଜୋରଜବରଦସ୍ତି ଲାଗୁ କରି ପାରିବେ ନାହିଁ ।

Jail Prisoners
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe