Advertisment

ମନୀଷାଙ୍କୁ ମାରିଲା କିଏ? ଏଯାଏ ପୁଲିସ୍‌ ହାତ ଖାଲି, ବଢ଼ୁଛି ଜନଅସନ୍ତୋଷ

ଅଗଷ୍ଟ ୧୩ରେ ମନୀଷାଙ୍କ ମୃତଦେହକୁ ଗାଁର ଗୋଟିଏ କ୍ଷେତରୁ ଠାବ କରାଯାଇଥିଲା। ତାଙ୍କ ଗଳାରେ କଟା ଦାଗ ରହିଥିଲା।

author-image
Hemant Lenka
Manisha

Manisha

ହରିୟାଣର ଭିୱାନି ଅନ୍ତର୍ଗତ ସିଙ୍ଘାଣି ଗାଁରେ ସମୟ ବିତିବା ସହ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ୧୯ ବର୍ଷୀୟ ମନୀଷାଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ବେଶ କିଛି ଦିନ ବିତି ଯାଇଥିଲେ ହେଁ ପୁଲିସ୍‌ ଦୋଷୀଙ୍କୁ ଧରିପାରି ନାହିଁ। ପ୍ଲେ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ମନୀଷାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ଲୋକମାନେ ଦାବି କରିବାରେ ଲାଗିଛନ୍ତି।

Advertisment

ରବିବାର ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବା ବେଳେ ଆଜି ବସିଥିଲା ଗୋଟିଏ ମହାପଞ୍ଚାୟତ। ଉକ୍ତ ମିଟିଂରେ ବିଜେପିର ପୂର୍ବତନ ମନ୍ତ୍ରୀ ଜେପି ଡଲାଲ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଲୋକମାନେ ପ୍ରଥମେ ହତ୍ୟକାରୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ଶନିବାର ଓ ରବିବାର ହତ୍ୟାକାଣ୍ଡକୁ ବିରୋଧ ଭଳି ସ୍ଥାନୀୟ ମାର୍କେଟ ବନ୍ଦ ରହିଥିଲା। ପୁଲିସ୍‌ ଠିକ ଭାବେ ତଦନ୍ତ କରୁ ନଥିବା ମଧ୍ୟ ଲୋକମାନେ ଅଭିଯୋଗ କରନ୍ତି।

ଅଗଷ୍ଟ ୧୩ରେ ମନୀଷାଙ୍କ ମୃତଦେହକୁ ଗାଁର ଗୋଟିଏ କ୍ଷେତରୁ ଠାବ କରାଯାଇଥିଲା। ତାଙ୍କ ଗଳାରେ କଟା ଦାଗ ରହିଥିଲା। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଘଟଣା ପରେ ଭିୱାନି ଏସ୍‌ପକୁ ବଦଳି କରିଥିବା ବେଳେ କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ତଥାପି ହତ୍ୟାକାରୀଙ୍କୁ ଏଯାଏ ପୁଲିସ୍‌ ଧରିବାକୁ ସକ୍ଷମ ହୋଇନାହିଁ।

Advertisment

ଅଗଷ୍ଟ ୧୧ରେ ମନୀଷା ପ୍ଲେ ସ୍କୁଲରୁ ବାହାରି ନିକଟସ୍ଥ ନିର୍ସିଂ କଲେଜକୁ ଯାଇଥିଲେ। ସେଠାରେ ଗୋଟିଏ ବିଷୟ ସମ୍ପର୍କରେ ଜାଣିବା ପାଇଁ ସେ ଯାଇଥିଲେ। ହେଲେ ଦିନ ଯାଇ ସନ୍ଧ୍ୟା ହୋଇଥିଲେ ହେଁ ସେ ଘରକୁ ଫେରି ନଥିଲେ। ସନ୍ଧ୍ୟା ସୁଦ୍ଧା ଝିଅ ଘରକୁ ଫେରି ନଥିବା ବେଳେ ଫୋନ ମଧ୍ୟ ଉଠାଇ ନଥିଲେ। ଏଥିଯୋଗୁ ପରିବାର ଲୋକ ବ୍ୟସ୍ତ ହୋଇ ପୁଲିସରେ ନିଖୋଜ ଅଭିଯୋଗ କରିବାକୁ ଯାଇଥିଲେ।

ତେବେ ଲୋହାରୁ ପୁଲିସ୍‌ ଅଭିଯୋଗକୁ ପ୍ରଥମେ ରଖି ନଥିଲା। ମନୀଷା କାହା ସହ ଫେରାର ହୋଇ ଯାଇଛନ୍ତି ଓ ଦୁଇ ଦିନ ପରେ ଫେରି ଆସିବେ ବୋଲି ପୁଲିସ୍‌ ପକ୍ଷରୁ ଅତ୍ୟନ୍ତ କଟାକ୍ଷ କରି ପରିବାର ଲୋକଙ୍କୁ କୁହାଯାଇଥିଲା। ଏହା ପରିବାର ଲୋକଙ୍କୁ ବେଶ ଆଘାତ ଦେଇଥିଲା।

ମନୀଷା ହତ୍ୟା ଘଟଣା

ମନୀଷାଙ୍କ ପରିବାର ଲୋକ କହିଛନ୍ତି ଯେ ପୁଲିସ୍‌ ସେମାନଙ୍କୁ ଯାଞ୍ଚ ପାଇଁ ନର୍ସିଂ କଲେଜକୁ ନେଇଥିଲା। ସେଠାରେ ୩ ଜଣ ନିଶାସକ୍ତ ବ୍ୟକ୍ତିଙ୍କୁ ପୁଲିସ୍‌ ପ୍ରଶ୍ନ କରିଥିଲା। ସେମାନେ ମନୀଷାଙ୍କୁ ଦେଖି ନଥିବା କହିଥିଲେ ଓ କଲେଜ ଦିନ ୧ଟାରୁ ବନ୍ଦ ହୋଇଯାଇଥିବା ପୁଲିସ୍‌କୁ ସୂଚନା ଦେଇଥିଲେ।

ତେବେ ଅଗଷ୍ଟ ୧୩ରେ ଜଣେ ଚାଷୀ ଗାଁ ନିକଟ କେନାଲ ପାଖ କ୍ଷେତରୁ ଜଣେ ଯୁବତୀଙ୍କ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ମୃତଦେହ ମନୀଷାଙ୍କର ବୋଲି ଚିହ୍ନଟ କରିଥିଲା। ମୃତଦେହକୁ ଜବତ କରି ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାକୁ ଶବକୁ ପରିବାର ଲୋକଙ୍କୁ ଦିଆଯାଇଥିଲା। ହେଲେ ପରିବାର ଲୋକ ମୃତଦେକୁ ଗ୍ରହଣ ନ କରି ପ୍ରଥମେ ବର୍ବର ହତ୍ୟାକାଣ୍ଡ ପଛରେ ଥିବା ଲୋକଙ୍କୁ ଧରିବାକୁ ଦାବି କରିଥିଲେ।

ଏହାକୁ ନେଇ ଶବ ବ୍ୟବଚ୍ଛେଦ ହୋଇଥିବା ଭିୱାନି ସିଭିଲ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏଥିପାଇଁ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥା ବଢ଼ାଇଥିଲା। ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକ ମନା କରିବା ସହ ପୁଲିସ ସେମାନଙ୍କ ଅଭିଯୋଗ ଗ୍ରହଣ କରିବାରେ ବିଳମ୍ବ କରିଥିବା କହିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା।

ଲୋକଙ୍କ ବିକ୍ଷୋଭ

ଶନିବାର ଠାରୁ ଲୋକମାନେ ବିକ୍ଷୋଭ ଆରମ୍ଭ କରିଛନ୍ତି। ଧୀଗାୱା ମଣ୍ତି ନିକଟରେ ବସିଥିବା ମହାପଞ୍ଚାୟତ ପକ୍ଷରୁ ତୁରନ୍ତ ଦୋଷୀଙ୍କୁ ଧରିବାକୁ ଦାବି କରାଯାଇଥିଲା। ରବିବାର ଗାଁ ଲୋକମାନେ ଦିଲ୍ଲୀ-ପିଲାନି ରୋଡ ବନ୍ଦ କରି ନ୍ୟାୟ ପାଇଁ ଦାବି କରିଥିଲେ। ପୁଲିସ୍‌ କହିଛି ଯେ ଘଟଣାର ତଦନ୍ତ ପାଇଁ ୬ଟି ଟିମ ଗଠନ କରାଯାଇଛି ଓ ରୋହତକର ପିଜିଆଇଏମଏସ୍‌ରେ ଶବ ବ୍ୟବଚ୍ଛେଦ କରାଯାଇଛି। ଭିସେରା ରିପୋର୍ଟ ଆସିବା ପରେ ମନୀଷାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ହେଲେ ଘଟଣାକୁ ୫ ଦିନ ବିତି ଯାଇଥିବା ବେଳେ ପୁଲିସ୍‌ ଦୋଷୀଙ୍କ ପାଖରେ ପହଞ୍ଚି ପାରୁ ନଥିବାରୁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ବନ୍ଧୁ ଓ ସ୍ଥାନୀୟ ଲୋକଙ୍କ କହିବା କଥା ଯେ ମନୀଷା ଜଣେ ଶାନ୍ତ ସ୍ୱାଭାବର ପିଲା ଥିଲେ। ତାଙ୍କ ସହ ଏପରି ଘଟଣାକୁ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।

Murder Crime Haryana News