/odisha-reporter/media/post_attachments/uploadimage/library/16_9/16_9_0/Professor_1718453215.jpg)
Professor
ମଧ୍ୟପ୍ରଦେଶର ଜେଏଚ ପିଜି କଲେଜରେ ଘଟିଛି ଅଭାବନୀୟ ଘଟଣା। ୫ ଜଣ ଯୁବକ କଲେଜରେ ପଶି ଜଣେ ପ୍ରଫେସରଙ୍କୁ ପ୍ରବଳ ପିଟିଛନ୍ତି। ସେମାନେ ପ୍ରଫେସରଙ୍କ ଉପରକୁ ପ୍ରଥମେ ଲଙ୍କା ଗୁଣ୍ଡ ମାଡ଼ କରିଥିଲେ। ଏହାପରେ ତାଙ୍କୁ କାଠ ଫାଳିଆରେ ନିସ୍ତୁକ ପିଟିଥିଲେ।
ସେମାନଙ୍କ ଆକ୍ରମଣରେ ସଂସ୍କୃତ ବିଭାଗର ଆସିସଷ୍ଟାଣ୍ଟ ପ୍ରଫେସର ନୀରଜ ଧକଡ଼ ଗୁରୁତର ଆହତ ହୋଇଛନ୍ତି। ସିସିଟିଭିରେ ପୂରା ଘଟଣା ମଧ୍ୟ କଏଦ ହୋଇଛି। ସିସିଟିଭି ଦୃଶ୍ୟ ଅନୁଯାୟୀ, ୫ ଜଣ ଯୁବକ ହାତରେ ଲଙ୍କା ଗୁଣ୍ଡ ଓ କାଠ ଫାଳିଆ ଧରି ସଂସ୍କୃତ ବିଭାଗରେ ପ୍ରବେଶ କରିଥିଲେ।
ଏହି ସମୟରେ ପ୍ରଫେସର ନୀରଜ କିଛି ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ଧସେଇ ପଶିବା ପରେ ଆକ୍ରମଣକାରୀମାନେ କୌଣସି ବିଳମ୍ବ ନ କରି ନୀରଜଙ୍କ ଉପରକୁ ଲଙ୍କା ଗୁଣ୍ଡ ପକାଇଥିଲେ। ଏହାପରେ ସେ ଅଚେତ ହେବା ଯାଏ ପିଟି ଚାଲିଥିଲେ।
ଘଟଣା ସ୍ଥଳରେ ଉପସ୍ଥିତ ଥିବା ଶିକ୍ଷାର୍ଥୀ ଓ ଅନ୍ୟ କର୍ମଚାରୀମାନେ ଭୟଙ୍କର ଘଟଣା କେମିତି ଘଟିଥିଲା, ତାହା ବର୍ଣ୍ଣନା କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଆକ୍ରମଣ ସମୟରେ ଅନେକ ଶିକ୍ଷାର୍ଥୀ ଓ କଲେଜର କର୍ମଚାରୀମାନେ ଉପସ୍ଥିତ ଥିଲେ ମଧ୍ୟ କେହି ବି ନୀରଜଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରି ନଥିଲେ। ଆକ୍ରମଣକାରୀମାନେ କଲେଜ କ୍ୟାମ୍ପସରୁ ଯିବା ପରେ ହିଁ ସମସ୍ତେ ନୀରଜଙ୍କୁ କେବଳ ହସ୍ପିଟାଲ ନେଇଥିଲେ।
ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ନୀରଜ ଦେହରେ ଗୁରୁତର କ୍ଷତ ଚିହ୍ନ ରହିଛି। ତାଙ୍କ ହାତ ଓ ଗୋଡ଼ ଭାଙ୍ଗି ଯାଇଛି। ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଛି। ଆକ୍ରମଣ ପଛର ଜଣେ ପୂର୍ବତନ ଛାତ୍ର ଅନ୍ନୁ ଠାକୁର ରହିଥିବା ଜଣାପଡ଼ିଛି।
ଗୋଟିଏ ମାସ ତଳେ କଲେଜରେ ମିଳିଥିବା ବୃତ୍ତି କାର୍ଯ୍ୟକ୍ରମକୁ ନେଇ ଠାକୁର ଓ ନୀରଜଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଅନ୍ନୁ ଠାକୁର ପ୍ରଫେସର ନୀରଜଙ୍କ ଅଫିସିଆଲ ସିଲ ଓ ଲେଟରହେଡକୁ ଅପବ୍ୟବହାର କରୁଥିବା ବେଳେ ଧରା ପଡ଼ିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେଣୁ ସେ ଏପରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ହସ୍ପିଟାଲରେ ବେଡରେ ଚିକିତ୍ସିତ ହେଉଥିବା ନୀରଜ କହିଛନ୍ତି, “ମୁଁ ଗୋଟିଏ ପ୍ରୋଜେକ୍ଟ ସମ୍ପର୍କରେ ପିଲାଙ୍କ ସହ ଆଲୋଚନା କରୁଥିବା ବେଳେ ୫ ଜଣ ଯୁବକ ଧସେଇ ପଶିଥିଲେ। ସେମାନେ ଲଙ୍କା ଗୁଣ୍ଡ ମାଡ଼ କରିବା ସହ ମୋତେ କାଠ ଫାଳିଆରେ ଆକ୍ରମଣ କରିଥିଲେ। ମୁଁ ସେମାନଙ୍କୁ ଜାଣିଛି। ସେମାନେ ସମସ୍ତେ ଅନ୍ନୁ ଠାକୁରର ଲୋକ। ସେମାନେ ମୋତେ ହତ୍ୟା କରିବାକୁ ଆସିଥିଲେ।”
ପୁଲିସ ଗୋଟିଏ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
